ବ୍ରାଉନ ସୁଗାର ଜବତ, ୨ ଗିରଫ

ପାଣିକୋଇଲି : ପାଣିକୋଇଲି ଥାନା ପୁଲିସ ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ହବିବ ନଗରର ଜିଲାନି ଖାଁ (୩୫) ଓ ହବିବ ନଗରର ୰ ରହିମ ଖାଁଙ୍କ ସ୍ତ୍ରୀ ମୁନି ବିବି। ଜିଲାନି ଷଠିପୁରରେ କବାଡ଼ିଆ ଦୋକାନ କରିଥିବାବେଳେ ମୁନି ବିବିର ମୂଳଘର ପଶ୍ଚିମବଙ୍ଗ ମିଦିନାପୁର ଥାନା ଚାନ୍ଦପୁରରେ। ସେମାନଙ୍କ ନିକଟରୁ ୫ଗ୍ରାମ ୬ଶହ ମିଲିଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଦୁହେଁ ଏକ ବାଇକ୍‌ (ଓଡି୨୨ଇ ୭୧୩୩)ରେ ଗତ ଶନିବାର ସକାଳେ ଏନ୍‌ଏଚ୍‌-୧୬ରେ ଭଦ୍ରକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିଲେ। ଷଠିପୁରଠାରେ ଏସଆଇ ଚିନ୍ମୟୀ ବେହେରା ନାକାବନ୍ଦୀ କରି ଯାଞ୍ଚ କରୁଥିବାବେଳେ ଦୁହେଁ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ବ୍ୟାଗ୍‌ରେ ଏକ ପ୍ଲାଷ୍ଟିକ ଜରି ପ୍ୟାକେଟ ଦେଖି ସନ୍ଦେହ ହୋଇଥିଲା। ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ତାହା ବ୍ରାଉନସୁଗାର ବୋଲି ପୁଲିସ ନିକଟରେ ସ୍ବୀକାର କରିଥିଲେ। ବାଲେଶ୍ବରରରୁ ଏହି ବ୍ରାଉନ ସୁଗାର ଆଣି ଯାଜପୁରରୋଡ୍‌ରେ ବିକ୍ରି କରୁଥିବା ସେମାନେ କହିଥିଲେ।

ମାଜିଷ୍ଟ୍ରେଟ ଭାବେ ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ବିକ୍ରମ ମଲ୍ଲିକ ପହଞ୍ଚିବା ପରେ ଜବତ ବ୍ରାଉନ ସୁଗାର ଓଜନ କରାଯାଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ୨୦୬/୨୧ ରୁଜୁ କରାଯାଇ ଦୁହିଁଙ୍କୁ ଗିରଫ କରାଯାଇଥିଲା। ରବିବାର ଅପରାହ୍‌ଣରେ ସେମାନଙ୍କୁ ଦଫା ୨୧(ବି) ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର