ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା ରଥ ଶୁଭାରମ୍ଭ

ଗୋଟିଏ ମାସରେ ୪୫ଲକ୍ଷ ହିତାଧିକାରୀ ଉପକୃତ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ‌େଚତନତା ରଥର ଆଜି ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ରଥ ନିୟୋଜିତ ହୋଇଛି। ଗଞ୍ଜାମ, ଖୋର୍ଧା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଟକ ଓ ବଲାଙ୍ଗୀର ପରେ ଅନ୍ୟ ଜିଲ୍ଲାରେ ଏହି ସଚେତନତା ରଥ ପହଞ୍ଚିବ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ସଚେତନତା ରଥ ଜରିଆରେ ବିଏସ୍‌କେୱାଇ ଯୋଜନା ସଂପର୍କରେ ଲୋକଙ୍କ ସମସ୍ତ ସୂଚନା ଦିଆଯିବ। ଲୋକକଳା ଭଳି ଏକ ବଳିଷ୍ଠ ପ୍ରଚାର ଜରିଆରେ ଜିଲ୍ଲା ଲୋକକଳା ସଂଘ, ବ୍ଲକ୍ ଲୋକକଳା ସଂଘ ଓ ସହରାଞ୍ଚଳ ଲୋକକଳା ସଂଘ ସଦସ୍ୟମାନେ ବୋଧଗମ୍ୟ ଭାଷା ଓ ଅଭିନୟ ଜରିଆରେ ଏହି ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଇବେ। ସ୍ବାଧୀନତା ଦିବସରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ବାସ୍ଥ୍ୟସେବା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ମାସ ସୁଦ୍ଧା ୪୫ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର