ଇତିହାସ ଲେଖାର ଭାଷା ଓ ଶୈଳୀ ଉତ୍ସାହପ୍ରଦ ହେବା ଆବଶ୍ୟକ: ସୌମ୍ୟ

ବିମଳେନ୍ଦୁ ମହାନ୍ତିଙ୍କ ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଶାର ସମକାଳୀନ ଇତିହାସ ସମ୍ପର୍କରେ ଆମେ ବିଶେଷ କିଛି ଜାଣୁନା। ଜାଣିବାକୁ ଇଚ୍ଛା କଲେ କି ଚେଷ୍ଟା କଲେ ବି ସେଭଳି କିଛି ଇତିହାସ ପୁସ୍ତକ ଆମ ହସ୍ତଗତ ହୁଏନା। ଡ. ହରେକୃଷ୍ଣ ମହତାବ ଓ ନବୀନ ସାହୁଙ୍କ ଭଳି ଚାରି ପାଞ୍ଚ ଜଣ ଐତିହାସିକଙ୍କୁ ଛାଡ଼ିଦେଲେ ଓଡ଼ିଶା ଇତିହାସ ସମ୍ପର୍କରେ ବିଶେଷ କେହି ଲେଖିନାହାନ୍ତି। ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଶାର ଇତିହାସକୁ ନେଇ ଏକ ପୁସ୍ତକ ପ୍ରକାଶ ପାଇଥିଲେ ସୁଦ୍ଧା ତାହା ବି ବିଶେଷ ସୁଫଳ ଦେଇପାରିନାହିଁ। ଇତିହାସ ଯଦି ଅତି ପରିମାଣରେ ଉତ୍ସାହିତ କରିବ ନାହିଁ, ଇତିହାସ ଯଦି ଉନ୍ମାଦିତ କରିବ ନାହିଁ କିମ୍ବା ଇତିହାସ ଯଦି ନିଜ ଅତୀତ ସମ୍ପର୍କରେ ସଚେତନ କରିବ ନାହିଁ; ତେବେ ଉତ୍ତରପିଢ଼ି ଇତିହାସ ସହ ଯୋଡ଼ି ହୋଇପାରିବେ ନାହିଁ। ପାଠକ ମନରେ ଉତ୍ସାହ ସୃଷ୍ଟି କରିବା ଭଳି ଇତିହାସ ଲେଖାର ଭାଷା ଓ ଶୈଳୀ ହେବା ଆବଶ୍ୟକ। ଆଜି ‘ସମ୍ବାଦ ଭବନ’ ପରିସରରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ଲୋକାର୍ପଣ ଉତ୍ସବରେ ଏଭଳି ମତ ରଖିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଶ୍ରୀ ମହାନ୍ତିଙ୍କ ଏହି ପୁସ୍ତକ ଇତିହାସକୁ ଐତିହାସିକର ଛୋଟ ଏକ ଅବଦାନ ଭାବେ ଅଭିହିତ କରିଥିଲେ ଶ୍ରୀ ପଟ୍ଟନାୟକ। ଏହି ପୁସ୍ତକଟି ପିଲାମାନଙ୍କ ପାଇଁ, ନୂଆପିଢ଼ିଙ୍କ ଆଗରେ ମହାତ୍ମା ଗାନ୍ଧୀଙ୍କୁ ପରିଚିତ କରିବାରେ ସାହାଯ୍ୟ କରିବ। ଏବେ ଇତିହାସର ପୁନର୍ଲିଖନର ଚେଷ୍ଟା ଚାଲିଛି। ନୂଆ ଇତିହାସ ରଚନାରେ କିଛି ଆପତ୍ତି ରହିବା ଉଚିତ ନୁହେଁ। କିନ୍ତୁ କିଛି କଥାକୁ ଲିଭେଇ ନ ଦେଲେ ଯେ ଅନ୍ୟ କିଛି ନୂଆ ଲେଖି ହେବନି; ଏହି ଧାରଣାଟି ଆମ ସଭ୍ୟତା ପାଇଁ ବିପଦପୂର୍ଣ୍ଣ। ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଯେଉଁ ପ୍ରବଣତା ଏବେ ଭାରତରେ ଦେଖାଦେଇଛି, ସେଥିପାଇଁ ଆଲୋକବର୍ତିକା ଭଳି ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ପୁସ୍ତକ କାମ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗ ଦେଇ କହିଲେ, ସାଧାରଣ ବ୍ୟକ୍ତିଟିଏ ଯେ ଦିନେ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରେ ତାହା ଆମକୁ ମହାତ୍ମା ଗାନ୍ଧୀ ଶିଖା‌ଇ ଯାଇଛନ୍ତି। ଲେଖକ ଶ୍ରୀ ମହାନ୍ତିଙ୍କଠାରୁ ବି ସେମିତି କିଛି ଆମକୁ ଶିଖିବାର ଅଛି। ବୟସର ଅପରାହ୍ନରେ ବି ‌ସେ ବିଭିନ୍ନ ଗବେଷଣା କରି ଓ ତଥ୍ୟ ସଂଗ୍ରହ କରି ସାରସ୍ବତ ସାଧନା ଜାରି ରଖିଛନ୍ତି। ଶ୍ରୀ ମହାନ୍ତିଙ୍କ ଏହି ପୁସ୍ତକ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ସେ କହିଛନ୍ତି। ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି କହିଲେ, ଲେଖକ ଶ୍ରୀ ମହାନ୍ତିଙ୍କ ପୁସ୍ତକ ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ବେଶ୍‌ ସୁଖପାଠ୍ୟ, ତଥ୍ୟଭିତ୍ତିକ, ସରଳ ଭାଷାରେ ଲିଖିତ ଓ ସମସ୍ତ ପ୍ରକାର ପାଠକଙ୍କ ପାଇଁ ଉପାଦେୟ। ଏହା ସବୁ ବର୍ଗର ପାଠକଙ୍କୁ ସନ୍ତୁଷ୍ଟ କରିପାରିବ ଓ ଉତ୍ତରପିଢ଼ିଙ୍କ ନିକଟରେ ଗାନ୍ଧୀଜୀଙ୍କୁ ଅଧିକ ପରିଚିତ କରାଇବ।

ଏହି ଅବସରରେ ଶ୍ରୀ ମହାନ୍ତି ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଆମ ଓଡ଼ିଶା ପକ୍ଷରୁ ଗାନ୍ଧୀଜୀଙ୍କ ସମ୍ପର୍କରେ ୧୦ଟି ପୁସ୍ତକ ପ୍ରକାଶିତ ହୋଇଥିଲା। ଯାହାକି ମୋତେ ଗାନ୍ଧୀଜୀଙ୍କୁ ନେଇ ଅଧିକ ଗବେଷଣା କରିବା ଓ ତାଙ୍କ ବିଷୟରେ ଲେଖିବାର ପ୍ରେରଣା ଦେଇଥିଲା।

ପ୍ରାରମ୍ଭରେ ମହୋବଧି ସୋସାଇଟିର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାଗତ ଭା‌ଷଣ ଦେଇଥିବାବେଳେ ଟ୍ରଷ୍ଟି ସୌମେନ୍ଦ୍ର ମହାପାତ୍ର, ସାହିତ୍ୟିକ ସୁରେନ୍ଦ୍ର କୁମାର ମହାରଣା ଓ ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ଲେଖକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର