ତେଲ ଦର ବୃଦ୍ଧିର ଅଭିନବ ପ୍ରତିବାଦ କଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ : ଶଗଡ଼ରେ ଆସିଲେ, କେନ୍ଦ୍ର ଉପରେ ବର୍ଷିଲେ

ଭୁବନେଶ୍ୱର : ବାରମ୍ବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ତେଲ ଦର ବୃଦ୍ଧି କରାଯାଉଥିବାରୁ ଏହାକୁ ବିରୋଧ କରି ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଲୋୟର ପିଏମ୍‌ଜିରେ ଆଜି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଶତାଧିକ କର୍ମୀ ଶଗଡ଼ରେ ବିକ୍ଷୋଭସ୍ଥଳରେ ପହଞ୍ଚି ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରିବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବର୍ଷିଛନ୍ତି।

ବିକ୍ଷୋଭସ୍ଥଳରେ ଉଦ୍‌ବୋଧନ ଦେଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା କହିଲେ, ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବା ବେଳେ କେନ୍ଦ୍ର ସରକାର ତେଲ ଦର ବୃଦ୍ଧି କରି ସାଧାରଣ ଜନତାକୁ ଶୋଷଣ କରୁଛନ୍ତି। ଉତ୍ପାଦ ଶୁଳ୍କ ବୃଦ୍ଧି କରି ନିଜ ଟ୍ରେଜେରି ଭର୍ତ୍ତି କରୁଛନ୍ତି। ଗତ ତିନି ବର୍ଷରେ କେନ୍ଦ୍ର ସରକାର ୧୧ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ତେଲ ଦର ବଢ଼ାଇଛନ୍ତି। ତେଣୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦର ତୁରନ୍ତ ହ୍ରାସ ନକଲେ ଓଡ଼ିଶାରେ ଏହାର ପ୍ରତିବାଦର ନିଆଁ ଜଳିବ।

ସେହିପରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ, ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଭ୍ୟାଟ୍‌ କେତେ ଅଛି? ଏହା କାହିଁକି ହ୍ରାସ କରାଯାଉନି ସେଥିନେଇ କେନ୍ଦ୍ର ସରକାର ଓ ଭାଜପାର ମୁଣ୍ଡିଆଳ ସାଜିଥିବା ନେତା ପ୍ରଥମେ ଜବାବ ରଖନ୍ତୁ। ପରେ ଅନ୍ୟ ରାଜ୍ୟକୁ ଆକ୍ଷେପ କରିବେ। କେନ୍ଦ୍ର ସରକାର ତୈଳ ପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରି ପ୍ରତ୍ୟେକ ପରିବାର, ଯୁବକ, ଛାତ୍ର ସମସ୍ତଙ୍କୁ ଶୋଷଣ କରୁଛନ୍ତି। ଏହି ଅନ୍ୟାୟର ଜବାବ ୨୦୧୯ ନିର୍ବାଚନରେ ବିଜେପିକୁ ଦିଆଯିବ।

ତେଲ ଦର ବୃଦ୍ଧି ଯୋଗୁଁ ମାଲଭଡ଼ା ବୃଦ୍ଧି ପାଇଛି। ରାଜ୍ୟରେ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ଆଶଙ୍କା ମଧ୍ୟ ଦେଖାଦେଇଛି। କେନ୍ଦ୍ର ସରକାର ତୁରନ୍ତ ଉତ୍ପାଦ ଶୁଳ୍କକୁ ୨୦୧୪ ମସିହା ସ୍ତରକୁ ଆଣି ତେଲ ଦର ନିୟନ୍ତ୍ରଣ କରନ୍ତୁ ବୋଲି ବିଜେଡି ଦାବି କରିଛି। ଏହି ବିକ୍ଷୋଭରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, ଉପସଭାପତି ଦୁର୍ଗା ସାମନ୍ତରାୟ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧୃବ ସାହୁ, ମୁଖପାତ୍ର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇ ତେଲ ଦର ବୃଦ୍ଧି କୁ ତୀବ୍ର ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର