ରାଜ୍ୟରେ କୋଭିଡ-୧୯ ନିୟମ ଖିଲାପ; ୨୪ ଘଣ୍ଟାରେ ୩୧ ମାମଲା

କଟକ : ରାଜ୍ୟରେ ପୁଣି କୋଭିଡ୍-୧୯ ନିୟମ ଖିଲାପ କରିଥିବା ଘଟଣା ସାମନାକୁ ଆସିଛି। ଗଲା ୮ ତାରିଖରୁ ଆଜି ସୁଦ୍ଧା ୨୪ ଘଣ୍ଟା ଭିତରେ ୩୧ଟି ନୂଆ ମାମଲା ବିଭିନ୍ନ ଥାନା ପୁଲିସ ରୁଜୁ କରିଛି। ଏଥିରେ ୨୮ଟି ମାମଲା କେବଳ ଲକଡାଉନ ନିୟମ ଖିଲାପ କରିଥିବା ଅଭିଯୋଗରେ ରୁଜୁ ହୋଇଛି। ସେହିପରି ସଂଗରୋଧ ନିୟମ ଖିଲାପ କରିଥିବାରୁ ଗୋଟିଏ ଏବଂ କରୋନା ସଂକ୍ରାନ୍ତରେ ମିଥ୍ୟା ଗୁଜବ ପ୍ରଚାର କରିବା ଅଭିଯୋଗରେ ଗୋଟିଏ ମାମଲା ରୁଜୁ ହୋଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଲା ୫ ଓ ୬ ତାରିଖରେ ୯୮ ଜଣ ପ୍ରବାସୀ ଓଡ଼ିଆ ସଂଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଏବଂ ଟିକଟକ ଭିଡିଓ କରିବା ଅଭିଯୋଗରେ ଲଗାତର ୯୮ ଜଣଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଥିଲା। ଏଭଳି ଘଟଣା ପୁଲିସ ବିଭାଗ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏବେ କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ ଏଭଳି ବେଆଇନ କାର୍ଯ୍ୟକୁ ରୋକିବାକୁ ସ୍ଥାନୀୟ ପୁଲିସ ସହାୟତା ଫୋର୍ସ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ନିୟମ ଉଲଂଘନ ଘଟଣାରେ ଅନେକ ପରିମାଣରେ ରୋକ ଲଗାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର