ବିଜୁ ଜୟନ୍ତୀ ପାଇଁ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ : ବ୍ଲକ୍‌ସ୍ତରରେ ପୁରସ୍କୃତ ହେବେ ଶ୍ରେଷ୍ଠ ମହିଳା

୨୦ରୁ ୨୫ ତାରିଖ ମଧ୍ୟରେ ଜିଲ୍ଲାସ୍ତରରେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀଙ୍କୁ ୧୦ ଦିନ ବ୍ୟାପି ପାଳନ କରିବ ବିଜୁ ମହିଳା ଜନତା ଦଳ। ମାର୍ଚ୍ଚ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାସ୍ତର‌ରେ କାର୍ଯ୍ୟକ୍ରମ ହେବ। ବ୍ଲକସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସମାଜରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ପୁରସ୍କୃତ କରାଯିବ। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ‌ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ, ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସାମାଜିକ, ଆର୍ଥିକ ଓ ନ୍ୟାୟିକସ୍ତରରେ ସ୍ବାବାଲମ୍ବୀ ଓ ମହିଳାଙ୍କ ପ୍ରତି ଥିବା ଆନ୍ତରିକତାର ପ୍ରଚେଷ୍ଟାକୁ ସ୍ବାଗତ କରାଯିବ।

‌ତେବେ ଏହାପୂର୍ବରୁ ପ୍ରତ୍ୟେକ ଜିଲ୍ଲାର ମହିଳା ସଭାନେତ୍ରୀମାନେ ବ୍ଳକର ସଭାନେତ୍ରୀମାନଙ୍କୁ ନେଇ ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ପ୍ରସ୍ତୁତି ବୈଠକ କରିବେ। ମହିଳା ସରପଞ୍ଚ, ସମିତି ସଭ୍ୟା ତଥା ଦଳୀୟ ଅଗ୍ରଣୀ ନେତ୍ରୀମାନଙ୍କୁ ନେଇ ମଧ୍ୟ ପ୍ରସ୍ତୁତି ବୈଠକ ହେବ। ବିଜୁ ପଟ୍ଟନାୟକଙ୍କ ତ୍ୟାଗ, ଆଦର୍ଶ, କାର୍ଯ୍ୟଦକ୍ଷତା, ନିପୁଣତା ଓ ଐତିହାସିକ ନିଷ୍ପତ୍ତିଗୁଡ଼ିକୁ ଆଲୋଚନାଚକ୍ର ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯିବ। ଏଥିସହ ମହିଳାମାନଙ୍କ ପ୍ରତି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଥିବା ସମ୍ମାନ ଓ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ତାଙ୍କ ପ୍ରଚେଷ୍ଟା ସମ୍ପର୍କରେ ଲୋକଙ୍କ ଆଗରେ ଉପସ୍ଥାପନ କରାଯିବ। ଜିଲ୍ଲା ଓ ବ୍ଲକସ୍ତରରେ ପ୍ରତିଷ୍ଠା ହୋଇଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଜୀବନୀ ଉପରେ ଆଲୋଚନାଚକ୍ର ହେବ ବୋଲି ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ବସିଥିବା ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ‌ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଜନତା ଦଳ ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସମେତ ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ(ମୁଖ୍ୟ କାର୍ଯ୍ୟାଳୟ) ସଞ୍ଜୟ ଦାସବର୍ମା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ ଓ ପଦ୍ମିନୀ ଦିଆନ, ସାଂସଦ ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ, ବିଧାୟିକ ଉଷା ଦେବୀ, ସାବିତ୍ରୀ ଅଗ୍ରୱାଲ, ସ୍ନେହାଙ୍ଗିନ ଛୁରିଆ, ସୁନନ୍ଦା ଦାସ, ଲତିକା ପ୍ରଧାନ, ମିନାକ୍ଷୀ ମହନ୍ତ, ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀମୟୀ ମିଶ୍ରଙ୍କ ସମେତ ବିଜେଡି ନେତ୍ରୀ ସୁମିତ୍ରା ଜେନା, କଲ୍ୟାଣୀ ନାୟକ, ସୁଭଦ୍ରା ଦାଶ, ବାସନ୍ତୀ ହେମ୍ରମ୍‌, ଜୟା କୁମାରୀ ପଟେଲ, ସୁଚିତ୍ରା ସ୍ବାଇଁ, ସ୍ବର୍ଣ୍ଣଲତା‌ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର