ଇଣ୍ଡୋନେସିଆରେ ହେବ ବିଜୁ ଗ୍ୟାଲେରି

ଭୁବନେଶ୍ବର : ଇଣ୍ଡୋନେସିଆ ସହ ବିଜୁ ବାବୁଙ୍କ ସମ୍ପର୍କ ସମ୍ବନ୍ଧରେ ପ୍ରାୟ ସମସ୍ତେ ଜାଣିଥିବା ବେଳେ ବିଜୁ ବାବୁଙ୍କ ପ୍ରତି ଇଣ୍ଡୋନେସିଆବାସୀଙ୍କ ପ୍ରେମ ଯେ ଏବେ ବି ବଳବତ୍ତର ରହିଛି ତାହା ଅନୁଭବ ‌କରିବାର ସୁଯୋଗ ମିଳିଥିଲା। ଦୀର୍ଘ ୨୦ ବର୍ଷ ଧରି ଗାନ୍ଧୀଜୀଙ୍କ ବାର୍ତାକୁ ଇଣ୍ଡୋନେସିଆରେ ପ୍ରଚାର କରୁଥିବାରୁ ଅଗୁସ ଇନ୍ଦ୍ର ଉଦାୟନଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିବା ବେଳେ, ଓଡ଼ିଶା ଗସ୍ତରେ ଆସି ଇଣ୍ଡୋନେସିଆ ବିଜୁ ଗ୍ୟାଲେରି ‌କରାଯିବା ନେଇ ସୂଚନା ଦେଇଛନ୍ତି। ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇପିଏ) ପରିସରରେ ଥିବା ବିଜୁ ଗ୍ୟାଲେରି ବୁଲି ଦେଖିବା ପରେ ଏହିପରି ଏକ ଗ୍ୟାଲେରି କରିବା ନେଇ ସେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏଥିସହ ବିଜୁବାବୁଙ୍କ ଜୀବନିକୁ ନେଇ ଏକ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ। ସେଥିରେ ବିଜୁ ବାବୁଙ୍କ ସାହସିକତା ଓ ଜୀବନୀକୁ ନୂତନ ପିଢ଼ି ପାଖରେ ପହଞ୍ଚାଯିବ ବୋଲି ସେ କହଛନ୍ତି।

ଏହି ଅବସରରେ ଗ୍ୟାଲେରି ବୁଲିବା ବେଳେ ଏକ ଫଟୋରେ ବିଜୁବାବୁଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ କୋଳରେ ଗୀତା ମେହେଟ୍ଟା ଓ ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ପୁତ୍ରୀ ମେଘାବତୀଙ୍କୁ ଦେଖି ଆତ୍ମବିଭୋର ହୋଇ କହିଲେ, ମେଘାବତୀ ଜନ୍ମ ହେବା ସମୟରେ ଆକାଶ ମେଘାଚ୍ଛନ୍ନ ଥିଲା। ସେତେବେଳେ ବିଜୁବାବୁ ବି ସେଠାରେ ଥାଆନ୍ତି। ସୁକର୍ଣ୍ଣୋ ବିଜୁବାବୁଙ୍କୁ ପ୍ରଶ୍ନ କଲେ, ଝିଅର ନାମ କ’ଣ ଦେବା? ବିଜୁ ବାବୁ ଉତ୍ତର ଦେଇଥିଲେ ମେଘାବତୀ। ଏସବୁ କହିବା ବେଳେ ସେ ଯେମିତି ବିଭୋର ‌ହୋଇଯାଉଥିଲେ। ଖାଲି ସେତିକି ନୁହେଁ ବିଜୁଙ୍କୁ ମିଳିଥିବା ଭୂମିପୁତ୍ର ସମ୍ମାନ ପ୍ରମାଣପତ୍ରକୁ ସେ ବାରମ୍ବାର ପଢ଼ିଥିଲେ। ଅଗୁଷଙ୍କ କହିବା ମୁତାବକ, ସେ ଗାନ୍ଧୀଙ୍କ ପ୍ରଚାର ପାଇଁ ଯେଉଁଠି ଆଶ୍ରମ କରିଛନ୍ତି ତା’ ନିକଟରେ ହିଁ ବିଜୁ ଗ୍ୟାଲେରି କରାଯିବ। ୩ ଦିନିଆ ଓଡ଼ିଶା ଗସ୍ତ‌ରେ ଆସିଥିବା ପଦ୍ମଶ୍ରୀ ଅଗୁଷ ସ୍ବଦେଶ ଫେରି ଯାଇଛନ୍ତି। ଆଜି ଗ୍ୟାଲେରି ପରିଦର୍ଶନ ସମୟରେ ଇପିଏର ସମ୍ପାଦକ ଅଞ୍ଜଳି ମିଶ୍ର, ମୁଖ୍ୟ ସମ୍ପାଦକ ଅନିଲ ପ୍ରସାଦ ମିଶ୍ର ତାଙ୍କୁ ସମସ୍ତ ବିଷୟ ବୁଝାଇଥିଲେ। ସାମ୍ବାଦିକ ବୀରୁ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର