ବ୍ରଜରାଜନଗର ଉପନିର୍ବାଚନ: ପ୍ରସଙ୍ଗ ଭୁଲି ଟିକେଟ୍‌ ଚିନ୍ତାରେ ଭୋଟର୍‌

ଝାରସୁଗୁଡା : ଓଡ଼ିଶା ରାଜନୀତିରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ରାଜ୍ୟର ଅନ୍ୟତମ ସର୍ବବୃହତ୍‌ ବ୍ଲକ ଲଖନପୁରର ୩୩ଟି ପଞ୍ଚାୟତ, ଝାରସୁଗୁଡ଼ାର ୫ଟି ପଞ୍ଚାୟତ ସମେତ ଏହି ନିର୍ବାଚନ ମଣ୍ଡଳୀରେ ରହିଛି ଦୁଇଟି ପୌରାଞ୍ଚଳ ବ୍ରଜରାଜନଗର ଓ ବେଲପାହାଡ଼। ୧୯୬୧ ମସିହାରେ ଗଠିତ ଏହି ବିଧାନସଭା ଆସନରେ ସର୍ବାଧିକ ସମୟ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳ ଅକ୍ତିଆରରେ ଥିଲା। ବିଜେପି ହାତକୁ ଥରେ ଏହି ଆସନ ଯାଇଥିବା ବେଳେ ଗତ ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲା। ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହି ଆସନରେ ଏବେ ଉପନିର୍ବାଚନ ହେବାକୁ ଯାଉଛି। ଉପନିର୍ବାଚନରେ କିଏ କେଉଁ ଦଳର ଟିକେଟ ପାଇବ ତାକୁ ନେଇ ଚର୍ଚ୍ଚା ଅଧିକ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରକୃତ ସମସ୍ୟା କ’ଣ ଓ ଏହାର ନିରାକରଣ ବାବଦରେ ସମସ୍ତେ ଭୁଲି ଯାଇଛନ୍ତି।

ଏହି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇ ସରକାରଙ୍କ ତହବିଲକୁ ଯାଉଥିବା ବେଳେ ଏଠାକାର ଜନସାଧାରଣଙ୍କ ସାଧାରଣ ସମସ୍ୟା ପୂରଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାର ସହାୟ ହୋଇ ନଥିବା ଅଭିଯୋଗ ହୋଇଥାଏ। ଏହି ଅଞ୍ଚଳରେ ରହିଛି କଳା ହୀରାର ଏକାଧିକ ଖଣି। ଯେଉଁଥି ପାଇଁ ଏହି ଅଞ୍ଚଳ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥାଏ। ଏକଦା ବ୍ରଜରାଜନଗରଠାରେ ବିର୍ଲା ଗ୍ରୁପ ଦ୍ବାରା ପ୍ରତିଷ୍ଠା ହୋଇଥିବା ଓରିଏଣ୍ଟ କାଗଜକଳ ଏହି ଅଞ୍ଚଳକୁ ସମୃଦ୍ଧ କରିବା ସହିତ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ‌କାଗଜକଳ କହିଲେ ସେହି ସମୟରେ ବ୍ରଜରାଜନଗରକୁ ବୁଝାଉଥିଲା। ‌କେବଳ ପରିଚୟ ନୁହେଁ ଏହି କାଗଜକଳ ଲୋକଙ୍କୁ ଦେଖାଇଥିଲା ରୋଜଗାରର ବାଟ। କିନ୍ତୁ ହଠାତ ଏହି କାଗଜକଳ ବନ୍ଦ ହୋଇଯିବା ପରେ ଏହି ଅଞ୍ଚଳର ଆର୍ଥିକ ବିକାଶ ବାଧାପ୍ରାପ୍ତ ହୋଇ ପଡ଼ିଥିଲା। ହଜାର ହଜାର ଲୋକ ରୋଜଗାର ହରାଇଥିଲେ। ଫଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ‌ଚାକଚକ୍ୟଭରା ଏହି ସହର ଶ୍ରୀହିନ ହୋଇଯାଇଥିଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି କାଗଜକଳକୁ ପୁନର୍ବାର କାର୍ଯ୍ୟକ୍ଷକ କରାଯିବାକୁ ଆଉ ‌ଉଦ୍ୟମ କରାଯାଇ ନଥିଲା। ଫଳରେ କୋଟି କୋଟି ଟଙ୍କାର ଭିତ୍ତିଭୂମି ପଡ଼ି ରହି ଖତ ହୋଇ ଯାଇଥିଲା। ଅନେକ ସମୟରେ ଏହି କାଗଜ କଳର ପୁନରୁଦ୍ଧାର  କଥା ଉଠିଥାଏ ଓ ପୁଣି ଥଣ୍ଡା ପଡ଼ି ଯାଇଥାଏ।

ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ରହିଛି ହୀରାକୁଦ ବିସ୍ଥାପିତ ଓ ଖଣି ବିସ୍ଥାପିତଙ୍କ ସମସ୍ୟାର ଲମ୍ବା କାହାଣୀ। ହୀରାକୁଦ ବନ୍ଧ ନିର୍ମାଣ ବେଳେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ଏ ପର୍ଯ୍ୟନ୍ତ ନ୍ୟାୟ ପାଇ ନଥିବା ବେଳେ ଖଣି ବିସ୍ଥାପିତ ମଧ୍ୟ ସମାନ ଅବସ୍ଥାରେ ରହିଛନ୍ତି। ଓଡ଼ିଶାରେ ମହାନଦୀର ଦ୍ବାର ହୋଇଥିବା ଏହି ଅଞ୍ଚଳରେ ହୀରାକୁଦର ବିଶାଳ ଜଳରାଶି ଏହି ନିର୍ବାଚନ ମଣ୍ଡଳୀର ଭାଗ୍ୟ ବଦଳାଇବାରେ କୌଣସି ସହାୟକ ହେଉନାହିଁ। ଗୋଟିଏ ପଟେ କୋଇଲା ପ୍ରଦୂଷଣ ଓ ଅନ୍ୟପଟେ ଏନ୍‌ଟିପିସିର ପ୍ରଦୂଷଣରେ ପେଷି ହେଉଛନ୍ତି ଏହି ନିର୍ବାଚନ ମଣ୍ଡଳୀର ଲୋକ। ଖଣି ଯୋଗୁଁ ଭୂତଳ ଜଳ ଖସି ଯାଉଥିବା ବେଳେ ସରକାର ଏହି ଖଣି ଅଞ୍ଚଳରେ ପାଣି ଯୋଗାଇବାକୁ ସକ୍ଷମ ହୋଇ ପାରି ନାହାନ୍ତି। ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ସାଧାରଣ ସୁବିଧା ମଧ୍ୟଏହି ନିର୍ବାଚନ ମଣ୍ଡଳୀରେ ଦୁର୍ଲଭ ଅଟେ। ଏତେ ସବୁ ସମସ୍ୟା ଥିବା ବେଳେ ତାକୁ ହାସଲ କରିବା ପାଇଁ ଏହି ଅଞ୍ଚଳର ଲୋକ‌େ ଅନେକ ସମୟରେ ଅଣ୍ଟା ଭିଡ଼ୁଥିବା ବେଳେ ନିର୍ବାଚନ ସମୟରେ ସମସ୍ୟା କଥା ଭୁଲିଯିବା ଦେଖିବାକୁ ମିଳିଥାଏ। ଜିଲ୍ଲା ସଦର ମହକୁମାଠାରୁ  ଶହେ କିଲୋମିଟର ଦୂରରେ ରହି ଆସୁଥିବା ଉଣେଇଶଖଣ୍ଡ ମୌଜାର ଲୋକ ପ୍ରାଶାସନିକ ସୁବିଧା ପାଇବାରେ ଘୋର ସମସ୍ୟା ଭୋଗିଥାନ୍ତି।  ଏହି ଉପନିର୍ବାଚନ ବେଳେ ସ୍ଥାନୀୟ ଲୋକେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ବଦଳରେ ପ୍ରସଙ୍ଗକୁ ଭୁଲି କାହାକୁ ଟିକେଟ୍‌ ମିଳିବ ସେ ନେଇ ନେତାଙ୍କୁ ଠାରୁ ଭୋଟର୍‌ ଅଧିକ ଚିନ୍ତାରେ ଥିବା ବିଡ଼ମ୍ବନା ବୋଲି ସଚେତନ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର