ଲକଡାଉନରେ ସମ୍ବଲପୁରରେ ଫସିଥିଲେ ବଙ୍ଗଳା ଯୁବତୀ, ୮ ମାସ ପରେ ମା’ ସହିତ ଭେଟ

ସମ୍ବଲପୁର : ଲକଡାଉନରେ ସମ୍ବଲପୁରରେ ଫସି ଯାଇଥିଲେ ପଶ୍ଚିମବଙ୍ଗର ଯୁବତୀ। ୮ ମାସ ପରେ ତାଙ୍କ ମା’ ତାଙ୍କୁ ଭେଟି ଖୁସିରେ ବିଭୋର ହୋଇ କାନ୍ଦି ପକାଇଥିଲେ। ମା-ଝିଅ ପରସ୍ପରକୁ ଦେଖି ଏଭଳି ଭାବପ୍ରବଣ ହୋଇ ଯାଇଥିଲେ ଯେ କିଏ କାହାକୁ ବୁଝାଇବ ଜଣାପଡ଼ୁ ନଥିଲା।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ବସଧୋବିର ତାପସୀ ଘୋଷ(୨୦)ଙ୍କ ସାମାନ୍ୟ ମାନସିକ ସମସ୍ୟା ରହିଛି। ଏଥି ଯୋଗୁଁ ଗତ ମାର୍ଚ୍ଚ ମାସରେ ସେ ଅଚାନକ ଘରୁ ଚାଲି ଆସିଥିଲେ। ଲକଡାଉନ ସମୟରେ ସେ ସମ୍ବଲପୁର ରେଳ ଷ୍ଟେସନରେ ଥିଲେ। ଲକଡାଉନ ଯୋଗୁଁ ପରିବାର ଲୋକେ ନିଜ ଝିଅକୁ ଖୋଜି ନପାରି ହତାଶ ହୋଇ ସାରିଥିଲେ। ଏଣେ ତାପସୀ ମଧ୍ୟ ରେଳ ଷ୍ଟେସନରେ ଅନ୍ୟ ଯାତ୍ରୀଙ୍କ ସହିତ ରହିଥିଲେ। ଲକଡାଉନ କୋହଳ ହେବା ପରେ ସମସ୍ତେ ନିଜ ଘରକୁ ଫେରି ଯାଇଥିଲେ ହେଁ ତାପସୀ ଏଠାରେ ରହିଥିଲେ। ସେପ୍ଟେମ୍ବର ୧୬ ତାରିଖରେ ଲୋକୋ ପାଇଲଟ ଶିବ ସୁନ୍ଦର ଦାସ ତାଙ୍କୁ ସହର ସ୍ଥିତ ମିସନ ଅଫ ଚାରିଟିରେ ଥଇଥାନ କରିଥିଲେ। କିଛି ଦିନ ପୂର୍ବରୁ ତାପସୀ ନିଜ ଘର ଠିକଣା କହିଥିଲେ। ସାମାଜିକ ସଙ୍ଗଠନ ପରିଚୟ ପକ୍ଷରୁ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଥିଲା। ପରିବାର କୃଷି ଶ୍ରମିକ ଏବଂ ଅତି ଗରିବ। ଝିଅ ବିଷୟରେ ଜାଣି ସେମାନେ ଖୁସିରେ ଆତ୍ମହରା ହୋଇଥିଲେ ବି ସମ୍ବଲପୁର ଆସିବାକୁ ଅର୍ଥ ନଥିଲା। ପରିଚୟର ବିପିନ ପଣ୍ଡା ତାଙ୍କ ଟିକେଟ ବ୍ୟବସ୍ଥା କରିଥିଲେ। ଆଜି ତାପସୀଙ୍କ ମା’ ସୁଚିତ୍ରା ସମ୍ବଲପୁର ଆସି ମିସନ ଅଫ ଚାରିଟିରୁ ନିଜ ଝିଅଙ୍କୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର