ଦୃଢ଼ ଜବାବ ଦେଲା ବିଜେଡି

ଆୟୁଷ୍ମାନ, ଉଜ୍ଜ୍ୱଳା, ଆଇନଶୃଙ୍ଖଳା ପ୍ରସଙ୍ଗରେ ଗର୍ଜିଲେ ନେତା

ଭୁବନେଶ୍ୱର : ବିଜେପିିର ଅଚ୍ଛେଦିନ୍‌ ଜୁମ୍‌ଲା ଥିଲା। ଏନଡିଏ ସରକାର ସାଧାରଣ ଲୋକଙ୍କ ଉପରେ ବୋଝ। ଶରଧାବାଲିରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଏଭଳି ଢଙ୍ଗରେ କଡ଼ା ପ୍ରତିଜବାବ ଦେଇଛି ବିଜେଡି। ଦଳୀୟ ନେତାମାନେ ଉଭୟ ଶ୍ରୀ ଶାହ ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଅରୁଣ ସାହୁ ଓ ମୁଖପାତ୍ର ସସ୍ମିତ ପାତ୍ର ବର୍ଷିଥିଲେ। କହିଥିଲେ, ରାଜ୍ୟ ସରକାରଙ୍କ ୧୮ ବର୍ଷ ଭିତରେ ୯ ବର୍ଷ ବିଜେପି ଭାଗୁଆଳିରେ ଥିଲା। ଏକଥା ସେମାନେ ଭୁଲିଯିବା ଉଚିତ୍‌ ନୁହେଁ। ଏମିତିରେ ବି ଆଜିର ବକ୍ତବ୍ୟ ସୂଚାଇ ଦେଇଛି ଯେ ଶ୍ରୀ ଶାହଙ୍କର କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରାଳୟ ସହିତ ସର୍ବନିମ୍ନ ଯୋଗସୂତ୍ର ନାହିଁ। କାରଣ ସେ ରାଜ୍ୟ ସରକାରଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଉଛନ୍ତି। ଅଥଚ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓଡ଼ିଶାକୁ ପୁରସ୍କୃତ କରୁଛନ୍ତି।

‘ଆୟୁଷ୍ମାନ’ ପ୍ରସଙ୍ଗରେ ଅମିତ ଶାହଙ୍କ ମନ୍ତବ୍ୟ ଉପରେ ଦଳ କହିଛି, କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ଏବେ ପାଗ ଭିଡୁଛନ୍ତି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିସାରିଲେଣି। ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ଉପେକ୍ଷା କରାଯାଇଛି। କାରଣ, ରାଜ୍ୟ ଯୋଜନାରେ ସେମାନେ ୭ଲକ୍ଷ ଟଙ୍କାର ଚିକିତ୍ସା ସୁଯୋଗ ପାଇପାରିବେ। କେବଳ ଓଡ଼ିଶା ନୁହେଁ, କେରଳ, ତେଲେଙ୍ଗାନା ଓ ଦିଲ୍ଲୀ ସରକାର ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କର ନିଜସ୍ୱ ତଥା ଯଥେଷ୍ଟ ଭଲ ଯୋଜନା ଥିବା କାରଣରୁ ଓଡ଼ିଶା ସରକାର କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ କରିନାହାନ୍ତି।

ଏହାର ଅନ୍ୟ ଏକ କାରଣ ଦର୍ଶାଇ ବିଜେଡି କହିଛି, ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାର ୫୦ଲକ୍ଷ ଲୋକ ବାଦ୍‌ ପଡିବେ। ଏମାନଙ୍କୁ ସାମିଲ କରିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। ସେମାନେ ଚୁପ୍‌ କାହିଁକି? କେଉଁ କାରଣ ପାଇଁ ଶ୍ରୀ ଶାହ ଏହି ପ୍ରଶ୍ନର ଜବାବ ଦେଉନାହାନ୍ତି? ବାଦ୍‌ ପଡୁଥିବା ଲୋକଙ୍କୁ ସାମିଲ କରାଯିବ ବୋଲି ଘୋଷଣା କରନ୍ତୁ, ଓଡ଼ିଶା ଆସନ୍ତାକାଲି ଆୟୁଷ୍ମାନ ଯୋଜନାରେ ସାମିଲ ହେବ ବୋଲି ବିଜେଡି କହିଛି।

ଦଳ ଆହୁରି କହିଛି, ଏମିତିରେ ବି ସ୍ୱାସ୍ଥ୍ୟ ରାଜ୍ୟ ବିଷୟ। ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରି କେନ୍ଦ୍ର କାହିଁକି ଚାପ ପକାଉଛି? ପୁଣି ଏହା କେନ୍ଦ୍ର ସରକାରଙ୍କ ଶତ ପ୍ରତିଶତ ଯୋଜନା ନୁହେଁ। ଏଥିରେ ରାଜ୍ୟକୁ ୪୦ ପ୍ରତିଶତ ଅର୍ଥ ଦେବାକୁ ପଡିବ।

ଉଜ୍ଜ୍ୱଳା ପ୍ରସଙ୍ଗ ଉଠାଇ ବିଜେଡି କହିଛି, ରାଜ୍ୟର ୩୦ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି ବୋଲି କୁହାଯାଉଛି। ମାତ୍ର ୬ଲକ୍ଷ ଗ୍ରାହକ ଦ୍ୱିତୀୟ ଥର ଗ୍ୟାସ ସଂଯୋଗ ନେଇଛନ୍ତି। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କଥା କହିଥିଲେ। ଏ କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ପ୍ରତାରଣା କରାଯାଇଛି। ବିଧାନସଭା ଗୃହ କମିଟିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବା ଲାଗି ସମୟ ଦେଲେ ନାହିଁ।

ବିଜେପି କ୍ଷମତାକୁ ଆସିଲେ, ଓଡ଼ିଶା ୧ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ଶ୍ରୀ ଶାହଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି କହିଛି, ଉଭୟ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଦଶନ୍ଧି ଧରି ବିଜେପି ଶାସନ କରୁଛି। ସେ ରାଜ୍ୟ ୧ ନମ୍ବର ସ୍ଥାନ ହେଲେଣି?

କେବଳ ସେତିକି ନୁହେଁ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ମହାନଦୀ ଓ ପୋଲାଭରମ୍‌ ଭଳି ମାମଲାରେ ଓଡ଼ିଶା ଏନ୍‌ଡିଏ ସରକାର ଦ୍ୱାରା ଉପେକ୍ଷିତ ବୋଲି ନେତାମାନେ ସମାଲୋଚନା କରିଥିଲେ।
ଆଇନଶୃଙ୍ଖଳା ପ୍ରସଙ୍ଗରେ ବିଜେଡି କହିଛି, ଶ୍ରୀ ଶାହ ବୋଧହୁଏ ଭୁଲିଯାଉଛନ୍ତି ଯେ ବିଜେପୁରରେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଡି-ଲିଙ୍କ୍‌, ଟିଟୋ ମାମଲା ସବୁଥିରେ ବିଜେପି ନେତାଙ୍କ ହାତ ରହିଛି। କେବଳ ସେତିକି ନୁହେଁ, ସାମାଜିକ କର୍ମୀଙ୍କୁ ବେଆଇନ ଭାବେ ଗୃହ ବନ୍ଦୀ କରି ରଖାଯାଇଛି। ଗୌରୀ ଲଙ୍କେଶକୁ ହତ୍ୟା କରାଯାଇଛି, ସାମ୍ବାଦିକଙ୍କ ଘର ଚଢଉ ହୋଇଛି, ହତ୍ୟା କରାଯାଇଛି ଏମିତି କେତେ କଣ। ଉତ୍ତର ପ୍ରଦେଶ ଯୋଗୀ ସରକାରର ଆଇନଶୃଙ୍ଖଳା ଓ ନାରୀ ଓ ଶିଶୁ ନିର୍ଯାତନା ଏବଂ ଦୁଷ୍କର୍ମର ସଂଖ୍ୟା ଓ ରେକର୍ଡ କହୁଛି, ବିଜେପି ସରକାରର ଚେହେରା କେମିତି।

ସମ୍ବନ୍ଧିତ ଖବର