ନୋ ବେଗିଂ ଜୋନ୍‌ରେ ଭିକ୍ଷାବୃତ୍ତି : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବସୁଛନ୍ତି ମାଳମାଳ ଭିକାରି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧି ଭିତରେ କେହି ଭିକ୍ଷାବୃତ୍ତି କରିପାରିବେନି। ସମସ୍ତ ଭିକାରିଙ୍କୁ ଥଇଥାନ କରାଯିବ। ଫଳରେ ଭିକ୍ଷାବୃତ୍ତିକୁ ନେଇ ଭକ୍ତଙ୍କ ମନରେ ସୃଷ୍ଟି ହେଉଥିବା ନକରାତ୍ମକ ଭାବନା ଦୂର ହେବ। ଏମିତି କିଛି ମହତ୍‌ ଉଦ୍ଦେଶ୍ୟ ନେଇ ମାସକ ତଳେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଭିକାରିଙ୍କୁ ତଡ଼ିଥିଲେ। ସିଂହଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ୍ ପକାଇ ଏହାକୁ ନୋ ବେଗିଂ ଜୋନ୍ ଘୋଷଣା କରିଥିଲେ। କେବଳ ଭିକ୍ଷାବୃତ୍ତି ନୁହେଁ, ଉଠା ଦୋକାନୀଙ୍କ ଉପରେ ବି ରୋକ୍ ଲଗାଯାଇଥିଲା। ଉଠା ଦୋକାନୀମାନେ ବ୍ୟାରିକେଡ୍ ବାହାରେ ବ୍ୟବସାୟ କରିବାକୁ ପ୍ରଶାସନ ନିର୍ଦେଶ ଦେଇଥିଲା। ସେହି ଅନୁଯାୟୀ ଉଠା ଦୋକାନୀଙ୍କ ପାଇଁ ଜାଗା ବି ଚିହ୍ନଟ ହୋଇଥିଲା।

Odisha Sun Times

ତେବେ ମାସେ ବ୍ୟବଧାନ ପରେ ପୁଣି ପୂର୍ବାବସ୍ଥା ଫେରିଆସିଛି। ଓଲଟା ଯେଉଁ ଭିକାରିମାନେ ସିଂହଦ୍ବାର ସମ୍ମୁଖରେ ନ ବସି ମଙ୍ଗୁ ମଠ ପାଖ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିଲେ, ସେମାନେ ଏବେ ସିଧାସଳଖ ସିଂହଦ୍ବାର ସମ୍ମୁଖରେ ଭିକ୍ଷାବୃତ୍ତି କରୁଛନ୍ତି। ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଭିକାରି ଏଠାରେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି। କେବଳ ଶ୍ରୀମନ୍ଦିର ବାହାରେ ନୁହେଁ, ଶ୍ରୀମନ୍ଦିର ଭିତରେ ମଧ୍ୟ ଭିକାରିମାନେ ଭିକ୍ଷାବୃତ୍ତି କରୁଛନ୍ତି। ଶ୍ରୀମନ୍ଦିର ଭିତରେ ଭିକାରିଙ୍କୁ ତଡ଼ିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ କରିଛନ୍ତି। କିନ୍ତୁ ଏହି କର୍ମଚାରୀମାନେ ସେମାନଙ୍କ କାମ ଠିକ ଭାବେ କରୁନାହାନ୍ତି। ଯେଉଁଥି ପାଇଁ ଏମାନେ ଶ୍ରୀମନ୍ଦିର ଭିତରେ ଭିକ୍ଷାବୃତ୍ତି ପାଇଁ ସାହସ କରୁଛନ୍ତି। ସେପଟେ ଭକ୍ତଙ୍କ ମନରେ ଏହା ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ନୋ ବେଗିଂ ଜୋନ୍‌ର ଯେଉଁ ଯୋଜନା ପ୍ରସ୍ତୁତ କରି ଭିକାରିମାନଙ୍କୁ ୭୫ ମିଟର ବାହାରକୁ ତଡ଼ିଥିଲା, ତାହା ଏକପ୍ରକାର ବିଫଳ ହୋଇଛି।

ସମ୍ବନ୍ଧିତ ଖବର