ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ, ସଦର ମହକୁମାରେ ଆନ୍ଦୋଳନ କରିବ ବିଜେଡ଼ି 

ଭୁବନେଶ୍ୱର : ଦିନକୁ ଦିନ ଦେଶରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ କେନ୍ଦ୍ର ବିରୋଧୀ ଆନ୍ଦୋଳନ ତେଜୁଛି। ଏଭଳି ଅହେତୁକ ତୈଳ ବୃଦ୍ଧି ପ୍ରତିବାଦରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୨୮ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକ, ସଦର ମହକୁମାରେ ଆନ୍ଦୋଳନ କରିବ ବୋଲି ସମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି ।

କେନ୍ଦ୍ର ସରକାରଙ୍କ ଏଭଳି ନୀତି ଯୋଗୁଁ ସବୁ ବର୍ଗର ଲୋକମାନେ ପ୍ରଭାବିତ ହେଉଛନ୍ତି । ବର୍ତ୍ତମାନ ଓଡିଶାରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୯୮ ପଇସାରେ ପହଁଚିଥିବାବେଳେ ଡିଜେଲ ଲିଟର ପିଛା ୭୩ଟଙ୍କା ୨୬ ପଇସାରେ ପହଁଚିଛି। ଯାହାଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ଖାଉଟି ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି ବୋଲି ବିଜେଡି କହିଛି।

୨୦୧୪ରେ ବିଜେପି କ୍ଷମତାକୁ ଆସିବା ବେଳେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ ହ୍ରାସ ପାଉଥିଲା ଏବଂ ଆଶା କରାଯାଉଥିଲା ଏହାର ଫାଇଦା ସାଧାରଣ ଜନତା ପାଇ ପାରିବେ। କିନ୍ତୁ ଓଲଟା କେନ୍ଦ୍ରସରକାର ଉତ୍ପାଦ ଶୁଳ୍କ ବୃଦ୍ଧିକରି ଜନତାଙ୍କ ତଣ୍ଟି ଚିପୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି ସେତେବେଳେ କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିବା ପରିବର୍ତ୍ତେ ୯ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କକୁ ବୃଦ୍ଧି କରି ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍‌ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି। ଓଡିଶାରେ ତୈଳ ଉପରେ ଭାଟ୍‌ ଅନ୍ୟ ରାଜ୍ୟ ଅପେକ୍ଷା କମ୍‌ ରହିଛି। ତେଣୁ କେନ୍ଦ୍ରର ଏଭଳି ଦୋମୁହାଁ ନୀତିକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି। କେନ୍ଦ୍ର ସରକାରଙ୍କ ଛଳନାକୁ ବରଦାସ୍ତ ନ କରି ବିଜେଡି ଖାଉଟିଙ୍କ ସ୍ୱାର୍ଥ ପାଇଁ ଉପଯୁକ୍ତ ତୈଳ ଦର ଲାଗୁ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର