୨ ଲକ୍ଷ କୋଟିରୁ ଅଧିକ ଟଙ୍କାର‌ ବଜେଟ୍, ମନ୍ତ୍ରୀ ପରିଷଦର ମୋହର ବାଜିଲା

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଦିନ ଏହି ଚିଠା ବଜେଟ୍‌ରେ ମନ୍ତ୍ରୀ ପରିଷଦର ମୋହର ବାଜିଛି। ଖୁବ୍ ଶୀଘ୍ର କ୍ୟାବିନେଟ୍‌ ବୈଠକ ଡକାଯାଇ ସେଥିରେ ଚିଠା ବଜେଟ୍‌ ପାରିତ କରାଯିବ। ଜୁଲାଇ ୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିଲା ବେଳେ ସେହିଦିନ ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବେ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଗତ ମାର୍ଚ୍ଚରେ ବିଧା‌ନସଭାରେ ପାରିତ ହୋଇପାରି ନ ଥିଲା। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ ହୋଇପାରି ନ ଥିଲା। ତେଣୁ ମାର୍ଚ୍ଚ ମାସରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ଲେଖାନୁଦାନକୁ ବିଧାନସଭାରେ ଅନୁମୋଦନ ଦିଆଯାଇଥିଲା।

ନବଗଠିତ ମନ୍ତ୍ରିମଣ୍ଡଳର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି ସେମାନଙ୍କ ଆସ୍ଥାଭାଜନ ହେବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ସମ୍ପର୍କରେ ସୂଚନା ଦେଇଥିଲା। ଏହା ପରେ ବଜେଟ୍‌କୁ ମନ୍ତ୍ରୀ ପରିଷଦରେ ଅନୁମୋଦନ ଦିଆଯାଇଥିଲା।

ସମ୍ବନ୍ଧିତ ଖବର