ଇତିହାସ ରଚିଲେ ଦୃଷ୍ଟିବାଧିତ ସୌମ୍ୟା

ଭୁବନେଶ୍ୱର : ଜନ୍ମ ହେଉଣୁ ସମାଜରେ ତାଙ୍କ ପାଇଁ ଭିନ୍ନ ଏକ ସ୍ଥାନ ନିରୂପିତ ହୋଇଯାଇଥିଲା। କୋଳରେ କୁଆଁକୁଆଁ ରଡ୍ଡି ଛାଡ଼ୁଥିବା କଅଁଳ ଶିଶୁଟିକୁ ଦେଖି ସେଦିନ ଖୋଦ ବାପା ମା ବି ଭାଙ୍ଗି ପଡ଼ିଥିଲେ। କାରଣ, ସଭିଙ୍କ ଆଖିରେ ସେ ଥିଲେ ଦିବ୍ୟାଙ୍ଗ। କିନ୍ତୁ ଆଜି ୧୪ ବର୍ଷ ପରେ ସେଇ କୁନି ଝିଅଟି ଅନେକ ସକ୍ଷମଙ୍କୁ ଟପିି ସୃଷ୍ଟି କରିଛନ୍ତି ଉଦାହରଣ। କେବେ ଦୁନିଆକୁ ଦେଖି ନଥିବା କୁନିଝିଅ ସୌମ୍ୟାଶ୍ୱେତା ବେହେରା ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୮୯ ପ୍ରତିଶତ ନମ୍ବର ରଖି ଅନେକଙ୍କ ମଧ୍ୟରେ ସାଜିଛନ୍ତି ଅନନ୍ୟା।

ବ୍ରେଲି ସ୍କ୍ରିପ୍ଟ ଓ ଅଡ଼ିଓ ପାଠ ଶୁଣିଶୁଣି ୮୯ ପ୍ରତିଶତ ନମ୍ବର ରଖି ସେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଇତିହାସରେ ଇତିହାସ ରଚିଛନ୍ତି। ଇତିହାସ ଓ ଭୂଗୋଳକୁ ଛାଡ଼ି ସାହିତ୍ୟ, ଇଂରାଜୀ, ସଂସ୍କୃତରେ ୯୦ ପ୍ରତିଶତରୁ ଊର୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଇଚ୍ଛାଶକ୍ତି ଆଗରେ ଯେ ସମସ୍ତ ପ୍ରତିକୂଳ ପରିସ୍ଥିତି ହାର୍‌ ମାନେ, ତାହା ପ୍ରମାଣିତ କରିଛନ୍ତି ସୌମ୍ୟଶ୍ୱେତା। ବାପା ଅସୀମ କୁମାର ବେହେରା ଏବଂ ମା ମନ୍ଦାକିନୀ ବେହେରାଙ୍କ ଝିଅ ସୌମ୍ୟାଙ୍କ ଘର ବାଙ୍କୀ ତାଳବସ୍ତରେ ହୋଇଥିଲେ ହେଁ ସେ ସଂପ୍ରତି ରଙ୍ଗମାଟିଆରେ ରହୁଛନ୍ତି। ପିଲାମାନେ ଦୃଷ୍ଟିବାଧିତ ହେବାର ୫୭ କାରଣ ଥିବା ବେଳେ ସୌମ୍ୟା କର୍ଣ୍ଣିଆଲ୍‌ ଡରମଏଡ୍‌ ଯୋଗୁଁ ଦୃଷ୍ଟିବାଧିତ ହୋଇ ଜନ୍ମ ନେଇଥିଲେ। ପ୍ରଥମେ ଝିଅକୁ ଦେଖି ଅସୀମ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପରେ ତାଙ୍କର ହୃଦବୋଧ ହୋଇଥିଲା ସୌମ୍ୟାକୁ ନେଇ ସେ ସ୍ୱପ୍ନ ଦେଖିବେ। ତେବେ ଖାଲି ପାଠପଢ଼ାରେ ନୁହେଁ, ଜଣେ ଦୃଷ୍ଟିବାଧିତ ୧୪ ବର୍ଷର ଝିଅଟିଏ ଯେ ଶ୍ରୀମଦ ଭଗବତ ଗୀତାର ୧୮ଟି ଅଧ୍ୟାୟକୁ ପ୍ରାଞ୍ଜଳ ବ୍ୟାଖ୍ୟା କରି ବୁଝାଇ ଦେଇପାରେ ଏହା ହୁଏତ କାନକୁ ବିଶ୍ୱାସ ହେଉ ନଥିବ। କିନ୍ତୁ ଏହା ହିଁ ନିଚ୍ଛକ ବାସ୍ତବତା। ସୌମ୍ୟାଙ୍କ ଭବିଷ୍ୟତ ଲକ୍ଷ ସେ ଆଇନ୍‌ ପାଠ ପଢ଼ି ଆଇନଜ୍ଞ ହେବେ। ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେବେ। ସୌମ୍ୟା ଯେ ହାର୍‌ ମାନିବା ପିଲା ନୁହନ୍ତି ତାହା ତାଙ୍କ ଦମ୍ଭୋକ୍ତିରୁ ସ୍ପଷ୍ଟ ଅନୁମେୟ। ସୌମ୍ୟାଙ୍କ ବାପା ଅସୀମ କୁହନ୍ତି, ଦିନେ ବନ୍ଧୁ ସହୋଦର କହୁଥିଲେ, ଆଃ ଅସୀମର ଝିଅଟା ଦୃଷ୍ଟିହୀନ ହେଇଗଲା। ଏବେ କିନ୍ତୁ କେହି କହୁନାହାନ୍ତି ସୌମ୍ୟା ଅସୀମର ଝିଅ। ବରଂ ସମସ୍ତେ କହୁଛନ୍ତି ଯାହା ହଉ ଅସୀମ ସୌମ୍ୟାର ବାପା। ଜଣେ ବାପା ପାଇଁ ଏହାଠୁ ବଡ଼ ଉପଲବ୍ଧି ଆଉ କ’ଣ ବା ହେଇପାରେ…।

ସମ୍ବନ୍ଧିତ ଖବର