ସରକାରୀ କଳ ସହ ମିଶି ବିଜେଡି ହିଂସା ଭିଆଉଛି : ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ଭୁବନେଶ୍ବର: ପିପିଲି ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ଆଜି ଶାସକ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର। ପିପିଲିରେ ଦୀର୍ଘ ୩୫ ବର୍ଷ ଧରି ଯେଉଁ ଗୁଣ୍ଡାରାଜ ଚାଲିଥିଲା, ପିପିଲିବାସୀ ତା ଭିତରୁ ବାହାରିବାକୁ ଚାହୁଁଛନ୍ତି। ବିଜେଡି କିନ୍ତୁ ସରକାରୀ କଳ ସହ ମିଶି ହିଂସା ଭିଆଉଛି। ଭୟ ଓ ଅବିଶ୍ୱାସ ଯୋଗୁ ବିଜେଡି ଆକ୍ରମଣ ରାଜନୀତି କରୁଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର।
ତେବେ ଏହି ହିଂସାରେ ବିଜେଡି ପାଇଁ ମୁଖ୍ୟ କାର୍ପଟଦାର ସାଜିଛନ୍ତି ପୁଲିସ। କେଦାର ସାମନ୍ତରାୟଙ୍କ ଭାଇ ଧୀରେନ୍ଦ୍ର ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ମାମଲା ସହ ଅନେକ ମାମଲା ଅଛି। ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି। ଖାଲି ସେତିକି ନୁହେଁ ରାଜା ସାମନ୍ତରାୟ ଓ ସଞ୍ଜୟ ସାମନ୍ତରାୟଙ୍କୁ ମଧ୍ୟ ପଳାତକ ଘୋଷଣା କରାଯାଇଛି। କିନ୍ତୁ ସେମାନେ ନବୀନ ନିବାସ ଆସିବା ସହ ପିପିଲିରେ ବିଭିନ୍ନ ମଞ୍ଚରେ ବସୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମ୍ବିତ।
ପୁଲିସ ବିଜେଡି କର୍ମୀଙ୍କୁ ଛାଡ଼ିଦେଉଥିବାବେଳେ ବିଜେପି କର୍ମୀଙ୍କ ଉପରେ ଦାଉ ସାଧୁଛି। ହାଇଦର ପରି ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ କବଜାରୁ ଫେରାର ହେଇଯାଉଛି, କିନ୍ତୁ ପୁଲିସ କେବଳ ପିପିଲି ଡେଲାଙ୍ଗରେ ଆଇନ ପାଳନ କରୁଛି ବୋଲି ସମ୍ବିତ କହିଛନ୍ତି। ଅନ୍ୟପଟେ ପିପିଲିରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କଳା ବ୍ୟାଗ ମିଳିଲା। ପୁଲିସ ସେ ବ୍ୟାଗ ସେହି ଗାଡ଼ିରୁ ଅନ୍ୟ ଗାଡ଼ିକୁ ନେବାରେ ସାହାଯ୍ୟ କଲା। ଯାହାକୁ ପରେ ବିଜେଡି ନେତା ନେଇଗଲେ। ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବାକୁ ବିଜେଡି ଚାହୁଁନି । ଶାସକ ଦଳ ଭୟ ଓ ଆକ୍ରମଣର ରାଜନୀତି କରୁଛି ବୋଲି ଆଜି ସମ୍ବିତ ପାତ୍ର କହିବା ସହିତ ବିଜେଡି ଉପରେ ବର୍ଷିଛନ୍ତି ।

ସମ୍ବନ୍ଧିତ ଖବର