ଭାରତକୁ ସୁସମୃଦ୍ଧ କରିବା ଅଭିଯାନ ଓଡ଼ିଶାରୁ ହେଉ: ରାଷ୍ଟ୍ରପତି

ଭୁବନେଶ୍ବର : ଓଡ଼ିଶାର ଭବିଷ୍ୟତକୁ ନେଇ ଆପଣମାନେ ନିଶ୍ଚୟ କିଛି ନା କିଛି ସ୍ୱପ୍ନ ଦେଖୁଥିବେ। ଏ ମାଟିର ଝିଅ ଭାବେ ମୁଁ ବି ଅନେକ ସ୍ୱପ୍ନ ଦେଖେ। ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ମହାପ୍ରଭୁଙ୍କ ଅପାର କରୁଣା ଅଛି। ଖଣିଜ, ଜଙ୍ଗଲ ଓ ଜଳ ସମ୍ପଦରେ ପରିପୂର୍ଣ୍ଣ ଆମ ରାଜ୍ୟ ଦକ୍ଷ ମାନବ ସମ୍ବଳ ପାଇଁ ବି ବିଶ୍ବ‌ରେ ଜଣାଶୁଣା। ଏଠି ନାରୀଙ୍କ ଦକ୍ଷତାର ତୁଳନା ନାହିଁ। ତେଣୁ ଆମକୁ ଆମ ପ୍ରାକୃତିକ ସମ୍ପଦର ସୁବିନିଯୋଗ କରି ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବାକୁ ପଡ଼ିବ। ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ, ଏହା ମୋର ଆନ୍ତରିକ ଇଚ୍ଛା। ରାଜଭବନରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବ‌ରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାବାସୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ଶ୍ରୀମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ବ ଆମ ସମସ୍ତଙ୍କର। ପୁରୀରେ ଏଏସ୍‌ଆଇର ଏକ ସର୍କଲ ଅଫିସ୍‌ ଖୋଲିବାକୁ ଦାବି ହେଉଥିଲା। ଗତ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିସନ୍‌ ରେଡ୍ଡୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲି। ଇତିମଧ୍ୟରେ ଏଏସ୍‌ଆଇ ପକ୍ଷରୁ ଏକ ସର୍କଲ ଅଫିସ୍‌ ଖୋଲା ଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ କୃତଜ୍ଞତା‌ ଜଣାଉଛି। ‌‌‌ସେ ଆହୁରି କହିଥିଲେ, ଓଡ଼ିଶାରେ ଚିଲିକା ପରି ବୃହତ୍‌ ହ୍ରଦ, ଶିମିଳିପାଳ ପରି ଜୈବବିବିଧତା ପରିପୂର୍ଣ୍ଣ କ୍ଷେତ୍ର, ଭିତରକନିକା ପରି ଜାତୀୟ ଉଦ୍ୟାନ ଭାରତର ଭୌଗୋଳିକ ବିବିଧତାକୁ ବିଶେଷ ଅବଦାନ ରହିଛି। ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତବର୍ଷର ସାଂସ୍କୃତିକ ବିପୁଳତାକୁ ବିପୁଳତର କରିଛି।

ଶ୍ରୀମନ୍ଦିର ସୁରକ୍ଷା, ସ୍ବାଧୀନତା ସଂଗ୍ରାମ କଥା ଉଠାଇଲେ
ଏଏସ୍‌ଆଇ ଅଫିସ ଖୋଲିବା ନେଇ ମନ୍ତ୍ରୀଙ୍କ ସହ କରିଥିଲେ ଆଲୋଚନା
ରାଷ୍ଟ୍ରପତିଙ୍କୁ ଭୁରି ଭୁରି ପ୍ରଶଂସା କଲେ ରାଜ୍ୟପାଳ
ରାଷ୍ଟ୍ରପତିଙ୍କ ସଫଳତା ଭିତରେ ପ୍ରତି ଓଡ଼ିଆ ନିଜ ସଫଳତା ଦେଖୁଛନ୍ତି: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ଉପରେ ଆଲୋକପାତ କରି ସେ କହିଲେ, ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଐତିହାସିକମାନେ କୁହନ୍ତି ବ୍ରିଟିସ୍‌ ବିରୋଧୀ ଆନ୍ଦୋଳନ ଓଡ଼ିଶାରୁ ଆରମ୍ଭ ହୋଇଥିଲା। ୧୮୧୭ମସିହାର ପାଇକ ବିଦ୍ରୋହ ଏହାର ଉଦାହରଣ। ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବ ବି ଭାରତ ଇତିହାସରେ ବିରଳ। ସେହିପରି ୧୮୫୭ ମସିହାର ସଂଘର୍ଷରେ ବୀର ସୁରେନ୍ଦ୍ର ସାଏଙ୍କ ଅସୀମ ବୀରତ୍ବର ପଟ୍ଟାନ୍ତର ନାହିଁ। ଜନଜାତି ଅଞ୍ଚଳରେ ବି ବ୍ରିଟିସ୍‌ ବିରୋଧୀ ସ୍ବର ଶୁଭିଥିଲା।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ସଂଗ୍ରାମ, ଉତ୍କଳଗୌରବ ମଧୁସୂଦନଙ୍କ ମୌଳିକ ଚିନ୍ତନ ଓ ନାରୀ ନେ‌ତୃତ୍ବ ପ୍ରତି ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧା ରହିଥିଲା। ମା’ ରମାଦେବୀ, ଶାରଳା ଦେବୀ, ମାଳତୀ ଦେବୀ ପ୍ରମୁଖ ନେତ୍ରୀ ସ୍ବାଧୀନତା ସଂଗ୍ରାମର ଅଗ୍ର ଭାଗରେ ଥିଲେ। ଦ୍ବିତୀୟ ଲବଣ ସତ୍ୟାଗ୍ରହ ଓଡ଼ିଶାରେ ହୋଇଥିବା ବିଦ୍ବାନମାନଙ୍କ ମତ। ଭାରତଛାଡ଼ ଆନ୍ଦୋଳନ ଏଠାରେ ତୀବ୍ର ହୋଇଥିଲା। ଭଦ୍ରକଠାରୁ କୋରାପୁଟ ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇଥିଲା। ଭଦ୍ରକର ଇରମ୍‌ରେ ସର୍ବାଧିକ ୩୧ଜଣ ସହିଦ୍‌ ହୋଇଥିଲେ। ଦେଶୀୟ ରାଜ୍ୟ ମିଶ୍ରଣରେ ଓଡ଼ିଶା ଆଗରେ ରହିଥିଲା।

ସାହିତ୍ୟ ସାଙ୍ଗକୁ କଳା, ସଙ୍ଗୀତ, କ୍ରୀଡ଼ା, ସମାଜସେବା ଓ ଆଇଟି କ୍ଷେତ୍ରରେ ଓଡ଼ିଆ ଯୁବପିଢ଼ିଙ୍କ ଯୋଗଦାନ ପ୍ରଶଂସନୀୟ। ଛଉ, ସମ୍ବଲପୁରୀ, ଗୋଟିପୁଅ, ରଣପା, ଚଢ଼େୟା ଚଢ଼େଇଆଣି ପରି ବିଖ୍ୟାତ ଲୋକନୃତ୍ୟ ବି ଆମର। ଏଠି ୬୨ଟି ପ୍ରଜାତିର ଆଦିବାସୀ ରହୁଛନ୍ତି। ତେଣୁ ଭାରତୀୟ ସାଂସ୍କୃତିକ ମହାସ୍ରୋତକୁ ଓଡ଼ିଶା ପରିପୂର୍ଣ୍ଣ କରିପାରିଛି ବୋଲି ଅତ୍ୟୁକ୍ତି ହେବ ନାହିଁ। ଅଗଣିତ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ସ୍ତୂପ, ବିହାର, ଗୁମ୍ଫାରେ ଆମ ରାଜ୍ୟ ପରିପୂର୍ଣ୍ଣ। ଭାରତୀୟ ଭାସ୍କର୍ଯ୍ୟକୁ ଓଡ଼ିଶାର ବିଶେଷ ଅବଦାନ ରହିଛି, ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ୨୫ବର୍ଷ ପରେ ଭାରତ ସ୍ବାଧୀନତାର ଶହେ ବର୍ଷରେ ପଦର୍ପଣ କରିବ। ଓଡ଼ିଶା ୧୪ବର୍ଷ ପରେ ଶତବାର୍ଷିକୀ ପାଳନ କରିବ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସାମୂହିକ ଉଦ୍ୟମ ଆବଶ୍ୟକ। ବି‌ଶେଷତଃ ଯୁବପିଢ଼ିଙ୍କ ପ୍ରତିବଦ୍ଧତା ଓ ପରିଶ୍ରମ ଦ୍ବାରା ଭାରତ ସମଗ୍ର ବିଶ୍ବରେ ନେତୃତ୍ବ ନେଇପାରିବ, ଏଥିରେ ସନ୍ଦେହ ନାହିଁ।

ଭାରତ ପ୍ରତି ବିଶ୍ବବାସୀଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି। କୋଭିଡ୍‌-୧୯ ସମୟରେ ଟିକାକରଣ କ୍ଷେତ୍ରରେ ସଫଳତା ମିଳିଲା। ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଆଗ‌ରେ ରହିଛି। ପ୍ରବାସୀ ଭାରତୀୟମାନେ ନିଜ ମୂଳ ପରି‌ଚୟରେ ଗୌରବାନ୍ବିତ ହେଉଛନ୍ତି। ତେବେ ବିକାଶର ସୁଫଳ ସବୁବର୍ଗର ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ସବା ତଳ ପାହାଚରେ ଥିବା ବ୍ୟକ୍ତିର ଯଦି ବିକାଶ ନ ହୁଏ, ତେବେ ସମାଜ ସମ୍ପୂର୍ଣ୍ଣ ବିକଶିତ ବୋଲି କହି ହେବ ନାହିଁ। ଆଦିବାସୀ, ବଞ୍ଚିତ ବର୍ଗ, ଆର୍ଥିକ କ୍ଷେତ୍ରରେ ପଛୁଆ ଗୋଷ୍ଠୀଙ୍କ ନିକଟରେ ପହଞ୍ଚିବାକୁ ହେବ ବୋଲି ମତପ୍ରକାଶ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗ‌ଣେଶୀ ଲାଲ୍‌ ନିଜ ଭାଷଣରେ ରାଷ୍ଟ୍ରପତିଙ୍କ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ଜନଜାତି ଝିଅ ଭାବେ ଆପଣ ରାଷ୍ଟ୍ରପତି ପଦ ମଣ୍ଡନ କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ଆପଣଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ। ଏକ ଆଦିବାସୀ ଗାଁର ଶିକ୍ଷୟିତ୍ରୀ ଆଜି ଦେଶର ପ୍ରଥମ ନାଗରିକ ହୋଇପାରିଛନ୍ତି। ଆପଣଙ୍କ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ନିଜ ସଫଳତା ଦେଖୁଛି। ଶିକ୍ଷାକୁ ଆପଣ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ମୋର ବିଶ୍ବାସ, ରାଷ୍ଟ୍ରପତି ଭାବେ ଆପଣଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେବେ ଏବଂ ଭାରତକୁ ଏକ ଗୌରବମୟ ସ୍ଥାନରେ ଅଧିଷ୍ଠିତ କରାଇବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ସବୁବେଳେ ଆପଣଙ୍କ ସହ ରହିଛି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର