ଷ୍ଟ୍ରଙ୍ଗ୍‌ରୁମ୍‌ରେ ତାଲା ମାରିଲେ ପ୍ରାର୍ଥୀ; ୨୦ ବର୍ଷ ତଳର ବାଲଟ୍‌ ବାକ୍ସ ପୋଡ଼ି ଘଟଣାକୁ ମନେ ପକାଇଲେ, ଷ୍ଟ୍ରଙ୍ଗ୍‌ରୁମ୍‌ରେ ଜଉମୁଦ ସତ୍ତ୍ବେ ପ୍ରଶାସନକୁ ବିଶ୍ବାସ କଲେନି

ଭବାନୀପାଟଣା : ୨୦ ବର୍ଷ ତଳେ ବୋମା ବିସ୍ଫୋରଣରେ ବାଲଟ୍‌ ବାକ୍ସ ପୋଡ଼ି ଦିଆଯାଇଥିଲା। ସେହି ଘଟଣାର ପୁନରାବୃତ୍ତି ନହେବେ କିଏ କହିବ? ଏଭଳି କିଛି ଆଶଙ୍କା କରି ପ୍ରାର୍ଥୀମାନେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ଷ୍ଟ୍ରଙ୍ଗରୁମ୍‌ରେ ତାଲା ମାରିଛନ୍ତି। ଯାହାକି, ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜୁନାଗଡ଼ ନିର୍ବାଚନମଣ୍ଡଳୀର ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍‌ ନିର୍ବାଚନ ଉପରେ ସାରାରାଜ୍ୟର ଦୃଷ୍ଟି ରହିଛି। ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇଥିବା ଯୋଗୁ ଏହି ନିର୍ବାଚନ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍‌ରେ ଭୋଟ୍‌ ପାଇଁ ଶାସକ ବିଜେଡିକୁ ନାକେଦମ୍‌ ହେବାକୁ ପଡ଼ିଛି। ଗୋଟିଏ ପଟେ ମମିତା ମେହେର ପ୍ରସଙ୍ଗ, ଅନ୍ୟପଟେ ମଣ୍ଡିରେ ଚାଷୀଙ୍କ ସମସ୍ୟା। ଏହି ଦୁଇଟି ପ୍ରସଙ୍ଗ ଶାସକ ଦଳ ନେତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଯେକୌଣସି ମତେ ଜିଲ୍ଲା ପରିଷଦ ଜୋନ୍‌ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା।

ଏଥିପାଇଁ ଜିଲ୍ଲା ବାହାରର ନେତାମାନେ ଡେରା ପକାଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ ସରିଛି। ଏବଂ, ଷ୍ଟ୍ରଙ୍ଗ୍‌ ରୁମ୍‌ରେ ବାଲଟ୍‌ ବାକ୍ସ ରଖାଯାଇ ଗେଟ୍‌ରେ ତାଲା ଦେଇ ଜଉମୁଦ ଦିଆଯାଇଛି। ତଥାପି, ବିରୋଧୀ ଦଳର ପ୍ରାର୍ଥୀମାନେ ଜିଲ୍ଲା ପ୍ରଶାସନ ଉପରେ ଭରସା କରିପାରିନାହାନ୍ତି। ଗୋଟିଏ କବାଟରେ ପ୍ରଶାସନ ପକ୍ଷରୁ ତାଲା ମରାଯାଇଥିବାବେଳେ ଠିକ୍‌ ସେହି କବାଟରେ ପ୍ରାର୍ଥୀମାନଙ୍କ ପକ୍ଷରୁ ଆଉ ଏକ ତାଲା ମରାଯାଇଛି। ବିଡିଓଙ୍କ ଉପସ୍ଥିତିରେ ତାଲାମାରି ପ୍ରାର୍ଥୀମାନେ ଚାବି ନିଜ ପାଖରେ ରଖିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ ଗତ ୨୦ ବର୍ଷ ତଳେ ଗୋଲାମୁଣ୍ଡା ବ୍ଲକ୍‌ରେ ନିର୍ବାଚନ ହୋଇଥିଲା। ନିର୍ବାଚନ ସରିବା ପରେ ବାଲଟ୍‌ ବାକ୍ସକୁ ପୁଲିଂ ଅଫିସରମାନେ ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନର ଗୋଲାମୁଣ୍ଡା ବ୍ଲକ୍‌ ପୁରୁଣା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ବାଲଟ୍‌ ବାକ୍ସକୁ ରଖାଯାଇଥିଲା। ସେହି ଷ୍ଟ୍ରଙ୍ଗ ରୁମ୍‌କୁ ଦୁର୍ବୃତ୍ତମାନେ ବୋମା ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଅନେକ ପଞ୍ଚାୟତର ବାଲଟ୍‌ ବକ୍ସ ପୋଡ଼ି ଯାଇଥିଲା। ପରେ ଯେଉଁ ପଞ୍ଚାୟତର ବାଲଟ୍‌ ବାକ୍ସ ପୋଡ଼ି ଯାଇଥିଲା, ସେହି ପଞ୍ଚାୟତରେ ପୁଣିଥରେ ନିର୍ବାଚନ ହୋଇଥିଲା। ୨୦ ବର୍ଷ ତଳର ପୁନରାବୃତ୍ତି ହେବନି ତ ବୋଲି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମମିତା ମେହେର ହତ୍ୟାକାଣ୍ଡ ସାରାରାଜ୍ୟକୁ ଦୋହଲାଇ ଦେଇଥିଲା। ଶାସକ ଦଳ ପରାଜୟବରଣ କରିବା ଭୟରେ କିଛି ବି ଓଲଟ ପାଲଟ କରିବା ଆଶଙ୍କାରେ ପ୍ରାର୍ଥୀମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର