ରହସ୍ୟଘେରରେ ବିରାଶାଳ ବିମାନ ଦୁର୍ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ ବେସାମରିକ ବିମାନ ଅଧିକାରୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ବିରାଶାଳଠାରେ ଥିବା ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଗତକାଲି ସକାଳ ପ୍ରାୟ ସାଢ଼େ ୬ଟାରେ ଏକ ବିମାନ ୧୦୦ ଫୁଟ୍‌ ଉପରୁ ତଳକୁ ଖସି ପଡ଼ିବା ଫଳରେ ଏଥିରେ ଥିବା ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ୍ ସଂଜୀବ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ୍ ଅନିସ୍‌ ଫାତିମାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ବିମାନ ଦୁର୍ଘଟଣା ଘଟିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରର କୌଣସି ପଦାଧିକାରୀ ପାଟି ଖୋଲୁ ନଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇପଡ଼ିଛି। ଅନ୍ୟପକ୍ଷରେ ଆଜି ଅପରାହ୍ଣରେ ଏହାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି ବିରାଶାଳଠାରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ଏହି ତଦନ୍ତକାରୀ ଦଳ ଆଜି ପୂର୍ବାହ୍ଣରେ ନୂଆଦିଲ୍ଲୀରୁ ବିମାନରେ ଆସି ଢେଙ୍କାନାଳରେ ପହଞ୍ଚିଥିଲେ। ଅପରାହ୍ଣରେ ସେଠାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ବିରାଶାଳରେ ଥିବା ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲେ। ସରକାରୀ ବିମାନ ପ୍ରଶିକ୍ଷଣ ଅନୁଷ୍ଠାନର ପରିଚାଳକଙ୍କ ଉପସ୍ଥିତିରେ ବେସାମରିକ ବିମାନ ଚଳାଚଳ ବିଭାଗର ଉପ ନିର୍ଦେଶକ ଯଶବୀର୍ ସିଂହ ଲାରଧା,ଏୟାର ସେଫ୍‌ଟି ଅଫିସର ଦିନେଶ କୁମାର ତଦନ୍ତ କରିଥିଲେ। ଏଥିରେ ଓଡ଼ିଶା ବେସାମରିକ ବିମାନ ବିଭାଗର ନିର୍ଦ୍ଦେଶକ ଜୟୀ ସୀମା, ମୁଖ୍ୟଯନ୍ତ୍ରୀ ମୁକେଶ କୁମାର, ଯନ୍ତ୍ରୀ ଟି.ଟୁଡୁ, ସହକାରୀ ଯନ୍ତ୍ରୀ ଗଗନ ବିହାରୀ ନନ୍ଦ, କଙ୍କଡ଼ାହାଡ଼ ତହସିଲଦାର ସ୍ମୃତିରଂଜନ ମହାପାତ୍ର, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲି ସକାଳେ ପୁନର୍ବାର ତଦନ୍ତ ପାଇଁ ଏହି ଟିମ୍‌ ବିରାଶାଳ ଯିବେ ବୋଲି ଜଣାପଡ଼ିଛି। ତଦନ୍ତକାରୀ ଦଳ ଦୁର୍ଘଟଣା ସଂପର୍କରେ କୌଣସି ସୂଚନା ଦେଉ ନଥିବାରୁ ଦୁର୍ଘଟଣାର କାରଣ ସ୍ପଷ୍ଟ ହେଉନାହିଁ।

ସମ୍ବନ୍ଧିତ ଖବର