ଚିହ୍ନ ହଜିଯାଉଛି, ସ୍ମୃତି ବଞ୍ଚିଛି : ବିଜୁ ବାବୁଙ୍କୁ ଆଜି ବି ଝୁରୁଛି ଜନ୍ମମାଟି

ଭଞ୍ଜନଗର : ନବ କଳିଙ୍ଗର ଐର ଖାରବେଳ, କଳିଙ୍ଗ ବୀର, ଝଡ଼ର ଇଗଲ୍‌, ଉତ୍କଳ ମାଟିର ବୀରପୁତ୍ର ଏଭଳି ଅନେକ ପରିଚୟ ଥିଲେ ମଧ୍ୟ ଓଡ଼ିଶାର ପ୍ରତିଟି ଜନମାନସରେ ସେ ବିଜୁ ବାବୁ ଭାବେ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜାତି ଆଉ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ସହ ଜାତୀୟ ରାଜନୀତିର ଅପ୍ରତିଦ୍ବନ୍ଦ୍ବୀ ଜନପ୍ରତିନିଧି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଓଡ଼ିଶାର ଜନମାନସର ନେତା ବିଜୁ ପଟ୍ଟନାୟକଙ୍କୁ ଆଜି ବି ଝୁରୁଝି ତାଙ୍କ ପୈତୃକ ଗାଁ। ଚିହ୍ନ ଲିଭିଯାଉଛି, ହେଲେ ପରିବାରବର୍ଗଙ୍କ ମନରେ ସ୍ମୃତି ସତେଜ ହୋଇ ରହିଛି। ଓଡ଼ିଶାର ନାମକୁ ସାର ବିଶ୍ବରେ ପରିଚିତ କରାଇଥିବା ବିଜୁ ବାବୁଙ୍କ ପୈତୃକ ଗାଁ ଜି.ନୂଗାଁରେ ଥିବା ଘର ଆଜି ଭୂତକୋଠି ପାଲଟିଗଲାଣି। ପ୍ରଶାସନ ଏହାର ସ୍ମୃତିରକ୍ଷା ପାଇଁ କେବେ ଉତ୍ସାହ ଦେଖାଇନାହିଁ। ଏମିତି ବର୍ଷ ବର୍ଷ ବିତି ଯାଇଛି, କିନ୍ତୁ କୌଣସି ପ‌ଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ମାର୍ଚ୍ଚ ୫ ସାରା ରାଜ୍ୟରେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ଶ୍ରୀ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ତାଙ୍କର ଜୀବନର ବହୁ ସମୟ କାଟିଥିବା ଏହି ଘର ପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ। ଯାହା ଆଜି ତାଙ୍କର ସ୍ମୃତିର ସନ୍ତକ ଭାବେ ଛିଡ଼ା ହୋଇ ରହିଛି।
ବିଜୁ ବାବୁଙ୍କ ପାରିବାରିକ, ସାମାଜିକ ଓ ରାଜନୈତିକ ଜୀବନ ସହିତ ଗଞ୍ଜାମ ଜିଲ୍ଲା ଜଡ଼ିତ ହୋଇ ରହିଛି। ସେଥି ମଧ୍ୟରେ ପୈତୃକ ଗ୍ରାମ ଜି.ନୂଆଗାଁରେ ତାଙ୍କରି ବହୁ ସମୟ ବିତିଥିବା ବେଳେ ବହୁ ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି। ଜିଲ୍ଲାକୁ ଆସିଲେ ଘରକୁ ଆସୁଥିଲେ। ରହିବା ପାଇଁ ବଡ଼ନଦୀ ତଟରେ ସୁନ୍ଦର ଘର କରିଥିଲେ। ପ୍ରାୟ ସମୟ‌ରେ ନିଜ‌େ ଏକୁଟିଆ ବି ସାଇକେଲ ଧରି ବୁଲୁଥିଲେ। ସବୁ ଗୁଣରେ ପାରଙ୍ଗମ ଥିଲେ ବିଜୁ ବାବୁ। ହେଲେ ବର୍ତ୍ତମାନ ଦୟନୀୟ ଅବସ୍ଥାରେ ରହିଛି ବିଜୁ ବାବୁଙ୍କ ପୈତୃକ ଗୃହ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ୍ ଅଧୀନ ଘୁମୁସର ନୂଆଗାଁରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବଜଙ୍କ ଘର। ଯେଉଁ ଘରରେ ରହିଛି ବିଜୁ ବାବୁଙ୍କ ବହୁ ସ୍ମୃତି। ସ୍ବର୍ଗତ ବିଜୁ ବାବୁ ନିଜ ଗାଁକୁ ବହୁବାର ଆସୁଥିଲେ। ନିଜ ବଡ଼ବାପା ପୁଅ ଭାଇଙ୍କୁ ମିଶିବା ସହ ଗାଁରେ ବୁଲାବୁଲି କରୁଥିଲେ। ଏଥିସହ ବହୁତ ଲୋକ‌େ ସେଠାକୁ ଆସି ବିଜୁ ବାବୁଙ୍କୁ ନିଜ ଗୁହାରୀ ଜଣାଉଥିଲେ। ତାଙ୍କ ପାଇଁ ନିର୍ମିତ ଗୃହ ଆଜି ଅଲୋଡ଼ା ହୋଇ ପଡ଼ିଛି। ସରକାରଙ୍କ ପକ୍ଷରୁ ଏଠାରେ ବିଜୁ ବାବୁଙ୍କ ସ୍ମୃତି ଭବନ କରିବାକୁ ଦାବି ହୋଇଆସୁଛି।
ବିଜୁ ବାବୁଙ୍କ ସାନ ବାପା ପୁଅ ଭାଇ ବିନାୟକ ପଟ୍ଟନାୟକ ଓ ଭଗବାନ ପଟ୍ଟନାୟକ ଜି.ନୂଆଗାଁରେ ରହୁଥିଲେ। ଭଗବାନ ପଟ୍ଟନାୟକଙ୍କ ପୁଅ ପ୍ର‌ମୋଦ ପଟ୍ଟନାୟକଙ୍କ କହିବାନୁଯାୟୀ, ବିଜୁ ବାବୁ ଆସିବା ସମୟରେ ସେତବେଳେ ଗାଁରେ ସମସ୍ତଙ୍କ ଚାଳ ଘର ଥିଲା। ସେଥିପାଇଁ ସେଠାରେ ରହିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରିବାକୁ ଭାଇ ବିନାୟକଙ୍କୁ କହିଥିଲେ। ଏହାପରେ ସେଠାରେ ବିନା ପିଲର୍‌ରେ କେବଳ ଲୁହା ପାଇପ ସାହାଯ୍ୟରେ ଇଟା କାନ୍ଥରେ ଘର ନିର୍ମାଣ କରା ଯାଇଥିଲା। ଉପରେ ଛାତ ବଦଳରେ ପଡ଼ିଥିଲା ଆଜବେଷ୍ଟସ୍‌। ସେଠାରେ ଆଧୁନିକ ଭାବ‌େ ୫ଟି ବେଡ୍‌ରୁମ, ରୋଷେଇ ଗୃହ, ମଝିରେ ଅଗଣା, ଗୃହପାଳିତ ପଶୁ ପାଇଁ ଗୃହ ସମେତ ବହୁ ଗୃହ ନିର୍ମାଣ କରିଥିଲେ। ଖାସ୍‌ କରି ବିଜୁବାବୁଙ୍କ ପାଇଁ ଘରର ଦ୍ବାରବନ୍ଧ ଗୁଡ଼ିକ ବହୁତ ଉଚ୍ଚ ମଧ୍ୟ କରା ଯାଇଥିଲା। କାଠର ତିଆରି ଖଟ ଓ ବିଭିନ୍ନ ଆସବାବପତ୍ର ରହିଥିଲା। ବିଜୁ ବାବୁ ‌ଏଠାରେ ବହୁ ଦିନ ରହୁଥିବା ବ‌େଳେ କେତେକ ପର୍ବପର୍ବାଣୀରେ ମଧ୍ୟ ଯୋଗ ଦେଇଛନ୍ତି। ଏଥିସହ ବହୁ ରାଜନେତା ମଧ୍ୟ ଆସି ଏଠାରେ ବିଭିନ୍ନ ସମୟରେ ଅଲୋଚନା କରିବା ସହ ବହୁ ଲୋକ ସାକ୍ଷାତ କରି ଯାଇଛନ୍ତି। ଏଥିସହ ସେ ଏହି ଅଞ୍ଚଳର ବହୁ ବ୍ୟକ୍ତିଙ୍କୁ ସହାୟତା କରିବା ସହ ପରିବାରର କେତେକ ଭାଇଙ୍କୁ ପାଠପଢ଼ା ସମେତ ଅନେକ ସମୟରେ ସାହାଯ୍ୟ କରିଥି‌ଲେ। ଏଥିସହ ଏହି ଅଞ୍ଚଳର ବିକାଶରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା। ଗାଁକୁ କେବେ‌ ବି ଭୁଲି ନପାରିବା ନେଇ ‌ବିଜୁ ବାବୁ ପ୍ରକାଶ କରୁଥିଲେ ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି।
ଏହି ଗ୍ରାମରେ ଥିବା ପୁରାତନ ଘରକୁ ମରାମତି କରି ପ୍ରମୋଦ ରହୁଥିବା ବ‌େଳେ ଅନ୍ୟ ଭାଇ ଓ ସମ୍ପର୍କୀୟମାନେ ଗାଁ ଛାଡି ବାହାରକୁ ଚାଲି ଯାଇଛନ୍ତି। ପୁରାତନ ଘର ପାର୍ଶ୍ବରେ ବିଜୁ ବାବୁ ବ୍ୟବହାର କରୁଥିବା ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବିଜୁ ବାବୁଙ୍କ ମୃତ୍ୟୁ ପରେ କେବଳ ଗୋଟିଏ‌ ଥର ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସାଂସଦ ଥିବା ସମୟରେ ଗାଁକୁ ଆସିଥିଲେ। ସେ ସମୟରେ ଗାଁକୁ ଯାଇ ଗ୍ରାମାବାସୀଙ୍କ ସହିତ ମିଶି ଆଲୋଚନା କରିଥିଲେ। ‌ଘରେ ଖାଇବା ସହ ସେଠାରେ ଦିନ ତମାମ କାଟିଥିଲେ। ଆଜି ମଧ୍ୟ ସେ ସମୟର ବହୁତ ଫଟୋ ଘରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ବହୁ ଫଟୋ ରହିଛି। ଏଥିସହ ସେ ସମୟର ଚିଠି ମଧ୍ୟ ପରିବାରବର୍ଗ ସାଇତି ରଖିଥିବା ଦେଖିବକୁ ମିଳିଛି। କିନ୍ତୁ ତା’ ପରଠାରୁ ମୁଖ୍ୟମନ୍ତ୍ରୀ ବହୁବାର ଭଞ୍ଜନଗର ଗସ୍ତରେ ଆସିଥିଲେ ମଧ୍ୟ ଗ୍ରାମକୁ ଯାଇନାହାନ୍ତି। କିନ୍ତୁ ବିଜୁ ବାବୁଙ୍କ ସ୍ମୃତି ହୋଇ ରହିଥିବା ଗୃହ ଆଜି ବି ଅଲୋଡ଼ା ହୋଇ ପଡ଼ିଛି। ବିଜୁ ବାବୁଙ୍କ ଜନ୍ମସ୍ଥଳୀର ଚିହ୍ନ ଲିଭିବାକୁ ବସିଥିବା ବେଳେ ସ୍ମୃତିରକ୍ଷା ପାଇଁ ଦାବି ହୋଇଛି।
ସମ୍ବନ୍ଧିତ ଖବର