ଆଧୁନିକ ସଭ୍ୟତା ସହ ପାଦ ମିଳାଇଲେଣି ବଣ୍ଡା ମହିଳା, କରୁଛନ୍ତି ଯୋଗାଭ୍ୟାସ

ମାଲକାନଗିରି: ବର୍ତ୍ତମାନ ମାଲକନଗିରି ଜିଲ୍ଲାରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଜିଲ୍ଲାର ସବୁଠାରୁ ବେଶୀ ଶୀତ ଅନୁଭବ ହୁଏ ଖଇରପୁଟ ବ୍ଲକର ବଣ୍ଡା ଘାଟିରେ।ସମୁଦ୍ରପତନ ଠାରୁ ୫ ହଜାର ଫୁଟ ଉପରେ ରହିଥିବା ଏହି ବଣ୍ଡାଘାଟିରେ ଶୀତ ଋତୁରେ ପ୍ରଚଣ୍ଡ ଶୀତ ଅନୁଭୁତି ହୁଏ। ଏହି ଅଂଚଳରେ ବାସ କରୁଥିବା ବଣ୍ଡା ସଂପ୍ରଦାୟର ଲୋକେ ଏହି ଶୀତ ସହ ଖାପ ଖୁଆଇ ଚଳିବା ଶିଖିଗଲେଣି। ବଣ୍ଡା ସଂପ୍ରଦାୟର ଲୋକେ ଧିରେ ଧିରେ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ଆଧୁନିକତାର ପାଦ ସହ ପାଦ ମଧ୍ୟ ମିଳାଇଲେଣି।

ଏହି ଅଂଚଳର ଜଣେ ଯୁବତୀ ଏବେ ବଣ୍ଡା ମହିଳାଙ୍କୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ବ୍ୟାୟାମ ଅଭ୍ୟାସ କରାଇଲେଣି, ଯାହାକୁ ସେମାନେ ମଧ୍ୟ ଉତ୍ସହର ସହ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଭୋର ସକାଳୁ ଏବଂ ସଂଧ୍ୟାରେ ପାହାଡ ଉପରେ ଗାଁର ମହିଳା ଏବଂ ବୟଜ୍ୟୋଷ୍ଠ ବ୍ୟକ୍ତିମାନେ ଏକତ୍ରୀତ ହୋଇ ବ୍ୟାୟାମ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ଯୁବତୀ ସେମାନଙ୍କୁ ଶରୀର କିପରି ସୁସ୍ଥ ରହିବ ସନେଇ ସଚେତନ କରାଇବା ସହ ବିଭିନ୍ନ ଶୈଳୀରେ ବ୍ୟାୟାମ କରାଉଥିଲେ।ଯେଉଁ ମହିଳାମାନେ ସକାଳୁ ଉଠିଲେ ରାତିରେ ଶୋଇବା ପର୍ଯ୍ୟନ୍ତ କାମ କରିଥାନ୍ତି ସେମାନଙ୍କୁ ବ୍ୟାୟାମ ଦରକାର ପଡୁନଥିଲେ ମଧ୍ୟ ସଭ୍ୟତାର ସହ ପାଦ ଥାପି ଚାଲିବାକୁ ପଡିବ ବୋଲି କୁହାଯାଇଛି।

ବଣ୍ଡା ମହିଳାମାନେ ପ୍ରଥମେ ପ୍ରଥମେ ଏହାକୁ କରିବାକୁ ପସନ୍ଦ କରୁନଥିଲେ। କିନ୍ତୁ ସ୍ଥାନୀୟ ଯୁବତୀ ସେମାନଙ୍କୁ ବହୁ ବୁଝାସୁଝା କରିବା ପରେ ସମସ୍ତେ ବ୍ୟାୟାମ କରିବାକୁ ରାଜି ହୋଇଥିଲେ। ବଣ୍ଡା ଯୁବକଯୁବତୀ ଘାଟିରୁ ତଳକୁ ଓହ୍ଲାଇ ବିଭିନ୍ନ କାମଧନ୍ଦା କରିବା ସହ ପାଠ ପଢାରେ ମଧ୍ୟ ମନ ବଳାଇ ଚାକିରି ମଧ୍ୟ କଲେଣି।ବହୁ ବଣ୍ଡା ଯୁବକ ଭୁବନେଶ୍ବରରେ ପାଠ ପଢି ଉଚ୍ଚ ଶିକ୍ଷିତ ହେଲେଣି। ଏପରକି ବଣ୍ଡା ଯୁବକ ଡମ୍ବରୁ ଶିଶା ମଧ୍ୟ ବିଧାୟକ ହେବାରେ ସଫଳ ହୋଇଥିଲେ। ତେବେ ଦିନକୁ ଦିନ ଏହି ସଂପ୍ରଦାୟର ଲୋକେ ଆଧୁନିକତା ସହ ତାଳ ମିଳାଇଲେଣି, ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି। ପ୍ରଶାସନ ତରଫରୁ ଏମାନଙ୍କୁ ଆହୁରି ସୁବିଧ ସୁଯୋଗ ପ୍ରଦାନ କଲେ ଏମାନେ ଆହୁରି ଉନ୍ନତି କରିଥାନ୍ତେ ବୋଲି ମତ ପ୍ରକାଶ ପାଇଛି। ପ୍ରଚଣ୍ଡ ଶୀତରେ ମଧ୍ୟ ଏମାନେ ସକାଳୁ ଏବଂ ସଂଧ୍ୟାରେ ବ୍ୟାୟାମ ଅଭ୍ୟାସ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର