ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଂଗପୁର ଥାନା ଅଧୀନ କ୍ଷତ୍ରିୟବରପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଲୁଟ୍ ଉଦ୍ୟମ। ମୁଖା ପିନ୍ଧି ଥିବା ଦୁଇ ଜଣ ଦୁର୍ବୃତ୍ତ ଗତ ବିଳମ୍ବିତ ରାତିରେ ବ୍ୟାଙ୍କ୍ ଫାଟକର ତାଲାକୁ କଟର୍ ମେସିନ୍ ଦ୍ବାରା ଭାଙ୍ଗିବା ପରେ ବ୍ୟାଙ୍କ୍ ଭିତରେ ପଶିଥିଲେ। ଏହା ପରେ ସିସି କ୍ୟାମେରାକୁ ଲୁଟ୍ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ଆଜି ସକାଳେ ପ୍ରଘଟ ହେବା ପରେ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଗାଂଗପୁର ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ଓ ସୁନା ସୁରକ୍ଷିତ ରହିଥିବା ଜଣାପଡ଼ିଛି। ଏନେଇ ଶାଖା ପରିଚାଳକ ବିଶ୍ବନାଥ ପ୍ରଧାନ ଏତଲା ଦେବା ପରେ ଗାଙ୍ଗପୁର ଥାନାରେ ୧୩୫ ଅନୁସାରେ ଏକ ମାମଲା ରୁଜୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିସି କ୍ୟାମେରା ଭଙ୍ଗାଯିବା ପୂର୍ବରୁ ଫୁଟେଜରୁ ମିଳିଥିବା ଫୁଟେଜ୍ ଅନୁସାରେ, ଦୁବୃର୍ତ୍ତମାନେ ବ୍ୟାଙ୍କର ଲୁହା ଫାଟକକୁ କାଟି ଭିତରେ ପଶିଥିଲେ। ଏହା ପରେ ସିସି କ୍ୟାମେରାକୁ ଭଙ୍ଗାଯିବା ସହ ବ୍ୟାଙ୍କରେ ବ୍ୟବହୃତ ୬ କମ୍ପ୍ୟୁଟରର ତାର କାଟି ଦେଇଥିଲେ। ସେଠାରୁ ଲକର୍ ଥିବା କୋଠରିର ତାଲା ଭାଙ୍ଗି ଭିତରେ ପଶିଥିଲେ। କିନ୍ତୁ ଟଙ୍କା ଓ ସୁନା ଲୁଟିବାରେ ବିଫଳ ହେବାରୁ ନଥିପତ୍ରକୁ ଏଣେ ତେଣେ ଫୋପାଡ଼ି ଦେଇ ପଳାଇଥିଲେ। ଆଜି ସକାଳ ୬ଟାରେ ଗ୍ରାମବାସୀ ଏହା ଜାଣିବା ପରେ ଶାଖା ପରିଚାଳକ ଶ୍ରୀ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ। ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲା। ତେବେ ୨ଜଣ ଦୁର୍ବୃତ୍ତ ଭିତରକୁ ଯାଇଥିବା ବେଳେ ଏଥିରେ ଆଉ କିଛି ସ୍ଥାନୀୟ ଯୁବକ ବି ସଂପୃକ୍ତ ଥିବା ଅନୁମାନ କରାଯାଉଛି। ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି।