୧୫ କୋଟି ଶାସକ ଦଳ ପକେଟକୁ ଯାଇଛି: ବିଜେପି

ନବରଙ୍ଗପୁରଠାରେ ମଣ୍ଡି ପ୍ରଦର୍ଶନ କଲେ ଦଳୀୟ ନେତା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଚାଷୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। କ୍ବିଣ୍ଟାଲ ପିଛା ୩ରୁ ୭ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ କାଟି ଚାଷୀଙ୍କଠାରୁ କିଣାଯାଉଛି। ଚାଷୀଙ୍କୁ ଅଖା ବାବାଦ ଅର୍ଥ ମଧ୍ୟ ଦିଆଯାଉନାହିଁ। ମଣ୍ଡିକୁ ଧାନ ଆଣିବା ପାଇଁ ପରିବହନ ଅର୍ଥ ଦିଆଯାଉନାହିଁ। ମଣ୍ଡି ପରିଚାଳନା ପାଇଁ କ୍ବିଣ୍ଟାଲ ପିଛା ୩୧ ଟଙ୍କା ଦିଆଯାଉଥିଲେ ମଧ୍ୟ ଚାଷୀଙ୍କୁ ମଣ୍ଡିରେ ସର୍ବନିମ୍ନ ସୁବିଧା ମିଳୁନି। ଚାଷୀଙ୍କ ପାଇଁ ଆସୁଥିବା ଏହି ଅର୍ଥ ମିଲର, ପ୍ରଶାସନ ଓ ରାଜନେତା ମିଳିମିଶି ହଡ଼ପ କରୁଛନ୍ତି। ସେହିଭଳି, ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଧାନ କଟ୍‌ନିଛଟ୍‌ନି ହେଉଛି। ଏହି ବାବଦରେ ୧୫କୋଟି ଟଙ୍କା ଶାସକ ଦଳର ରାଜନେତାଙ୍କ ପକେଟକୁ ଯାଇଛି। ଆଜି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ ପରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ, କଟନିଛଟନି ଅର୍ଥ କିଏ ନେଉଛି ପ୍ରଶାସନ ତାହା ସ୍ପଷ୍ଟ କରିବା ଦରକାର। ନବରଙ୍ଗପୁର ଜିଲ୍ଲାର ଚାଷୀ ଦୁର୍ଦିନରେ ରହିଛନ୍ତି। ଚାଷୀ ‌ଭୋଗୁଥିବା ଦୁର୍ଦ୍ଦଶାର ସମାଧାନ ତୁରନ୍ତ କରା ନଗଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ। ପ୍ରଶାସନିକ କଳକୁ ଅଚଳ କରି ଦିଆଯିବ। ନବରଙ୍ଗପୁର ଜିଲ୍ଲାରେ ଧାନକିଣାରେ ହେଉଥିବା ଅବ୍ୟବସ୍ଥା ଆଗାମୀ ବିଧାନସଭା ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ଗୌରୀଶଙ୍କର ମାଝୀ, ରମେଶ ସାହୁ, ମନୋଜ ମହାଙ୍କୁଡ, ଅରୁଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର