ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ସପକ୍ଷରେ ବିଜେଡି

ନୂତନତ୍ବ ନାହିଁ; ସିଏଏ, ଏନ୍‌ଆର୍‌ସିଠାରୁ ପୂରା ଭିନ୍ନ

ଭୁବନେଶ୍ବର: ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଜାତୀୟ ସ୍ତରରେ ବିତର୍କ ଲାଗି ରହିଥିବା ବେଳେ ଆଜି ବିଜେଡି ଏ କ୍ଷେତ୍ରରେ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଗଣମାଧ୍ୟମ ସାମ୍ନାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏହି ପଞ୍ଜିକାରେ ନା କିଛି ନୂତନତ୍ବ ଅଛି ନା ନାଗରିକ ସଂଶୋଧନ ଆଇନ ( ସିଏଏ) ସହିତ କିଛି ସଂପର୍କ ଅଛି। ଏପରିକି ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନଆରସି) ସହିତ ମଧ୍ୟ କୌଣସି ସାମଞ୍ଜସ୍ୟ ନାହିଁ। ଶ୍ରୀ ଦେବଙ୍କ ଏଭଳି ମନ୍ତବ୍ୟ ପରୋକ୍ଷରେ ସୂଚାଇ ଦେଇଛି, ଏନପିଆରକୁ ବିଭିନ୍ନ ରାଜନୈତିକ ଦଳ ଯେଉଁ ବିରୋଧ କରୁଛନ୍ତି ସେଥିରେ ବିଜେଡି ସାମିଲ ନାହିଁ। ପୂର୍ବରୁ ନାଗରିକ ସଂଶୋଧନ ଆଇନ(ସିଏଏ)କୁ ବିଜେଡିରେ ସଂସଦରେ ସମର୍ଥନ ଦେଇଥିଲା। େହଲେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ନବୀନଙ୍କ ମନ୍ତବ୍ୟର ୭୨ ଘଣ୍ଟା ପରେ ଏନଆରସି ପ୍ରସଙ୍ଗକୁ କାଟି ଉଡାଇ ଦେଇଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ। କହିଥିଲେ, ଏ ପ୍ରସଙ୍ଗରେ ଚିନ୍ତା ବି କରାଯାଇନାହିଁ।

ଉ​ଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ସଂପର୍କରେ ଏକ ପ୍ରସ୍ତାବ ନିକଟରେ କେନ୍ଦ୍ର ସରକାର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏ ପ୍ରସଙ୍ଗରେ ବିଳମ୍ବରେ ହେଲେ ବି ବିଜେଡି ମୁହଁ ଖୋଲିଛି। ଶ୍ରୀ ଦେବ କହିଛନ୍ତି, କେବଳ ରାଜନୀତିକ ଫାଇଦା ନିମନ୍ତେ କିଛି ଦଳ ଓ ବ୍ୟକ୍ତିମାନେ ସିଏଏକୁ ବିରୋଧ କରଛନ୍ତି। ଆଇନକୁ ନେଇ ଯେଉଁ ପରିବର୍ତ୍ତନ ହୋଥିବାର ଅଭିଯୋଗ ହେଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଅମୂଳକ। ଦେଶପାଇଁ ଏନପିଆର ନୂଆ କଥା ନୁହେଁ। ୨୦୧୦ ମସିହାରେ ମଧ୍ୟ ଦେଶରେ ଏନପିଆର ଆରମ୍ଭ କରାଯାଇଥିଲା। ଜନଗଣଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଆକଳନ କରିବା ପାଇଁ ଏହାର ଆବଶ୍ୟକତା ରହିଛି। ଏହା ଏକ ଧାରାବାହିକ ପ୍ରକ୍ରିୟା। ଏନ୍‌ପିଆର ସହ ଏନଆରସି(ରାଷ୍ଟ୍ରୀୟ ନାଗରିକ ପଞ୍ଜିକା)କୁ ତୁଳନା କରାନଯାଉ। ଏହି ଉଭୟଙ୍କ ଠାରୁ ପୂରା ଭିନ୍ନ।
ଶ୍ରୀ ଦେବ ସମ୍ବାଦକୁ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟକୁ ଯେଉଁ ତଥ୍ୟ ଦେଇଛନ୍ତି, ତାହାକୁ ଅନୁଶୀଳନ କଲେ ଦେଖାଯାଉଛି ଯେ ଏଥିରେ କେବଳ ଗୋଟିଏ ପ୍ରଶ୍ନ ଅଧିକ ଭାବେ କୁହାଯାଇଛି। ମୋବାଇଲ ନମ୍ବର, ଭୋଟର ପରିଚୟ ପତ୍ର ନମ୍ବର, ଆଧାର ନମ୍ବର ମଗାଯାଇଛି। ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଥିବ, ତାର ବି ନମ୍ବର ମଗାଯାଇଛି। ଉଲ୍ଲେଖଯୋଗ୍ୟ, ନାଗରିକ ସଂଶୋଧନ ବିଲକୁ ସଂସଦରେ ସମର୍ଥନ ପରେ ମୁସଲିମ୍ ସମୁଦାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟିଥିଲେ। ଭୁବନେଶ୍ବରରେ ମଧ୍ୟ ଏହା ପରେ ଏକ ବିଶାଳ ସମାବେଶ କରିଥିଲେ। ପରେ ନବୀନ ପଟ୍ଟନାୟକ ଏନ୍ଆରସି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର