ମହିଳା ସୁରକ୍ଷା ସ୍ୱର ଆହୁରି ଶାଣିତ ହେବ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ମହିଳାମାନଙ୍କର ଘୋର ଅସନ୍ତୋଷ ସାରା ରାଜ୍ୟରେ ପରିଲକ୍ଷିିତ ହେଲାଣି। ଏହି ସ୍ୱରକୁ ଆଗାମୀ ଦିନରେ ଆହୁରି ଶାଣିତ କରାଯିବ। ମହିଳା ସୁରକ୍ଷା ଯାତ୍ରା ପରେ ବିଜେପି ମହିଳା ମୋର୍ଚ୍ଚା ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା କହିଥିଲେ, ରାଜ୍ୟର ପ୍ରାୟ ୨୭୨ଟି ପୁଲିସ ଷ୍ଟେସନରେ ଅଭିଯୋଗ ନେଇ ମହିଳାମାନେ ଗଲେ ତାହା ପଞ୍ଜୀକରଣ ହେଉନାହିଁ ବୋଲି ପୀଡିତାମାନେ ଅଭିଯୋଗ କରିଛନ୍ତି। ଅନେକ ଥାନାରେ ଶାସକ ଦଳର ଅପରାଧୀଙ୍କ ପ୍ରତି ସମର୍ଥନ କାରଣରୁ ସେମାନଙ୍କୁ ଗିରଫ କରାଯାଉ ନାହିଁ।

ବିଜେପି କହିଛି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବୈଧ ମଦ ବ୍ୟବସାୟ ମହିଳା ନିର୍ଯ୍ୟାତନା ପଛର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ। ଗୋଟିଏ ପଟେ ମହିଳା ଓ ଛୋଟ ଝିଅ ମାନେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ଶୀକାର ହେଉଥିବା ବେଳେ ରାଜ୍ୟ ପୁଲିସ ପରୀ ଯାତ୍ରା ଆଳରେ ଶାସକ ଦଳକୁ ସୁରକ୍ଷା ଦେବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି। ଆମ ଝିଅଙ୍କୁ ପରୀ ନୁହେଁ ମାନବୀ ଭାବେ ସୁରକ୍ଷା ଓ ସମ୍ମାନର ସହ ବଞ୍ଚିବା ପାଇଁ ପୁଲିସ ତାର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଖୁବ ଶୀଘ୍ର ରାଜ୍ୟରେ ମହିଳା ଓ ଛୋଟ ଝିଅଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ଜୁଲମ ବିରୋଧରେ ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରାଯିବ ବୋଲି ବିଜେପି କହିଛି। ଗତ ମେ’ ୧୭ ତାରିଖରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୈାଧୁରୀ ଏବଂ ଡ.ଐଶ୍ୱଯ୍ୟର୍ା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର