ଅଗଷ୍ଟ୧ରୁ ଖୋଲିବ ଭିତରକନିକା

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଜାତୀୟ ଉଦ୍ୟାନରେ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ ମାସ ଧରି ବନ୍ଦ ରଖାଯାଇଥିଲା।

ବଉଳା କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇଥା’ନ୍ତି। ଏହି ସମୟରେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଭିତରକନିକାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଚଳିତ କୁମ୍ଭୀର ପ୍ରଜନନ ଋତୁରେ କେବଳ କନିକା ରେଂଜ୍‌ରେ ୯୨ଟି ବସା କରି ଅଣ୍ତା ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ବସା ଜୁଆରରେ ନଷ୍ଟ ହୋଇଯିବାରୁ ସେଥିରୁ ୩୨ଟି ଅଣ୍ତା ସଂଗ୍ରହ କରାଯାଇ ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖାଯାଇଛି। ଏହାବାଦ୍‌ ଚଳିତବର୍ଷ ବିରଳ ଧଳା କୁମ୍ଭୀର ଗୋରୀ ୨୮ଟି ବା’(ଛୁଆ ଫୁଟୁ ନ ଥିବା) ଅଣ୍ତା ଦେଇଥିଲା। ଦୀର୍ଘ ୩ ମାସ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି ବନବିଭାଗ ଓ ସ୍ଥାନୀୟ ଅଧିବାସୀ ଆଶା ରଖିଛନ୍ତି। ଏବେ ଭିତରକନିକା ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଏବେ ସୁଦ୍ଧା ୬୦ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ଭିଡ଼ ଜମାଇଛନ୍ତି। ବର୍ଷା ନ ଥିବାରୁ ପକ୍ଷୀଙ୍କ ସଂଖ୍ୟା କମ ଥିଲା। ବର୍ଷା ହେବା ପରେ ପକ୍ଷୀସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର