ଜମିପଟ୍ଟାରେ ନାମ ପରିବର୍ତ୍ତନ ପାଇଁ ୬୦୦୦ ଲାଞ୍ଚ ନେଉଥିଲେ ସହକାରୀ ରାଜସ୍ବ ନିରୀକ୍ଷକ, ମାଡ଼ିବସିଲା ଭିଜିଲାନ୍‌ସ

ଆରଆଇ କାର୍ଯ୍ୟା​ଳୟ ଓ ବାସଭବନ ଉପରେ ଚଢ଼ାଉ

ଜୟପୁର: ମୃତ ବାପାଙ୍କ ନାମରେ ଥିବା ଜମିକୁ ପୁଅଙ୍କ ନାମରେ କରି ଜମିପଟ୍ଟା (ଆରଓଆର) କରି ଦେବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁରରେ ଶନିବାର ଜଣେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଆଇ) ଜୟପୁର ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଜୟପୁର ବ୍ଲକର ମହାଳିଆପୁଟ ଗାଁର ନନ୍ଦୁ ଖରାଙ୍କ ବାପାଙ୍କ ନାଁରେ କୋରାପୁଟ ତହସିଲର ସୁକୁ ଗାଁରେ କିଛି ଜମି ରହିଛି। ତାଙ୍କ ମୃତ୍ୟୁ ପରେ ସେହି ଜମିକୁ ତାଙ୍କ ନାମରେ କରି ଜମିପଟ୍ଟା ଦେବା ପାଇଁ ନନ୍ଦୁ ସୁକୁ ଏଆରଆଇ ଅମିତ ବେହେରାଙ୍କୁ ଅନୁରୋଧ କରିଥିଲେ। ସେ ନାମ ପରିବର୍ତ୍ତନ କରି ନୂଆ ଜମିପଟ୍ଟା ଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗି​ଥିଲେ। ନନ୍ଦୁ ଏଥି ପୂର୍ବରୁ ୧୦ହଜାର ଟଙ୍କା ସୁକୁ ଆରଆଇ କାର୍ଯ୍ୟାଳୟକୁ  ଯାଇ ଦେଇକି ଆସିଥିଲେ। ଏହା ପରେ ନନ୍ଦୁ ଜୟପୁର ଭିଜିଲାନସ୍ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ୬ହଜାର ଟଙ୍କା ଦିଆଯାଇଥିଲା।

ନନ୍ଦୁ ଏଆରଆଇ ଅମିତଙ୍କୁ ଜୟପୁର ପାରାବେଡ଼ା ଛକକୁ ଆସି ଭେଟିଥିଲେ ଏବଂ ଆଜି ବଳକା ଟଙ୍କା ଦେ​ବେ ବୋଲି କହିଥିଲେ। ଆଜି ସେହି ବଳକା ୬୦୦୦ ଟଙ୍କା ଏଆରଆଇ ଅମିତଙ୍କୁ ପାରାବେଡ଼ା ଛକ ନିକଟରେ ଦେଇଥିଲେ। ପୂର୍ବରୁ ଭିଜିଲାନ୍‌ସର ଯୋଜନା ମୁତାବକ ପିଲ୍ମ ଷ୍ଟାଇଲରେ ଛପି ରହିଥିବା ଭିଜିଲାନସ୍ ଟିମ୍ ଅମିତଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ  ଧରିଥିଲେ। ତାଙ୍କ ନିକଟରୁ ରଂଗବୋଲା ଟଙ୍କାକୁ ଉଦ୍ଧାର କରିବା ସହ ହା​ତ ଧୋଇବାରେ ରଂଗ ବାହାରିଥିଲା। ଏହା ସହ ଆଉ ୨ଟି ଟିମ୍ ସୁକୁସ୍ଥିତ ଆରଆଇ କାର୍ଯ୍ୟାଳୟ ଓ କୋଲାବରେ ଥିବା ବାସଭବନ ଉପରେ ଚଢ଼ଉ କରାଯାଇଛି। ଅଭିଯୁକ୍ତ ଏଆରଆଇଙ୍କ ନାଁରେ ଦଫା ୭ପିସି ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଳାଣ କରାଯାଇଛି। ମାମଲାର ତଦନ୍ତ ଜାରି ରହିଥିବା ଜୟପୁର ଭିଜିଲାନସ୍ ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର