ଏମ୍‌ସରେ ହ୍ରାସ ପାଇଛି ହୃତ୍‌ପିଣ୍ଡ ଧମନୀ ବାଇପାସ ସର୍ଜରି, ବଢ଼ିଲା ରୋଗୀଙ୍କ ଦୁର୍ଦ୍ଦଶା

ଭୁବନେଶ୍ବର : ଏମ୍‌ସରେ ଅଚାନକ ହ୍ରାସ ପାଇଛି ହୃତ୍‌ପିଣ୍ଡ ଧମନୀ ବାଇପାସ ସର୍ଜରି(କରୋନାରି ଅଟ୍ରି ବାଇପାସ ସର୍ଜରି)। ପ୍ରାୟ ୧୫ ଦିନରୁ ଊର୍ଧ୍ବ ସମୟ ହେଲା ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ସରକାରୀ ଡାକ୍ତରଖାନା ଭାବରେ କେବଳ ଏସ୍‌ସିବି ଓ ଏମ୍‌ସରେ ଏହି ଅସ୍ତ୍ରୋପଚାର ହୁଏ। ଘରୋଇ ଡାକ୍ତରଖାନାରେ ଏଥିପାଇଁ ୩ ରୁ୫ ଲକ୍ଷ ଟଙ୍କା ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏଭଳି ସ୍ଥିତିରେ ଏମ୍‌ସ ହୃଦ୍‌ଶଲ୍ୟ ବିଭାଗରେ ଏହି ଅସ୍ତ୍ରୋପଚାର ରହସ୍ୟଜନକ ଭାବରେ କମ ହୋଇଯିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏମ୍‌ସ ଦିଲ୍ଲୀରୁ ଜଣେ ବିଶେଷଜ୍ଞ ଆସିବା ପରେ ସ୍ଥିତି ସ୍ବାଭାବିକ ହେବ ବୋଲି କୁହାଯାଉଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ହେଲା ହୃଦ୍‌ରୋଗ। ରାଜ୍ୟରେ ହୃଦ୍‌ରୋଗ ଚିକିତ୍ସାର ଦୁର୍ବଳ ବ୍ୟବସ୍ଥା ରହିଛି। ସେଥିରେ ପୁଣି ହୃତ୍‌ପିଣ୍ଡ ଧମନୀ ଅଧିକାଂଶ ହୃଦ୍‌ରୋଗୀଙ୍କଠାରେ ଦେଖାଯାଏ। ଏଞ୍ଜିଓପ୍ଲାଷ୍ଟି ଜରିଆରେ ଏହାର ଚିକିତ୍ସା ହୁଏ। ଏହାବାଦ୍‌ ଗୁରୁତର ୧୦ ପ୍ରତିଶତ ଏଭଳି ରୋଗୀ ଥାଆନ୍ତି ଯେଉଁମାନଙ୍କୁ ବାଇପାସ ସର୍ଜରିର ଆବଶ୍ୟକତା ଥାଏ। ଓଡ଼ିଶାରେ ଭିମ୍‌ସାର ଓ ଏମ୍‌କେସିଜି ଭଳି ହସ୍ପିଟାଲରେ ମଧ୍ୟ ଏହି ଅସ୍ତ୍ରୋପଚାର ବ୍ୟବସ୍ଥା ନାହିଁ। ହୃଦ୍‌ରୋଗ ଅସ୍ତ୍ରୋପଚାର ପାଇଁ ଉଭୟ ଏସ୍‌ସିବି ଏବଂ ଏମ୍‌ସ ଭାରାକ୍ରାନ୍ତ ହୋଇରହିଛନ୍ତି। ପ୍ରତି ଅସ୍ତ୍ରୋପଚାର ପାଇଁ ଅଧିକାଂଶ ରୋଗୀଙ୍କୁ ୩ ରୁ୪ ମାସ ଅପେକ୍ଷା କରିବାକୁ ପଡ଼େ। ଏଭଳି ସ୍ଥିତିରେ ଅଚାନକ ହୃଦ୍‌ଶଲ୍ୟ ବିଭାଗରେ ଏହାକୁ କମ କରାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏମ୍‌ସକୁ ଅଧିକାଂଶ ଗରିବ ରୋଗୀ ଆସନ୍ତି। କାରଣ ସେମାନଙ୍କ ପକ୍ଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର କରିବାର ସାମର୍ଥ୍ୟ ନାହିଁ। ତେଣୁ ଏହି ଅସ୍ତ୍ରୋପଚାରକୁ ଯଥାଶୀଘ୍ର ସ୍ବାଭାବିକ କରିବା ନେଇ ଦାବି ହେଉଛି। ସୂତ୍ର ଅନୁସାରେ, କିଛି ଦିନ ପୂର୍ବରୁ ହୃତ୍‌ପିଣ୍ଡ ଧମନୀ ଅସ୍ତ୍ରୋପଚାର ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏହି ବିଭାଗରେ ହେଉଥିବା ଅସ୍ତ୍ରୋପଚାରକୁ କମ କରିଦିଆଯାଇଛି। ବର୍ତ୍ତମାନ ଏମ୍‌ସ ହୃଦ୍‌ଶଲ୍ୟ ବିଭାଗରେ ୩ ଜଣ ସର୍ଜନ ଅଛନ୍ତି। ଦିଲ୍ଲୀ ଏମ୍‌ସ ହୃଦ୍‌ଶଲ୍ୟ ବିଭାଗର ଡାକ୍ତରଙ୍କୁ ଅପେକ୍ଷା କରାଯାଇଛି। ଏହାପରେ ବିଭାଗର ଅବସ୍ଥା କେତେ ସୁଧାର ହୋଇପାରିବ ତାକୁ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର