ବିଡିଓଙ୍କୁ ଅପହରଣ, ୪ ଘଣ୍ଟା ପଣବନ୍ଦୀ; ଚୁକ୍ତିନାମା ଲେଖାଇ ରଖିଲେ, ପୁଲିସ ଉଦ୍ଧାର କଲା

ବ୍ଲକ ଅଫିସ୍‌ରେ କ୍ୟାମ୍ପ୍‌ ପକାଇଥିଲେ ଜିଲ୍ଲାପାଳ, ପିଡି

ପାତ୍ରପୁର : ଭୋଟର୍‌ ତାଲିକାରୁ ଯେପରି କୌଣସି ନାଗରିକଙ୍କ ନାଁ ବାଦ୍‌ ନପଡ଼େ ସେଥିପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି। କିନ୍ତୁ ପ୍ରତି ନିର୍ବାଚନରେ ବହୁ ନାଗରିକଙ୍କ ନାମ ଭୋଟର୍‌ ତାଲିକାରେ ନଥିବାରୁ ସେମାନେ ଭୋଟ୍‌ଦାନ ଭଳି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗାଁ ଧାଡ଼ିଆମ୍ବ ଗ୍ରାମବାସୀ ବିଡିଓଙ୍କୁ ଅପହରଣ କରି ନେଇଥିଲେ। ବିଡିଓଙ୍କୁ ପ୍ରାୟ ଚାରି କିଲୋମିଟର ଚଲାଇ ନେଇ ଗାଁରେ ଅଟକ ରଖିଥିଲେ। ଖବର ପାଇ ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ଫୋର୍ସ ନେଇ ଗାଁରେ ପହଞ୍ଚିଥିଲେ। ଭୋଟର୍‌ ତାଲିକାରୁ ନାମ କଟିଥିବାରୁ ଯୋଗୁଁ ଗ୍ରାମବାସୀ ଯେପରି କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନହେବେ , ସେ ନେଇ ଚୁକ୍ତିନାମା ହୋଇଥିଲ‌ା। ପାତ୍ରପୁର ବିଡିଓ ଚୁକ୍ତିନାମାରେ ସ୍ବାକ୍ଷର କରିବାପରେ ଗ୍ରାମବାସୀ ତାଙ୍କୁ ଛାଡ଼ିଥିଲେ। ପ୍ରାୟ ୪ଘଣ୍ଟା ପରେ ବିଡିଓ ସୁରକ୍ଷିତ ଅବସ୍ଥାରେ ଗ୍ରାମବାସୀଙ୍କ କବ୍‌ଜାରୁ ମୁକୁଳିଥିଲେ।

ଗଞ୍ଜାମ ଜିଲ୍ଲାରେ ଗତ ୨୦ତାରିଖରେ ତୃତୀୟ ପର୍ଯ୍ୟାୟରେ ପାତ୍ରପୁର ବ୍ଲକ ବାସିନ୍ଦା ମତଦାନ କରିଥିଲେ। ଭୋଟର୍‌ ତାଲିକାରେ ନାମ ବାଦ୍‌ ପଡ଼ିବାରୁ ଧାଡ଼ିଆମ୍ବ ଗାଁର ୭୦ରୁ ଊର୍ଦ୍ଧ୍ବ ଭୋଟର୍‌ ଭୋଟ ଦେଇପାରିବେ ନାହିଁ ବୋଲି ସେହିଦିନ ଜାଣିବାକୁ ପାଇଥିଲେ। ସେ ନେଇ ଗ୍ରାମବାସୀ ପ୍ରିଜାଇଡିଂ ଅଫିସର୍‌ଙ୍କୁ ଘେରାଉ କରିଥିଲେ। ଖବର ପାଇ ତହସିଲଦାର ଅମିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଆଦିବାସୀ ଗ୍ରାମବାସୀ ଅଟକ ରଖିଥିଲେ। ଘଟଣାସ୍ଥଳରେ ଜରଡ଼ା ଥାନା ଅଧିକାରୀ ସଦଳବଳ ପହ‌ଞ୍ଚି ବୁଝାସୁଝା କରି ମତଦାନ କାର୍ଯ୍ୟ ସ୍ବାଭାବିକ କରାଇଥିଲେ। ଆଜି ଭୋଟଦାନରୁ ବଞ୍ଚିତ ହୋଇଥିବା ଧାଡ଼ିଆମ୍ବ ଗ୍ରାମବାସୀ ବିଡିଓ ପ୍ରକାଶ କୁମାର ଦାସଙ୍କୁ ଅପହରଣ କରି ନେଇଥିଲେ। ବିଡିଓ ଶ୍ରୀ ଦାସ ତୁମ୍ବା ଲିମେଶ୍ବରୀ ବିଦ୍ୟାପୀଠର ରୂପାନ୍ତରୀକରଣ କାର୍ଯ୍ୟ ତଦାରଖ କରି ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ତାଙ୍କର ସରକାରୀ ଗାଡ଼ିରେ ଫେରୁଥିବା ବେଳେ ଗୋପୀନାଥପୁର ଛକ ନିକଟରେ ଧାଡ଼ିଆମ୍ବ ଗ୍ରାମବାସୀ ତାଙ୍କୁ ଅଟକାଇଥିଲେ। ଗାଡ଼ିରୁ ଓହ୍ଲାଇ ବିଡିଓଙ୍କୁ ପ୍ରାୟ ଚାରି କିଲୋମିଟର ଚଲାଇ ଗାଁକୁ ନେଇଥିଲେ।

ବିଡିଓଙ୍କ ସହିତ ଥିବା ଅନ୍ୟ କର୍ମଚାରୀଙ୍କ ଠାରୁ ଖବର ପାଇ ପୁଲିସ ଓ ବ୍ଲକର ଅନ୍ୟାନ୍ୟ ଅଧିକାରୀ ତୁରନ୍ତ ଧାଡ଼ିଆମ୍ବ ଗାଁରେ ପହଞ୍ଚିଥିଲେ। ଆଦିବାସୀ ଗ୍ରାମବାସୀ ଭୋଟର୍‌ ତାଲିକାରେ ନାମ ଯୋଡ଼ିବା ସହ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ଅଡ଼ି ବସିଥିଲେ। ପୁଲିସ ଉପସ୍ଥିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମବାସୀ ଓ ବ୍ଲକର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ। ହେଲେ କୌଣସି ସମାଧାନ ବାଟ ଫିଟି ନଥିଲା। ଶେଷରେ ଆପୋସ ଆଲୋଚନା କରି ଏକ ଚୁକ୍ତିନାମା କରାଯାଇଥିଲା।

ସମ୍ବନ୍ଧିତ ଖବର