ଚାନ୍ଦବାଲି ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର : ଗତ କିଛି ଦିନ ଧରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତରେ ରାଜନୈତିକ ହିଂସା ଲାଗି ରହିଛି। ପୁଲିସ୍‌ର ନିଷ୍କ୍ରିୟତା ପାଇଁ ଏହା ବଢ଼ିଚାଲିଛି। ତୁରନ୍ତ ଚାନ୍ଦବାଲି ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

ଏହି ଘଟଣାର ସତ୍ୟତା ଜଣାଇବା ପାଇଁ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ପଞ୍ଚାୟତକୁ ଗସ୍ତ କରି ସରଜମିନ ତଦନ୍ତ କରିଥିଲା। ସେଠାରୁ ଫେରିବା ପରେ ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଲେ ଯେ ବିଜେପି ପ୍ରତିନିଧି ଦଳ ଉତୁକୁଡା ପଞ୍ଚାୟତର ବୁରୁଜାଲ ଗ୍ରାମରେ ପହଞ୍ଚି ଶତାଧିକ ମହିଳାଙ୍କୁ ଭେଟି ହିଂସାକାଣ୍ଡର ତଥ୍ୟ ସଂଗ୍ରହ କରିଛି। ମିଳିଥିବା ତଥ୍ୟ ଅନୁସାରେ ବିଜେଡିର ଗୁଣ୍ଡାମାନେ ଉକ୍ତ ଗ୍ରାମର କେଉଁ ମହିଳାଙ୍କୁ ବାଡେଇ ତାଙ୍କ ଡାହାଣ ହାତ ଭାଙ୍ଗିଛନ୍ତି ତ କାହାକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଲହୁ ଲୁହାଣ କରିଛନ୍ତି । ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ପେଟକୁ ଗୋଇଠା ମାରିଛନ୍ତି। ହିଂସାର ଶିକାର ହୋଇଥିବା ମହିଳାମାନେ ଯେତେବେଳେ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଥାନା ଆଇଆଇସି ସେମାନଙ୍କ ଏତଲା ଗ୍ରହଣ ନ କରି ଓଲଟା ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମୋବାଇଲ ଛଡ଼ାଇ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ। ଆଇଆଇସି ସ୍ଥାନୀୟ ବିଧାୟକଙ୍କ ସମର୍ଥନରେ ବିଜେଡିର କର୍ମକର୍ତ୍ତା ପରି କାର୍ଯ୍ୟ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ୪୮ ଘଣ୍ଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବିଜେପି ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଫେରାଦ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ସୋନାଲି ସାହୁ, ହେମନ୍ତ ନନ୍ଦ, ବଦ୍ରି ନାରାୟଣ ଧଳ, ଅଭିମନ୍ୟୁ ସେଠୀ ଓ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର