କରୋନାରେ ଚାଲିଗଲେ ବସନ୍ତ ଦାସ

ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ଲେଖକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସ ଆଉ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ଗତ ୧୬ ତାରିଖରେ କରୋନା ଆକ୍ରାନ୍ତ ହେବା ପରେ ସେ ରାଜଧାନୀରେ ଥିବା ନିଜ ଘରେ ଏକାନ୍ତବାସରେ ରହିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ନିକଟରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନି ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି କରୋନା ନିୟମ ଅନୁଯାୟୀ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ବୋଲି ତାଙ୍କ ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି।

ଓଡ଼ିଶାର ସାହିତ୍ୟ ଓ ସାମ୍ବାଦିକତା ଜଗତରେ ବସନ୍ତ ଦାସ ଏକ ପରିଚିତ ଓ ଶ୍ରଦ୍ଧାଶୀଳ ନାମ। ଅବିଭକ୍ତ କଟକ ଜିଲ୍ଲାର ବିରିଡ଼ି ବ୍ଲକ୍‌ ମଇଁନ୍ଦପୁର ଗ୍ରାମରେ ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରେ ୧୯୪୦ ଜାନୁଆରି ଦୁଇ ତାରିଖରେ ଜନ୍ମ ହୋଇଥିଲେ ବସନ୍ତ। ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ ପରେ ଆଇନ ଅଧ୍ୟୟନ ସମୟରେ ସେ ୧୯୬୪ ମସିହାର ଐତିହାସିକ ଛାତ୍ର ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଲୋଭନୀୟ ସରକାରୀ ଚାକିରିର ମୋହକୁ ଏଡ଼ାଇ ସେ ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ। ୧୯୬୫ ମସିହାରେ ଓଡ଼ିଶାର ଏକମାତ୍ର ଇଂରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍‌ସ୍‌’ରେ ସାମୟିକ ସମ୍ବାଦଦାତା ଭାବେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ୧୯୯୬ ମସିହାରେ ‘ଅମୃତ ବଜାର ପତ୍ରିକା’ର ଓଡ଼ିଶା ବ୍ୟୁରୋ ଚିଫ୍‌ ଭାବେ ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ କରିଥିଲେ। ସାମ୍ବାଦିକତା ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ନିଜ କ‌ଲମ ଚାଳନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଯାଇଛନ୍ତି। ସେ ଲେଖିଥିବା ଷୋଳଖଣ୍ଡ ପୁସ୍ତକ ମଧ୍ୟରୁ ‘ରାଜନୀତିର ଗୋପନ କଥା’ ଓ ଇଂରାଜୀ ପୁସ୍ତକ ‘ଫୁଟ୍‌ ପ୍ରିଣ୍ଟସ୍‌ ଅଫ୍‌ ଇଭେଣ୍ଟଫୁଲ୍‌ ଡେଜ୍‌’ ଆଦି ଓଡ଼ିଶା ରାଜନୀତିର ଦୁଇଟି ଜ୍ବଳନ୍ତ ଦସ୍ତାବିଜ ଭାବେ ବିଚାର କରାଯାଏ। ସେ ଉତ୍ତର କୋରିଆ, ଅବିଭକ୍ତ ସୋଭିଏତ୍‌ ଋଷ, ଇଂଲଣ୍ଡ, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, କାନାଡ଼ା, ଜର୍ମାନୀ ଇଟାଲୀ, ଚେକ୍‌ ରିପ୍ଲବିକ୍‌, ପୋଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ବିଶ୍ବର ୨୦ଟି ରାଷ୍ଟ୍ର ଭ୍ରମଣ କରିଥିଲେ। ତାଙ୍କ ରଚିତ ଭ୍ରମଣ କାହାଣୀ ‘ଯେ ଦେଶ ଯାଇ, ସେ ଫଳ ଖାଇ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ। ସେ ଲେଖିଥିବା ପୁସ୍ତକଗୁଡ଼ିକ ହେଲା, ଜାତୀୟ କବି ବୀରକିଶୋର, ଦେଶପ୍ରେମୀ ନିତ୍ୟାନନ୍ଦ କାନୁନଗୋ, ଜନତାର ନେତା ବୀରେନ୍‌ ମିତ୍ର, ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ, ସ୍ବାଧୀନତା ସଂଗ୍ରାମୀ ବିବୁଧେନ୍ଦ୍ର ମିଶ୍ର, ଓଡ଼ିଶା (ସଂକଳନ), ‘ଓଡ଼ିଶା ରାଜନୀତିର ଗୋପନ କଥା, ‘ଫୁଟ୍‌ ଫ୍ରଣ୍ଟସ୍‌ ଅଫ୍‌ ଇଭେଣ୍ଟଫୁଲ ଡେଜ୍‌, ଅକୁହା କଥା, କଟକ ନଗର ଧବଳ ଟଗର, ଯେ ଦେଶେ ଯାଇ ସେ ଫଳ ଖାଇ, ପ୍ରବନ୍ଧ ପୟୋଧି, ପ୍ଲାଟିନମ୍‌ ଜୁବୁଲି ଅଫ୍‌ ଓଡ଼ିଶା ପଲିଟିକ୍ସ, ଓଡ଼ିଆ ଜାତୀୟତାର ଜନକ ମଧୁସୂଦନ ଓ ବସନ୍ତ ପଞ୍ଚସପ୍ତତି।

ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି: ରାଜ୍ୟପାଳ
ବସନ୍ତ ଦାସଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ବିୟୋଗ ଓଡ଼ିଶା ଲୋକ କ୍ଷେତ୍ରର ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ସ୍ବର୍ଗତ ଦାସଙ୍କ ପରିବାର ଓ ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି।

ସାହିତ୍ୟ ଓ ସାମ୍ବାଦିକତାରେ ଅବଦାନ ପାଇଁ ସେ ସ୍ମରଣୀୟ ରହିବେ: ମୁଖ୍ୟମନ୍ତ୍ରୀ
ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ। ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।

ବସନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ। ଓଡ଼ିଶା ରାଜନୀତିକୁ ନେଇ ତାଙ୍କର ଲମ୍ବା ଅନୁଭୂତି ଆଧାରରେ ସେ ଲେଖିଥିବା ପୁସ୍ତକ ସର୍ବଜନ ଆଦୃତ ହୋଇଥିଲା। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।

ବସନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ମୋର ଅନେକ ବନ୍ଧୁ ମୋତେ ଏକା କରି ଏବେ ଜଣେ ପରେ ଜଣେ ଦୂରେଇ ଯାଉଛନ୍ତି I ତାହା ମୋତେ ଅତ୍ୟନ୍ତ ମର୍ମାହିତ କରିଛି। ସ୍ବର୍ଗତ ବସନ୍ତ ବାବୁ ମୋର ପିଲା ବେଳରୁ ଘନିଷ୍ଠ ବନ୍ଧୁ ଥିଲେ। ତାଙ୍କ ବିଷୟରେ କହିବାକୁ ଯେପରି ମୋ ପାଖରେ ଶବ୍ଦ ନାହିଁ। ସାମ୍ବାଦିକତା କ୍ଷେତ୍ରରେ ବସନ୍ତ ବାବୁଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ୫୦ ବର୍ଷରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ରହି ତାଙ୍କ ଲେଖନୀ ଦ୍ୱାରା ବହୁ ଲୁଚି ଯାଇଥିବା ଘଟଣାକୁ ଲୋକଲୋଚନକୁ ଆଣିଥିଲେ ଏବଂ ବହୁ ପୁରସ୍କାରରେ ସମ୍ମାନିତ ହେବା ସହ ପ୍ରଶଂସା ସାଉଁଟିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସ୍ବର୍ଗତ ଦାସ ଜଣେ ଖାଲି ବରିଷ୍ଠ ସାମ୍ବାଦିକ ନଥିଲେ ଜଣେ ସୁନାମଧନ୍ୟ ରାଜନୈତିକ ବିଶ୍ଳେଷକ ଭାବେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ଓଡ଼ିଶା ରାଜନୀତିକୁ ଜାଣିବା ପାଇଁ ହେଲେ ସ୍ବର୍ଗତ ଦାସଙ୍କ ଦ୍ବାରା ଲିଖିତ ବିଭିନ୍ନ ପୁସ୍ତକ ପଢ଼ିବା ଏକାନ୍ତ ଆବଶ୍ୟକ। ତାଙ୍କ ପତ୍ନୀ, ପୁତ୍ର, ପୁତ୍ରବଧୂଙ୍କୁ ସମବେଦନା ଜଣାଇବା ସହିତ ସାହାସର ସହିତ ପରିବାର ବର୍ଗ ଭବିଷ୍ୟତର ସାମନା କରିବେ ବୋଲି ଶ୍ରୀ ମିଶ୍ର ଆଶା କରିଛନ୍ତି।

କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶୋକ
ବସନ୍ତ ଦାସଙ୍କ ତିରୋଧାନରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଶୋକ ପ୍ରକାଶ କରି କହିଛନ୍ତି, ଦାସ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବ କାଳଧରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସେବା କରି ଆସୁଥିଲେ। ତାଙ୍କର ଦୂରଦୃଷ୍ଟି ଓ ବିଚାରଧାରା ତାଙ୍କୁ ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ସାରସ୍ବତ ସାଧକଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ସାଧନ କରିଛି। ସେହିପରି ବିଶିଷ୍ଟ ସଙ୍କଳକ ଓ ଲେଖକ ନୃସିଂହ ଚରଣ ସାହୁ ମଧ୍ୟ,ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର