ସ୍ବର୍ଗତଃ ବିଷ୍ଣୁ ସେଠୀଙ୍କ ଏକାଦଶାହରେ ଯୋଗଦେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ତିହିଡି: ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳର ଉପନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଥିବା ବେଳେ ଭଦ୍ରକ ଜିଲ୍ଲା ଜଣେ ଟାଣୁଆ ନେତାଙ୍କୁ ହରାଇଛି। ସ୍ବର୍ଗତ ସେଠୀଙ୍କର ଏକାଦଶାହ କ୍ରିୟା ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ତାଙ୍କର ଜନ୍ମ ମାଟି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ମଙ୍ଗରାଜପୁର ଗ୍ରାମରେ ହୋଇଥିବାବେଳେ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଏକାଦଶାହ କ୍ରିୟା କର୍ମ ଓ ସ୍ମୃତି ଚାରଣ ସଭା ମଧ୍ୟ ନିଜ ଗାଁ ମାଟିରେ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ତାଙ୍କର ଏକାଦଶାହ ସ୍ମୃତିଚାରଣ ସଭାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପିର ଜାତୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପିର ସମସ୍ତ ବିଧାୟକ, ସାଂସଦ ଓ ବିଜେପିରେ ସମସ୍ତ ରାଜ୍ୟ କର୍ମକର୍ତ୍ତା ଯୋଗଦେବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଏଇ ସ୍ମୃତି ଚାରଣ ସଭା ଓ ପକ୍ତି ଭୋଜନରେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ‌ ଯୋଗ ଦେବା ନେଇ ଆୟୋଜନ କରାଯାଉଛି। ପ୍ରସ୍ତୁତି ବୈଠକରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ବିଜେପି ନେତା ଅଭିମନ୍ୟୁ ସେଠୀ, ବଦ୍ରୀନାରାୟଣ ଧଳ, ଶଶିକାନ୍ତ ବିଶ୍ବାଳ, ରଘୁନାଥ ପାତ୍ର, ସୁଧାଂଶୁ ପାଣିଗ୍ରାହୀ, ଭରତ ସାହୁ, ଦୁର୍ଗାଚରଣ ନାୟକ, ଅଜୟ ମହାପାତ୍ର, ପ୍ରଦୀପ ବଳ, ଅଶୋକ ପୁହାଣ, ମନୋଜ ମଲ୍ଲିକ, ଚର୍ତୁଭୁଜ ନାୟକ, ଦୀପ୍ତି ରଂଜନ ଜେନା, ରଂଜିତା ସ୍ବାଇଁ, ବୈକୁଣ୍ଠ ସାହୁ, ଶ୍ରୀହର୍ଷ ସ୍ବାଇଁ, ରାମଚନ୍ଦ୍ର ମିଶ୍ର, ଝରଣା ଜେନା, ପ୍ରମୋଦ ଦାସ, ଦେବେନ୍ଦ୍ର ପୁହାଣ, ସୀତାକାନ୍ତ ନାୟକ, ପ୍ରତା୍ପ ଜେନା, ସ୍ବର୍ଣ୍ଣମୟୀ ଜେନା, ଦେବବ୍ରତ ପାଢୀ, ପ୍ରଦୀପ ଜେନା, ବଳରାମ ସେଠୀ, ସଂଗ୍ରାମ ମହାନ୍ତି, ସ୍ବର୍ଗତ ସେଠୀଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବହୁ ଦଳୀୟ ନେତା ଓ ଗ୍ରାମବାସୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ର୍ସ୍ବଗତ ସେଠୀ ଙ୍କର ଏକାଦଶାହ କ୍ରିୟାରେ ସମସ୍ତଙ୍କର ସହଯୋଗ ରହିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର