୨ୟ ଦିନରେ ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘ ଧର୍ମଘଟ : ଗାଁକୁ ଗଡ଼ୁନି ବିଜୁ ଗାଡ଼ି

ଭୁବନେଶ୍ୱର : ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବସ୍‌ ସେବା ଠପ୍‌ ହୋଇଯାଇଛି। ବିଶେଷକରି ଦୁର୍ଗମ ଅଞ୍ଚଳକୁ ଗଡ଼ୁଥିବା ବିଜୁ ଗାଁ ଗାଡ଼ି ଚଳାଚଳ ଦୁଇ ଦିନ ହେଲା ବନ୍ଦ ରହିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଧର୍ମଘଟ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦିନ ଧରି ରାଜ୍ୟ ପରିବହନ ନିଗମର ୫ ଶହ ବସ୍‌ ବନ୍ଦ ହୋଇ ପଡ଼ିଥିବାବେଳେ ହଜାର ହଜାର ଯାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ସରକାର ପାଲଟା କର୍ମଚାରୀମାନଙ୍କ ଉପରେ ରାଗ ଶୁଝିବା ପାଇଁ ପଦକ୍ଷେପ ନେଉଥିବା ସୂଚନା ମିଳିଛି। ତେଣୁ ୨୩ ତାରିଖ ପର୍ଯ୍ୟନ୍ତ ଡାକରା ଦିଆଯାଇଥିବା ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆଗକୁ ଚାଲୁ ରହିପାରେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଘ ପକ୍ଷରୁ ମିଳିଥିବା ଅଭିଯୋଗ ଅନୁସାରେ ଧର୍ମଘଟ ଦୁଇ ଦିନରେ ପହଞ୍ଚିଥିଲେ ବି ନିଗମର ପରିଚାଳନା କମିଟି କିମ୍ବା ରାଜ୍ୟ ସରକାର ସଂଘ ସହ ଆଲୋଚନା କରିନାହାନ୍ତି। ବରଂ ନିଗମ କ୍ଷତିରେ ଚାଲୁଥିବା ଦର୍ଶାଇ ଅଧିକ ଦରମା ଦେଇହେବ ନାହିଁ ବୋଲି ପରୋକ୍ଷଭାବେ ଜଣାଇଛନ୍ତି। ସଭାପତି ନଳିନୀ ରଂଜନ ପତିଙ୍କ କହିବାନୁସାରେ, ସୁପ୍ରିମ୍‌ କୋର୍ଟଙ୍କ ସମାନ କାମକୁ ସମାନ ଦରମା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ଦାବି କରିଛି। ସେହିଭଳି ୧୯୯୨ ମସିହାରୁ ନିଗମରେ କାମ କରୁଥିବା ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରାଯାଇନାହିଁ। ପରିଚାଳନା କମିଟି ପର୍ଯ୍ୟାୟକ୍ରମେ ବରିଷ୍ଠତା ଭିତ୍ତିରେ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ କରିଥିବା ସୁପାରିସକୁ ଲାଗୁ କରିବା ପାଇଁ ଦାବି କରାଯାଇଛି। ୨୦୧୬ ମସିହାରୁ ବିଭିନ୍ନ ସମୟରେ ସଂଘର ଦାବିକୁ ମାନି ନେଇ ପୁଣି ପ୍ରତାରଣା କରାଯାଉଛି। ଗତ ଫେବ୍ରୁଆରି ମାସରେ ମାତ୍ର ୨୦ ଶତକଡ଼ା ମଜୁରି ବୃଦ୍ଧି କରି ପରେ ସଂଘର ଦାବିକୁ ଗ୍ରହଣ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିରୁ ସରକାର ଓହରି ଯାଇଛନ୍ତି। ଏଭଳି କ୍ଷେତ୍ରରେ ସରକାର ସଂଘ ସହ ଆଲୋଚନାକୁ ନ ଆସି ଉପରଠାଉରିଆଭାବେ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି।

ସେ ପୁଣି ଅଭିଯୋଗ କରିଛନ୍ତି ଯେ ପରିବହନ ନିଗମର ବସ୍‌ ଗୁଡ଼ିକ ସର୍ବଦା ଦୁର୍ଗମ ଅଞ୍ଚଳକୁ ହିଁ ଯାଉଛି। ଗରିବ ଜନସାଧାରଣଙ୍କ ସେବା ପାଇଁ ମୁଖ୍ୟତଃ ନିଗମ ବସ୍‌ଗୁଡ଼ିକ ଖରାପ ରାସ୍ତାରେ ହିଁ ଚଳାଚଳ କରୁଛି। ଏଭଳି କ୍ଷେତ୍ରରେ ଡ୍ରାଇଭର୍‌ ଓ କଣ୍ଡକ୍ଟରମାନଙ୍କୁ ବିଭିନ୍ନ ବାଟରେ ଅଫିସରମାନେ ହଇରାଣ କରୁଛନ୍ତି। ତେଣୁ ସରକାର ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସମ୍ପାଦକ କାଳୁଚରଣ ଗୌଡ଼ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର