ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀ: ବ‌ର୍ଷେ ହେଲା ଲିଜ୍ ଖାଦାନ ବନ୍ଦ, ମାଫିଆ ମାଲାମାଲ

ଯାଜପୁର : ରାଜ୍ୟର ଅନ୍ୟତମ ଧନୀ ତହସିଲ ଭାବେ ପରିଚିତ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳର ଖଣିଖାଦାନ ମାଫିଆଙ୍କ କବଜାରେ। ନିୟମିତ ଏଠାରୁ ବ୍ୟାପକ କଳାପଥର(ଗ୍ରାନାଇଟ୍) ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକୁ ଚୋରାଚାଲାଣ ହେଉଛି। ଅଥଚ ଲିଜ୍ ଆହ୍ବାନ କରାଯାଇଥିବା ଗୋଟିଏ ବି ଖାଦାନ ଆଜି ପର୍ଯ୍ୟନ୍ତ ଚାଲୁ ହୋଇନି। ୨୦୨୧-୨୦୨୨ଅର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ସପ୍ତାହ ବାକି ଅଥଚ ଧର୍ମଶାଳା ତହସିଲର କଳାପଥର ଖାଦାନଗୁଡ଼ିକର ନିଲାମ ପ୍ରକ୍ରିୟା ଶେଷ ହୋଇପାରିଲା ନାହିଁ। ଫଳରେ ସରକାରୀ, ଘରୋଇ ଓ ଶିଳ୍ପାନୁଷ୍ଠାନର ନିର୍ମାଣ କାମକୁ ପଥର ମାଫିଆ ନିୟନ୍ତ୍ରଣ କରି ମାଲାମାଲ ହେଉଛନ୍ତି। ଯାଜପୁର ଜିଲ୍ଲାରେ ଦୁଇ ଦୁଇଟି ଜାତୀୟ ରାଜପଥ(ଚଣ୍ଡିଖୋଲ-ସୁକିନ୍ଦା ଓ ଚଣ୍ଡିଖୋଲ- ଭଦ୍ରକ) ସହିତ ସୁକିନ୍ଦା- ଅନୁଗୁଳ ରେଳପଥ କାମରେ ହଜାର ହଜାର ଘନମିଟର କଳାପଥର ବ୍ୟବହାର ହେବା ସହିତ ଘରୋଇ କାମ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଚୋରା କଳାପଥର ବ୍ୟବହାର ହେଉଛି। ଖାଦାନ ନିଲାମ ନହେବା ଫଳରେ ସରକାର ବର୍ଷକୁ ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ବ୍ୟାପକ ଚୋରା କାରବାର ଧର୍ମଶାଳା ଓ ଜେନାପୁର ଥାନା ଅଞ୍ଚଳରେ ମାଫିଆରାଜକୁ ଉତ୍ସାହିତ କରିଛି। ଏହି ଅଞ୍ଚଳରେ ଥିବା ପାହାଡ଼ପର୍ବତ ଓ ଜଙ୍ଗଲ ଜମିରେ ଶହ ଶହ ଫୁଟର ଗାଡ଼ ସୃଷ୍ଟି ହୋଇଛି। ଲଘୁ ଖଣିଜ ସମ୍ପଦ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଓ ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ ରହିଛି।

ନିର୍ବାଚନ ଆଳରେ ଜିଲ୍ଲାରେ ବାଲି, ଗୋଡି ଓ ପଥର ମାଫିଆ କୋଟି କୋଟି ଟଙ୍କାର ମୁନାଫା କରିବାରେ ଲାଗିଛନ୍ତି। ଧର୍ମଶାଳା ତହସିଲରେ ଦୀର୍ଘ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି। କଳାପଥର କେଳେଙ୍କାରୀ ବିବାଦରେ ପ୍ରଶାନ୍ତ ସାମନ୍ତରାୟ ବଳି ପଡ଼ିବା ପରେ ଯୋଗ ଦେଇଥିବା ନୂତନ ତହସିଲଦାର ସ୍ବାଗତ ଦାସ ବିଭିନ୍ନ ବିବାଦରେ ଫସିଯାଇଛନ୍ତି। ‌ବିଭିନ୍ନ ସମୟରେ ଶ୍ରୀ ଦାସଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଆଇନଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ ତହସିଲ ଅଞ୍ଚଳରେ ମାଫିଆରାଜ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ ଶତାଧିକ ବେଆଇନ ଖାଦାନରୁ ଶହ ଶହ ଟ୍ରକ୍‌ ଚୋରା କଳାପଥର ଚାଲାଣ ହେଉଛି। ମାତ୍ର ତହସିଲ ପକ୍ଷରୁ କୌଣସି ଚଢଉ ହେଉ ନାହିଁ। କୁସୁନପୁର ପାହାଡ଼(ଜଙ୍ଗଲ ଜମି)ରୁ ମାଫିଆମାନେ ଦୀର୍ଘ ହେଲା ଲକ୍ଷାଧିକ ଘନମିଟର କଳାପଥର ଚୋରି କରିନେବାରେ ଲାଗିଥିବା ବେଳେ ତହସିଲର ସେଥି ପ୍ରତି ନଜର ନାହିଁ। ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଜେନାପୁର ଥାନା ପୁଲିସ ଚଢ଼ଉ ଜାରି ରଖିଛି। ସେହିପରି ଏବେ ରାହାଡ଼ପୁରରେ ବ୍ୟାପକ ଚୋରା ପଥର ଚାଲାଣ ଆରମ୍ଭ ହୋଇଯାଇଛି।

ଧର୍ମଶାଳା ତହସିଲ ପକ୍ଷରୁ ୨୦୨୧ ଫେବ୍ରୁଆରିରେ ୨୬ଟି ଖାଦାନ ନିଲାମ ଆହ୍ବାନ କରାଯାଇଥିଲା। ସେଥି ମଧ୍ୟରୁ ମାତ୍ର ୨ଟି ଜଣେ ଲିଜଧାରୀ କୁନା ପ୍ରଧାନ ପାଇଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ତାହା ଖୋଲିଲା ନାହିଁ। ସିଆରେ ଅନୁମତି ପାଇଁ ପଡିଛି। ଏହା ପରେ ମଧ୍ୟ ପ୍ରାୟ ୩୯ଟି ଖାଦାନ ନିଲାମ ପାଇଁ ତହସିଲ ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଆହ୍ବାନ କରିଥିଲେ। ମାତ୍ର ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଖୋଲିଲା ନାହିଁ। କିନ୍ତୁ ସେହି ଖାଦାନଗୁଡ଼ିକୁ ନିୟମିତକଳାପଥର ଚୋରା ଚାଲାଣ ଚାଲିଛି। ସରକାରୀ ସ୍ତରରେ ସର୍ଭେ ‌ହେଉଥିବା ଖାଦାନରେ ଗଚ୍ଛିତ କଳାପଥର ପରିମାଣ ମାଫିଆମାନଙ୍କ ଦ୍ବାରା ଲୁଟ ହେବାରେ ଲାଗିଛି। ଏବେ କିପରି ତହସିଲ ଲିଜଧାରୀଙ୍କ ଠାରୁ ବହୁ ପୂର୍ବରୁ ସର୍ଭେ ହୋଇଥିବା ଗଚ୍ଛିତ କଳାପଥର ପରିମାଣ ଉପରେ ରାଜସ୍ବ ଆଦାୟ କରିବ? ଧର୍ମଶାଳାରେ ଜଣେ ଅଭିଜ୍ଞ ଅଧିକାରୀଙ୍କ ନେତୃତ୍ବରେ ତହସିଲକୁ ନିୟନ୍ତ୍ରଣ କରାଯିବା ସହିତ ସ୍ବତନ୍ତ୍ର ପୁଲିସ ଫୋର୍ସ ମୁତୟନ ‌କରାନଗଲେ ବେଆଇନ ଖନନ ଓ ଚୋରା ଚାଲାଣକୁ ରୋକିବା ଅସମ୍ଭବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର