ଭରତପୁର କୋଇଲା ଖଣି ଦୁର୍ଘଟଣା : ୪୮ ଘଣ୍ଟା ପରେ ବି ୩ ଶ୍ରମିକଙ୍କ ପତ୍ତା ମିଳୁନି, ମୁତୟନ ହେଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ, ଦୁର୍ଘଟଣାସ୍ଥଳରେ ଖଣି ସୁରକ୍ଷା ନିର୍ଦ୍ଦେଶକ, ଶ୍ରମିକଙ୍କ ସୁରକ୍ଷା ଦାବିରେ ବିଜେପିର ଖଣି ବନ୍ଦ ଆନ୍ଦୋଳନ

ତାଳଚେର : ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଭରତପୁର କୋଇଲା ଖଣି‌େର ପ୍ରାୟ ଶହେ ଫୁଟ ଉଚ୍ଚର ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ଶ୍ରମିକମାନଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ସନ୍ଧ୍ୟା‌ ସୁଦ୍ଧା ଜଣେମାତ୍ର ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ ଅନ୍ୟୂନ ତିନିଜଣ ଶ୍ରମିକ ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଭରତପୁର କୋଇଲା ଖଣି‌େର ଏକ ମାଟି ଓ କୋଇଲା (ଓଭରବର୍ଡନ) ଗଦା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଅନ୍ୟୂନ ଚାରିଜଣ କାର୍ଯ୍ୟରତ ଶ୍ରମିକଙ୍କ ସହ ଏକାଧିକ ଗାଡ଼ିମଟର, କୋଇଲା ଉତ୍ତୋଳନ ଯନ୍ତ୍ର ଚାପି ହୋଇ ରହିଥିଲା। ଏମ୍‌ସିଏଲ୍‌ର ଏକ ଉଦ୍ଧାରକାରୀ ଦଳ ଗତକାଲି ଅପରାହ୍ଣ ସୁଦ୍ଧା ଏହି ମାଟି, କୋଇଲା ଗଦାରୁ ଜଣେମାତ୍ର ଶ୍ରମିକଙ୍କୁ ମୃତାବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମୃତ ଶ୍ରମିକ ହେଲେ, ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ପପୁନ୍ ବିଶ୍ୱାଳ। ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷା ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସି ରାଜକିଶୋର ମହାପାତ୍ରଙ୍କର କୌଣସି ପତ୍ତା ମିଳିନାହିଁ ।

ଗତ ରାତିରେ ଜିଲ୍ଳା ପ୍ରଶାସନର ଅନୁରୋଧ କ୍ରମେ ଏନ୍‌ଡିଆର୍ଏଫ୍‌ର ଏକ ୯ ଜଣିଆ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବର୍ଷା ଯୋଗୁଁ ଆଜି ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ରାଞ୍ଚିସ୍ଥିତ ଖଣି ସୁରକ୍ଷା ନିର୍ଦ୍ଦେଶକ ସୁବ୍ରତ ବାଗ୍‌ଚି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏମ୍‌ସିଏଲର ଡିଟି ଓପି ସିଂହ, ଡିପି କେ ଆର ବାସୁଦେବନ, ଭରତପୁର କ୍ଷେତ୍ର ପ୍ରବନ୍ଧକ ମୁରାରୀ ମିଶ୍ର, ଉପଜିଲ୍ଳାପାଳ ପରେଶ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ସାହାଯ୍ୟ ଭାବେ ୫ ଲକ୍ଷ ଟଙ୍କା ସହିତ କର୍ମଚାରୀ କ୍ଷତିପୂରଣ ନିୟମ, ଗ୍ରାଚ୍ୟୁଇଟି ନିୟମ ଓ ପ୍ରୋଭିଡେଣ୍ଟ ଫଣ୍ଡ ନିୟମ ଅନୁଯାୟୀ ସମସ୍ତ ସହାୟତା ସହିତ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଏମ୍‌ସିଏଲ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ଦାବି କରି ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର