ଭୁବନେଶ୍ବର : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ୪ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ରରେ ସେ କିପରି ରେଳ ବିଭାଗର ଚାକିରି ଛାଡ଼ି ନବରଙ୍ଗପୁର ଅଞ୍ଚଳ ଲୋକଙ୍କ ବିକାଶ ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ୨୦୧୪ ନର୍ବାଚନରେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ କଥା ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ସାଂସଦ ହେବା ପାଇଁ ସୁଯୋଗ ଦେଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଶ୍ରୀମାଝୀ କୃତଜ୍ଞତା ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ନବୀନ ନିବାସରେ ନିଜର ଇସ୍ତଫା ପ୍ରଦାନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଂସଦ ଶ୍ରୀ ମାଝୀ କହିଥିଲେ, ତାଙ୍କ ବିରୋଧରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରାଯାଇଛି। ନବରଙ୍ଗପୁରରେ ଅନୁଷ୍ଠିତ ହେଉଥିବା ବିଜେଡିର କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉନଥିଲା। ଏଭଳି ସ୍ଥିତିରେ ସେ ଦଳରେ ରହିବାକୁ ଆଉ ଉଚିତ ମଣୁନାହାନ୍ତି। ସେପଟେ ଚର୍ଚ୍ଚା ହେଉଛି, ନବରଙ୍ଗପୁର ଲୋକସଭା ଟିକେଟ ମନ୍ତ୍ରୀ ତଥା ଝରିଗାଁ ବିଧାୟକ ରମେଶ ଚନ୍ଦ୍ର ମାଝୀଙ୍କୁ ଦେବାକୁ ବିଜେଡି ସୁପ୍ରିମୋ ସ୍ଥିର କରିସାରିଛନ୍ତି। ଏକଥା ଜାଣିବା ପରେ ଦୀର୍ଘ ୫ ବର୍ଷ ଧରି ସାଂସଦ ଭାବେ ରହିଥିବା ସାଂସଦ ଶ୍ରୀମାଝୀ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି।