ଆଇନଜୀବୀ ଆନ୍ଦୋଳନରେ ଫାଟ : ହାଇକୋର୍ଟ ବାର୍ ଉପସଭାପତିଙ୍କ ଇସ୍ତଫା

ଆନ୍ଦୋଳନରୁ ଓହରିଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ

କଟକ : ଅଗଷ୍ଟ ୨୯ରୁ ଜାରି ରହିଥିବା ଆଇନଜୀବୀ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ଗଲା ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନର ବଦଳୁଥିବା ରୂପକୁ ନେଇ ଅସନ୍ତୋଷ ଜାହିର କରି ଆଜି ନାଟକୀୟ ଘଟଣାକ୍ରମରେ ହାଇକୋର୍ଟ ବାର୍ ଆସୋସିଏସନ୍ ଉପସଭାପତି ବଂଶୀଧର ଶତପଥୀ ଇସ୍ତଫା ଦେଇଛନ୍ତି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ବିଏହି ଆନ୍ଦୋଳନରୁ ଓହରି ଯିବା ସହ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନେ ଅକ୍ଟୋବର ୨୯ କିମ୍ବା ୩୦ ତାରିଖରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଆଜି ଦ୍ବାରକା ‌େହାଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର୍ ଆସୋସିଏସନର ଉପସଭାପତି ଶ୍ରୀ ଶତପଥୀ କହିଛନ୍ତି ଯେ ୨୬ ତାରିଖ ଦିନ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସାଧାରଣ ପରିଷଦ ବୈଠକ ବସିଥିଲା। ଶ୍ରୀ ନାୟକ ଅସୁସ୍ଥ ଅନୁଭବ କରିବାରୁ ଅଧାରୁ ଚାଲି ଯାଇଥିଲେ। ଏହା ପରେ ସେ ସଭା ପରିଚାଳନା କରିଥିଲେ। ସଭାରେ ଦିଆଯାଇଥିବା ପ୍ରସ୍ତାବ ରିଜୋଲ୍ୟୁସନରେ ଲେଖା ହେବା କଥା। କିନ୍ତୁ ସଂପାଦକ ମନଇଚ୍ଛା ରିଜୋଲ୍ୟୁସନ୍ ଲେଖିବା ସହିତ ଗଣମାଧ୍ୟମକୁ ଭ୍ରମାତ୍ମକ ତଥ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ପାଇଁ ସେଭଳି କିଛି ନିଷ୍ପତ୍ତି ଗତକାଲି ନିଆଯାଇ ନଥିଲା। ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ଓ ନବୀନ ନିବାସ ଘେରାଉ ପାଇଁ କେତେକ ପ୍ରସ୍ତାବ ଆସିଥିଲା। କିନ୍ତୁ ଏ ପ୍ରସଂଗରେ କିଛି ନିଷ୍ପତ୍ତି ହୋଇ ନଥିଲା। ୩୦ ତାରିଖ ସାଧାରଣ ପରିଷଦ ବୈଠକରେ ଏ ନେଇ ଆଲୋଚନା ହେବାର ‌ଥିଲା। କିନ୍ତୁ ସଂପାଦକ ଗଣମାଧ୍ୟମକୁ କହିଥିଲେ ଯେ ସମଗ୍ର ଓଡ଼ିଶାର ବାର୍ ଆସୋସିଏସନ୍ ଗୁଡିକୁ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା‌ ପାଇଁ ଅନୁରୋଧ କରାଯାଇଛି। ଯେ‌େହତୁ ଆ‌େସାସିଏସନ୍ ଏପରି କିଛି ନିଷ୍ପତ୍ତି ନେଇ ନାହିଁ, ନୈତିକିତା ଦୃଷ୍ଟିରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଶତପଥୀ କହିଥିଲେ। ଏହି ଅବସରରେ ସାମ୍ମୁଖ୍ୟର ପରାମର୍ଶଦାତା ଅସୀମ ଅମିତାଭ ଦାସ କହିଥିଲ ଯେ ଆନ୍ଦୋଳନ ସହିତ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପ୍ରଥମରୁ ଥିଲା ଓ ଏବେ ବି ରହିଛି। କିନ୍ତୁ ବର୍ତ୍ତମାନ ଆନ୍ଦୋଳନରୁ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି। ସରକାର ଆଇନଜୀବୀଙ୍କ ସମସ୍ୟା ସମାଧାନ କରୁ ନାହାନ୍ତି ଓ ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି କେତେକ ଦାବି କରିବା ଦୁର୍ଭାଗ୍ୟ ଜନକ। ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ ଜାମିନରେ ଯାଇଛନ୍ତି, ହାଇକୋର୍ଟରେ ଏ ସଂପର୍କିତ ମାମଲା ସବୁ ବିଚାରାଧୀନ ରହିଛି। ଏ ପରିସ୍ଥିତିରେ କାର୍ଯ୍ୟରେ ଯୋଗ ଦେବା ପାଇଁ ସବୁ ଆଇନୀଜୀବଙ୍କୁ ଆହ୍ବାନ ଦିଆଯାଇଛି। ସାମ୍ମୁଖ୍ୟର ନିଷ୍ପତ୍ତି ସଂପର୍କରେ ହାଇକୋର୍ଟ ବାର୍ ଆସୋସିଏସନକୁ ଅବଗତ କରାଯିବ। ଏଥି ସହିତ ଆସନ୍ତା ୨୯ କିମ୍ବା ୩୦ ତାରିଖ ଦିନ ସାମ୍ମୁଖ୍ୟର ସଦସ୍ୟମନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି। ସାମ୍ମୁଖ୍ୟର ମୁଖ୍ୟ ଆଇନଜୀବୀ ମିଲନ କାନୁନଗୋ କହିଛନ୍ତି ଯେ ଏହି ଆନ୍ଦୋଳନରୁ ଓହରି ସାମ୍ମୁଖ୍ୟର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗ ଦେବେ। ଆନ୍ଦୋଳନ‌କୁ ମୂଳରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମର୍ଥନ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଦୋଳନ ରାଜନୈତିକ ରୂପ ନେଇଥିଲା। ଆମର ଅଦାଲତଙ୍କ ଉପରେ ବିଶ୍ବାସ ରହିଛି। ହାଇକୋର୍ଟରେ ଆଇନଜୀବୀଙ୍କୁ ଆକ୍ରମଣ ନେଇ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟରୁ ଆମକୁ ନ୍ୟାୟ ମିଳିବ। ଏଥି ସହିତ ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗ ଦେବା ପାଇଁ ସାମ୍ମୁଖ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବା ପୂର୍ବରୁ ପ୍ରସଙ୍ଗକୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି ଓ ଅନ୍ୟ ବରିଷ୍ଠ ଆଇନଜୀବୀମାନେ ମଧ୍ୟ ଉପସ୍ଥିତ ଥିଲେ।

ହାଇକୋର୍ଟ ବାର୍ ଉପସଭାପତିଙ୍କ ଘରେ ଆକ୍ରମଣ; ଗାଳିଗୁଲଜ

କଟକ-ସିଡିଏ : ହାଇକୋର୍ଟ ବାର୍ ଆସୋସିଏସନ୍ ଉପସଭାପତି ବଂଶୀଧର ଶତପଥୀଙ୍କ ଘର ଉପରେ ଆଜି କେତେକ ଯୁବକ ଆକ୍ରମଣ କରିଛନ୍ତି। ରାତି ପ୍ରାୟ ୯ଟା ପାଖାପାଖି ସମୟରେ ୨୦ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ଯାଇ ଶ୍ରୀ ଶତପଥୀଙ୍କ ସିଡିଏ ସେକ୍ଟର-୭ ଘର ଆଗରେ ପାଟିତୁଣ୍ଡ, ଗାଳିଗୁଲଜ କରିବା ସହିତ ତାଙ୍କ ଘର କବାଟ, ଝରକାକୁ ପିଟାପିଟି କରିଛନ୍ତି। ସେହି ସମୟରେ ଶ୍ରୀ ଶତପଥୀ ଘରେ ନଥିବା ବେଳେ ତାଙ୍କର ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ। ଏ ସଂପର୍କରେ ଖବର ପାଇ ମର୍କତନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସେଠାକୁ ଆସିଥିବା ଯୁବକ ଖସି ପଳାଇଥିବା କୁହାଯାଉଛି। ଶ୍ରୀ ଶତପଥୀ ବି ଖବର ପାଇ ଘରକୁ ଫେରି ଏଭଳି ଘଟଣାର ନିନ୍ଦା କରିଛନ୍ତି। ଆନ୍ଦୋଳନ ଭିନ୍ନ ପ୍ରସଙ୍ଗ କିନ୍ତୁ ବିରୋଧ ପାଇଁ ଘରକୁ ଆସି ଏଭଳି କାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଡିଏ ସେକ୍ଟର-୭ ଆବାସିକ ସଂଘ ପକ୍ଷରୁ ମଧ୍ୟ ଏଭଳି ଘଟଣାର ନିନ୍ଦା କରାଯାଇଛି। କୌଣସି ପ୍ରସଙ୍ଗକୁ ନେଇ ଏଭଳି ଘରକୁ ଆସି ଗଣ୍ଡଗୋଳ କରିବା ଅତ୍ୟନ୍ତ ହୀନ କାର୍ଯ୍ୟ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଆନ୍ଦୋଳନ ଗଲା ଅଗଷ୍ଟ ୨୯ ତାରିଖରୁ ଚାଲିଥିବା ବେଳେ ଆଜି ଶ୍ରୀ ଶତପଥୀ ଆନ୍ଦୋଳନର ପରିବର୍ତ୍ତିତ ରୂପରେଖକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ହାଇକୋର୍ଟ ବାର ଆସୋସିଏସନ୍ ଉପସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଆନ୍ଦୋଳନରୁ ଓହରିବା ପାଇଁ ଘୋଷଣା କରିଥିବା ବେଳେ ଶ୍ରୀ ଶତପଥୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଶ୍ରୀ ଶତପଥୀଙ୍କ ଏଭଳି ପଦକ୍ଷେପକୁ କେତେକ ମହଲରେ ବି‌େରାଧ କରାଯାଉଥିବା ବେଳେ ରାତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର