ସମ୍ବଲପୁର, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରୁ ଉଠିଯିବ ବାଳକ ଫୁଟବଲ୍: ୧୫ ସୁଦ୍ଧା ଖାଲି ହେବ ହଷ୍ଟେଲ୍‌!

ବାଳିକା ଫୁଟବଲ୍ ଓ ସନ୍ତରଣ ଶୃଙ୍ଖଳା ଖୋଲିବା ଯୋଜନା

ସମ୍ବଲପୁର: ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରୁ ଉଠିଯିବ ବାଳକ ଫୁଟବଲ୍ ଶୃଂଖଳା। ଛାତ୍ରାବାସ ଆରମ୍ଭରୁ ଏଠାରେ ରହିଥିବା ବାଳକ ଫୁଟବଲ୍‌ ଖେଳାଳିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସେହିପରି ବର୍ତ୍ତମାନ ପାଇଁ ସନ୍ତରଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ବି ଅନ୍ୟତ୍ର ପଠାଯିବ। ଆସନ୍ତା ୧୫ ତାରିଖ ସୁଦ୍ଧା ଫୁଟବଲ୍ ପ୍ରଶିକ୍ଷାର୍ଥୀଙ୍କୁ ଭବାନୀପାଟଣା ଓ ସନ୍ତରଣ ପ୍ରଶିକ୍ଷାର୍ଥୀଙ୍କୁ ଭୁବନେଶ୍ବର ପଠାଇବାକୁ କ୍ରୀଡ଼ା ନି‌ର୍ଦ୍ଦେଶାଳୟରୁ ଚିଠି ଆସିଛି। ଏହି ପ୍ରଶିକ୍ଷାର୍ଥୀ ମାନେ ଚାଲିଗଲେ ବର୍ତ୍ତମାନ ପାଇଁ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସ ଖାଲି ହୋଇଯିବ। ତେବେ କେବଳ ସମ୍ବଲପୁର ନୁହେଁ, ବଲାଙ୍ଗୀର, ଭବାନୀପାଟଣା, ଫୁଲବାଣୀ, କେନ୍ଦୁଝର, ବାଲେଶ୍ବର ଆଦି କ୍ରୀଡ଼ା ଛାତ୍ରାବାସର ପୁନର୍ଗଠନ ପାଇଁ ମଧ୍ୟ ବିଭାଗ ଯୋଜନା କରିଛି। ବଲାଙ୍ଗୀର ଛାତ୍ରାବାସରୁ ବି ଫୁଟବଲ୍, ଆଥ୍‌ଲେଟିକ୍ସ ଆଦି ଶୃଂଖଳା ଉଠିଯିବ। ସେଠାରେ ସନ୍ତରଣ ଓ ‌ଅସୀଚାଳନାର ନୂଆ ଶୃଂଖଳା ଖୋଲିବ ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ନାହିଁ। କ୍ରୀଡ଼ା ବିଭାଗ ପକ୍ଷରୁ କ’ଣ ନିଷ୍ପତ୍ତି ନିଆଯାଇଛି ତାହା ସ୍ଥାନୀୟ ଅଧିକାରୀ ମାନେ ବି ଠିକ୍‌ରେ ଜାଣି ନାହାନ୍ତି। କ୍ରୀଡ଼ା ବିଭାଗ ପକ୍ଷରୁ ଅତ୍ୟନ୍ତ ଗୁପ୍ତ ଢଙ୍ଗରେ କରା ଯାଉଥିବା ଏହି ଛାତ୍ରାବାସ ପୁନର୍ଗଠନ ଯୋଜନା ନେଇ ସ୍ଥାନୀୟ କ୍ରୀଡ଼ାପ୍ରେମୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରେ ବାଳକ ସନ୍ତରଣରେ ୧୫ ଓ ବାଳକ ଫୁଟବଲ୍‌ରେ ୨୨ଟି ସିଟ୍ ରହିଥିଲା। ଏହି ଉଭୟ ଶୃଂଖଳାରେ ସମ୍ବଲପୁର ଛାତ୍ରାବାସ ଅତୀତରେ ନାଁ କରିଥିଲା। ବାଳକ ଫୁଟବଲ୍‌ରେ ଏଠାରୁ ୨ ଜଣ ଅନ୍ତର୍ଜାତୀୟସ୍ତରର ଖେଳାଳି ବାହାରିଥିବାବେଳେ ଜାତୀୟ ସ୍କୁଲ୍ ଓ କନିଷ୍ଠ ଫୁଟବଲ୍‌ରେ ଅତୀତରେ ଏହି ଛାତ୍ରାବାସ ଉନ୍ନତ ପ୍ରଦର୍ଶନ କରିଥିଲା। ସେହିପରି ସନ୍ତରଣ କହିଲେ କେବଳ ସମ୍ବଲପୁରକୁ ହିଁ ବୁଝାଉଥିଲା। ବିଗତ ଦିନରେ ରାଜ୍ୟରେ ସମ୍ବଲପୁର ସନ୍ତରଣବିତ୍ ହିଁ ସବୁଠୁ ସଫଳ ଥିଲେ। ମାତ୍ର ଅତୀତରେ ଏଠାରୁ ସନ୍ତରଣ ଶୃଂଖଳା ଉଠାଇ ନେବାକୁ ଉଦ୍ୟମ ହୋଇଥିଲା ଯାହାକୁ ସମ୍ବଲପୁରବାସୀ ‌ଜୋରଦାର ବିରୋଧ କରିବାରୁ ଭୁବନେଶ୍ବର ଯାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଫେରାଇ ଆଣିବାକୁ ବିଭାଗ ବାଧ୍ୟ ହୋଇଥିଲା। ଏଥର କିନ୍ତୁ ବିଭାଗ ଭିନ୍ନ ଯୋଜନା କରିଛି। ଏଠାରେ ସିଟ୍ ସଂଖ୍ୟା କୁଆଡ଼େ ୩୭ରୁ ୧୪୦କୁ ବୃଦ୍ଧି କରାଯିବ। ସେଥିରୁ କେବଳ ସନ୍ତରଣର ଉଭୟ ବାଳକ ଓ ବାଳିକା ବର୍ଗରେ ୧୦୦ ଜଣ ଓ ଫୁଟବଲ୍ ବାଳିକା ବର୍ଗରେ ଅବିଶିଷ୍ଟ ପ୍ରଶିକ୍ଷାର୍ଥୀ ରହିବେ। ସମ୍ବଲପୁର, ବଲାଙ୍ଗୀର ଓ ଫୁଲବାଣୀରୁ ବାଳକ ଫୁଟବଲ୍ ଉଠିଯାଇ ଭବାନୀପାଟଣାରେ ବଡ଼ ଫୁଟବଲ୍‌ ହଷ୍ଟେଲ୍ ହେବ। ତେବେ ସମ୍ବଲପୁର ଏକମାତ୍ର ଜିଲ୍ଲା ଯେଉଁଠି କ୍ରୀଡ଼ା ଛାତ୍ରାବାସ ପାଇଁ ବିଭାଗର ନିଜସ୍ବ କୋଠା ନାହିଁ। କ୍ରୀଡ଼ା ଛାତ୍ରାବାସ ପିଲାମାନେ ପୂର୍ବରୁ ଷ୍ଟାଡିୟମ୍‌ରେ ରହୁଥିଲେ ଓ କିଛି ବର୍ଷ ହେଲା ଜିଲ୍ଲା ସ୍କୁଲ୍ ଛାତ୍ରାବାସରେ ରହୁଛନ୍ତି। ଏଠାରେ ୧୪୦ ପ୍ରଶିକ୍ଷାର୍ଥୀଙ୍କୁ ରଖିବା ପାଇଁ ବିଭାଗର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଠାରେ ବଡ଼ ହଷ୍ଟେଲ୍‌ ଖୋଲାଯିବା ଓ ନୂଆ ପିଲା ଆସିବା ବିଷୟ ବର୍ତ୍ତମାନ ପାଇଁ ବାସ୍ତବ ମନେ ହେଉ ନାହିଁ। ତେବେ ତରବରିଆ ଭାବେ କାହିଁକି ଏଠାରେ ଥିବା ପିଲାଙ୍କୁ ଅନ୍ୟତ୍ର ନିଆଯାଉଛି ବୋଲି ଫୁଟବଲ୍ ପ୍ରେମୀ ମାନେ ପ୍ରଶ୍ନ କରୁଛନ୍ତି। ସରକାର ଏ ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଦାବି ହେଉଛି।

ପିଲାଙ୍କୁ ସ୍ଥାନାନ୍ତର କରାଯିବା ନେଇ ପତ୍ର ଆସିଥିବା କଥାକୁ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଜୟଶ୍ରୀ ପାଢ଼ୀ ସ୍ବୀକାର କରିଛନ୍ତି। ବିଭାଗରୁ ଆସିଥିବା ପତ୍ର ଏବେ ଜିଲ୍ଲାପାଳଙ୍କ ପାଖରେ ଉପସ୍ଥାପିତ କରାଯାଇଛି। ଜିଲ୍ଲାପାଳଙ୍କ ମଞ୍ଜୁରି ମିଳିଲେ ପ୍ରଶିକ୍ଷାର୍ଥୀଙ୍କୁ ପଠାଯିବ। ତେବେ ଆମର ହଷ୍ଟେଲ୍ ବା ଶୃଂଖଳା ଉଠିବ ନାହିଁ। ଓଲଟା ଏଠାରେ ପ୍ରାୟ ୪ ଗୁଣା ଅର୍ଥାତ୍ ୧୪୦ କ୍ଷମତା ବିଶିଷ୍ଟ ହଷ୍ଟେଲ୍ ହେବ। କିନ୍ତୁ କେଉଁ ଶୃଂଖଳାରେ କେତେ ପିଲା ରହିବେ, ପୁଅ ରହିବେ ନା ଝିଅ ରହିବେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ ବୋଲି ସେ କହିଛନ୍ତି। ପିଲାଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ହଷ୍ଟେଲ୍ ପୁନର୍ଗଠନ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଜିଲ୍ଲାସ୍ତରୀୟ ଛାତ୍ରାବାସ ଗୁଡ଼ିକ ଏକାଡେମି ଢାଞ୍ଚାରେ କାର୍ଯ୍ୟ କରିବ ଓ ଏଠାରୁ ପ୍ରତିଭାବାନ କ୍ରୀଡ଼ାବିତ ବାହାରିବେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର