ଡେଲାଙ୍ଗରେ ବୋମାମାଡ଼, ରାସ୍ତାରୋକ

ପୋଖରୀରୁ ଦଳ କାଢ଼ିବାକୁ ନେଇ ବିବାଦ

ଡେଲାଙ୍ଗ : ମୁନିନ୍ଦା ଗ୍ରାମରେ ଥିବା ପଞ୍ଚାୟତ ପୋଖରୀରୁ ଗ୍ରାମବାସୀଙ୍କ ଦ୍ୱାରା ଦଳ ସଫେଇ ବେଳେ ଆଜି ଅଭାବନୀୟ ସ୍ଥିତି ଉପୁଜିଛି। ଏହାକୁ ନେଇ ସେଠାରେ ବୋମାମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ମୁନିନ୍ଦା ପଞ୍ଚାୟତରେ ଥିବା ପୋଖରୀରେ ଦଳ ଭର୍ତ୍ତି ହୋଇ ରହିଥିବା ଯୋଗୁ ଏହା ବ୍ୟବହାର ଅନୁପଯୋଗୀ ହୋଇ ପଡ଼ି ରହିଥିଲା। ତେଣୁ ଗ୍ରାମବାସୀ ପୋଖରୀ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଜଣାଇଥିଲେ। ଆଜି ସକାଳ ୯ଟାରୁ ଦଳ କଢ଼ା ଆରମ୍ଭ କରିଥିଲେ। ଏହି ଦଳ କଢାର ୧ ଘଣ୍ଟା ପରେ ସ୍ଥାନୀୟ ମୁନିନ୍ଦା ନାଏବ ସରପଞ୍ଚ ଅର୍ଜୁନ ପ୍ରଧାନ, ତାଙ୍କ ସାଥୀ ଭୀମସେନ ପ୍ରଧାନ, ବେଲପଡା ଗ୍ରାମର ଅଭିମନ୍ୟୁ ପରିଡ଼ା, ସାଲୁ ଓ ଭିକି ୨ଟି ବାଇକ୍‌ରେ ଆସି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ।

ସେ ନିଲାମ ନେଇଥିବା ପୋଖରୀରୁ କାହିଁକି ଦଳ କଢ଼ା ଚାଲିଛି ବୋଲି ଶ୍ରୀ ପ୍ରଧାନ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହ ୪ଟି ବୋମାମାଡ଼ କରିଥିଲେ। ଭୟରେ ଗ୍ରାମବାସୀମାନେ ଦଉଡି ପଳାଇବାବେଳେ ଶ୍ରୀ ପ୍ରଧାନ ଓ ସାଥୀମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷ ବେହେରା, ସୁବାଷ ପ୍ରଧାନ, କୈଳାସ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀମାନେ ଏହାର ପ୍ରତିବାଦ କରି ଡେଲାଙ୍ଗ କଣାସ ପୂର୍ତ୍ତ ବିଭାଗ ରାସ୍ତାର ମୁନିନ୍ଦାର ଇତିଶ୍ରୀ ବସ୍‍ ଷ୍ଟାଣ୍ଡ ଠାରେ ରାସ୍ତାରୋକ କରିଥିଲେ। ଡେଲାଙ୍ଗ ଥାନା ଅଧିକାରୀ ଦୟାନିଧି ନାୟକ ଘଟଣା ସ୍ଥଳରେ ପହଞ୍ଚି ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ସମ୍ବନ୍ଧିତ ଖବର