ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସମର ସଜ୍ଜା : ବିଜେଡି, ବିଜେପିରେ ମିଶ୍ରଣ ପର୍ବ

ଭୁବନେଶ୍ୱର : ତିର୍ତ୍ତୋ‌ଲ ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ଦଳଗୁଡ଼ିକ ସମର ସଜ୍ଜା ଆରମ୍ଭ କରି ଦେଇଛନ୍ତି। ମଇଦାନରେ ମୁହାଁମୁହିଁ ହେବା ପୂର୍ବରୁ ବିଜେଡି ଓ ବିଜେପିରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ବରରେ ବିଜେଡି ଓ ବିଜେପି କାର୍ଯ୍ୟାଳୟରେ ଦୁଇଟି ମିଶ୍ରଣ ପର୍ବ କରାଯାଇ ଅନ୍ୟ ଦଳର କର୍ମକର୍ତ୍ତାଙ୍କୁ ସ୍ବାଗତ କରାଯାଇଥିଲା।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୧୦ରୁ ଅଧିକ କଂଗ୍ରେସ ନେତା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ପିସିସିର ପୂର୍ବତନ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଏସ୍‌ କେ ଅବଦୁଲ୍‌ ଫୟଜ, ପିସିସି ଆବାହକ ଦେବେନ୍ଦ୍ର ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଜନ୍ମେଞ୍ଜୟ ଲେଙ୍କା ଉପସ୍ଥିତ ଥିଲେ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ପୂର୍ବତନ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର ଆଗଧାଡ଼ିର ନେତା ରହିଛନ୍ତି। ଏହି ନେତାମାନେ କହିଥିଲେ ଯେ ରାଜ୍ୟରେ ଦୁର୍ନୀତି ଓ ଅତ୍ୟାଚାର ଶାସନ ବ୍ୟବସ୍ଥାର ଅଙ୍ଗ ପାଲଟିଯାଇଛି। ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶାସକ ବିଜେଡିର ଏହି ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବ‌ିଜେପିରେ ଯୋଗ ଦେଲେ ବୋଲି କହିଛନ୍ତି। ନୂଆ ସଦସ୍ୟମାନଙ୍କୁ ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ଦିଲ୍ଲୀପ ମଲ୍ଲିକ, ବାବୁ ସିଂହ, ଗୋକୁଳାନନ୍ଦ ମଲ୍ଲିକ, ରମାକାନ୍ତ ଭୋଇ ଓ ରାଜିକଶୋର ବେହେରା ପ୍ରମୁଖ ସ୍ବାଗତ କରିଥି‌ଲେ।

ସମ୍ବନ୍ଧିତ ଖବର