ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ହତ୍ୟା ଘଟଣା : ପୁଲିସ ଚକ୍ରବ୍ୟୁହରେ ମୁଖ୍ୟ ଅଭିଯୁକ୍ତ ସମେତ ୭

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚି ସାରିଛି। ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବି ପୁଲିସ ଚକ୍ରବ୍ୟୁହରେ ଫସି ରହିଛି। ଗାଙ୍ଗପୁର ଥାନା ଇଲାକାରୁ ପୁଲିସ ଗତକାଲି କାବୁ କରିଥିବା ୩ ଅଭିଯୁକ୍ତଙ୍କ ସମେତ ସମୁଦାୟ ୭ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୁକ୍ତଙ୍କ ପାଖରୁ ୩ଟି ପିସ୍ତଲ ମଧ୍ୟ ପୁଲିସ ଜବତ କରିଥିବା କୁହାଯାଉଛି। ଅତିରିକ୍ତ ଏସ୍‌.ପି. ଠାକୁର ପ୍ରାସଦ ପାତ୍ର ବେଗୁନିଆପଡ଼ା ଠାରେ ଡେରା ପକାଇ ତଦନ୍ତ ଚଳାଇଛନ୍ତି। ତେବେ ଅଭିଯୁକ୍ତ ପିସ୍ତଲ କେଉଁଠୁ ଆଣିଲେ, କାହା ଠାରୁ ଆଣିଲେ ଓ ଏ ‌ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ମାରାଥନ୍‌ ଜେରା କରି ତାହାର ଖୋଳତାଡ଼ କରୁଛି। ପୂରା ଘଟଣାର ରହସ୍ୟ ଭେଦ କରିବାକୁ ପୁଲିସ ଅପେକ୍ଷା କରିଥିବା ବେଳେ ଆଉ ଦିନେ ଦୁଇ ଦିନ ମଧ୍ୟରେ ଗଞ୍ଜାମ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବ ବୋଲି ସୂଚନା ମିଳିଛି।

ପୁଲିସ ତଦନ୍ତ ଚେର ପାଇଲା କେଉଁଠୁ? ରହସ୍ୟ ଖୋଜିବାରେ ସହାୟକ ହୋଇଥିଲା ଗତ ଡିସେମ୍ବେର ୧ ତାରିଖ ଖଲ୍ଲିକୋଟ ଥାନା ମାଣିକପୁର ଗାଁରେ ଜିତେନ୍ଦ୍ର ବାରିକଙ୍କୁ ତାଙ୍କ ବିବାହ ପୂର୍ବ ରାତିରେ ଗୁଳି ଘଟଣା। ଜିତେନ୍ଦ୍ରଙ୍କୁ ଗୁଳି ଘଟଣାର କିଛି ମାସ ପୂର୍ବରୁ ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଖଲ୍ଲିକୋଟ ତୋଟାଗାଁ ଛକରେ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଗୁଳି ହୋଇଥିଲା। ଗତ ନଭେମ୍ବର ୨୯ରେ ଆସିକା ଥାନା ପୁଲିସ ଏକ ୮ଜଣିଆ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍‌କୁ ଧରିଥିଲା। ସେମାନଙ୍କ ଠାରୁ ୧୦ଟି ବନ୍ଧୁକ, ୫୩ ରାଉଣ୍ଡ୍‌ ଗୁଳି ଓ ୧୨ ବୋମା ଜବତ ହୋଇଥିଲା। ଏତେ ସଂଖ୍ୟକ ବନ୍ଧୁକ ଅପରାଧୀମାନେ କେଉଁଠି ଆଣିଥିଲେ, ଏହାର ଖୋଳତାଡ଼ କରୁ କରୁ ଅପରାଧୀମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣିଥିବା ସ୍ବୀକାର କରିଥିଲେ। ଦେବରାଜ ହତ୍ୟା ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଯେଉଁ ବନ୍ଧୁକ ମିଳିଛି ତାହା କେଉଁଠୁ ଆଣିଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ। ଏଥିସହ ଦେବରାଜଙ୍କୁ ହତ୍ୟା ପଛରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ହତ୍ୟା ଲାଗି କେବେ ଠାରୁ ଯୋଜନା ହୋଇଥିଲା ଏସବୁ ଦିଗ ଉପରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର