ଏସ୍‌ସିବିରେ ୱାର୍ଡରୁ ରକ୍ତ ନମୁନା ସଂଗ୍ରହ ଆଜିଠୁ

ଆରମ୍ଭ ହେବ ଆଟେଣ୍ଡାଣ୍ଟ ପାସ୍‌ ବ୍ୟବସ୍ଥା, ଜଣେ ରୋଗୀଙ୍କୁ ଜଣେ ଆଟେଣ୍ଡାଣ୍ଟ

କଟକ : କଟକ ବଡ଼ଡାକ୍ତରଖାନା (ଏସ୍‌ସିବି)ରେ ରୋଗୀମାନଙ୍କ ସୁବିଧା ପାଇଁ ଏକ ସ୍ବତନ୍ତ୍ର ପଦ‌କ୍ଷେପ ନିଆଯାଇଛି। ଆଜିଠାରୁ ଏଣିକି ସବୁ ବିଭାଗରେ ୱାର୍ଡରୁ ରକ୍ତ ନମୁନା ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରାଯିବ। କେବଳ ସେତିକି ନୁହେଁ, ୱାର୍ଡ ଭିତରେ ଗହଳି ହଟାଇବା ପାଇଁ ଏଣିକି ଜଣେ ରୋଗୀଙ୍କୁ ଜଣେ ଆଟେଣ୍ଡାଣ୍ଟ ବା ପାସ୍‌ ବ୍ୟବସ୍ଥା‌ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବିର ସବୁଠାରୁ ବ୍ୟସ୍ତବହୁଳ ମେଡିସିନ୍‌ ବିଭାଗରେ ସୋମବାରଠାରୁ ଏହି ଯୋଜନା ଆରମ୍ଭ ହେବ। ଆଗକୁ, ଅର୍ଥାତ୍‌ ଅଗଷ୍ଟ ୧ ସୁଦ୍ଧା ସବୁ ବିଭାଗରେ ଜଣେ ରୋଗୀଙ୍କୁ ଜଣେ ଆଟେଣ୍ଡାଣ୍ଟ ବା ପାସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ସୂଚନା ଦେଇଛନ୍ତି।

ଏସ୍‌ସିବିରେ ଯେଉଁ ‌ଆଟେଣ୍ଡାଣ୍ଟ ପାସ୍‌ ବ୍ୟବସ୍ଥା ଲାଗୁ କରାଯିବାର ଯୋଜନା ହୋଇଛି, ସେଥିରେ ଜଣେ ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟ ରହିବେ। ଯଦି କୌଣସି ରୋଗୀଙ୍କ ପାଇଁ ଅଧିକ ଆଟେଣ୍ଡାଣ୍ଟ୍‌ ଆବଶ୍ୟକ ଥିବାନେଇ ଡାକ୍ତର ଓ ନର୍ସ ଯଦି ରିପୋର୍ଟ ଦିଅନ୍ତି, ତେବେ ଉକ୍ତ ରିପୋର୍ଟକୁ ଭିତ୍ତିକରି ୱାର୍ଡରୁ ସଂପୃକ୍ତ ରୋଗୀଙ୍କ ପାଇଁ ଅଧିକ ଆଣ୍ଟେଣ୍ଡାଣ୍ଟ ପାସ୍‌ ପ୍ରଦାନ କରାଯିବ। ଯେହେତୁ ରକ୍ତ ନମୁନା, ରିପୋର୍ଟ ଓ ଔଷଧ ୱାର୍ଡରେ ପହଞ୍ଚୁଛି, ତେଣୁ ଅଧିକ ଆଟେଣ୍ଡାଣ୍ଟଙ୍କ ଆବଶ୍ୟକ ହେବନି ବୋଲି ଧରି ଏସ୍‌ସିବି କର୍ତ୍ତୃପକ୍ଷ ଏଭଳି ଆଟେଣ୍ଡାଣ୍ଟ ପାସ୍‌ ବ୍ୟବସ୍ଥା ଆରମ୍ଭ କରୁଛନ୍ତି। ଏହି ବ୍ୟବସ୍ଥା ମେଡିସିନ୍‌ ବିଭାଗରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ସବୁ ବିଭାଗରେ ଅଗଷ୍ଟ ପହିଲା ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଏସ୍‌ସିବିରେ ଏହି ବ୍ୟବସ୍ଥା ଲାଗୁ ହେଲେ ୱାର୍ଡ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବ। ତା’ଛଡ଼ା; ଦଲାଲମାନେ ଯେମିତି ମନଇଚ୍ଛା ପଶି ରୋଗୀଙ୍କୁ ଘରୋଇ ହସ୍ପିଟାଲ ମୁହାଁ କରାଉଥିଲେ, ତା’ ଉପରେ ବି ଅଙ୍କୁଶ ଲାଗିପାରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଏସ୍‌ସିବିରେ ନୂତନ କୁଳସଚିବଙ୍କ ଯୋଗଦାନ ପରେ ରୋଗୀ ସେବା କ୍ଷେତ୍ରରେ ଓ ବ୍ୟବସ୍ଥାରେ ଅନେକ ସଂସ୍କାର ମୂଳକ ଓ ନୂତନ କାର୍ଯ୍ୟଧାରା ହାତକୁ ନିଆଯାଇଛି। ଏଭଳି କାର୍ଯ୍ୟ ଜାରି ରହିଲେ ଆଗକୁ ଏସ୍‌ସିବିରେ ଇନ୍‌ଡୋର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ବ୍ୟବସ୍ଥିତ ହୋଇପାରିବ। କେବଳ ସେତିକି ନୁହେଁ, ଏସ୍‌ସିବିରେ ଅନ୍‌ଲାଇନ୍‌ ଓପିଡି ଟିକେଟ୍‌ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି ଓ ପ୍ରତିଦିନ ହଜାରେ ଉପରେ ରୋଗୀ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥାର ସୁଫଳ ପାଇପାରୁଛନ୍ତି।

ସମ୍ବନ୍ଧିତ ଖବର