ହାଇକୋର୍ଟରେ ଜନସ୍ବାର୍ଥ ମାମଲା: ସରପଞ୍ଚଙ୍କ ଠାରୁ କାଢି ନିଆଯାଉ ଜିଲ୍ଲାପାଳ କ୍ଷମତା

କଟକ : ସରପଞ୍ଚଙ୍କଠାରୁ ଜିଲ୍ଲାପାଳ କ୍ଷମତା କାଢି ନିଆଯାଉ। ଅନେକ ସରପଂଚ କ୍ଷମତାର ଅପବ୍ୟବହାର କରୁଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ ତାହାର ଆଉ ଆବଶ୍ୟକତା ନାହିଁ। ବଲାଙ୍ଗୀରର ଏକ ଘଟଣା ଆଧାରରେ ଏଭଳି ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମାମଲାରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ପଞ୍ଚାୟତରାଜ ସଚିବ, ବଲାଙ୍ଗୀର ଜିଲ୍ଲାପାଳ, ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ବଲାଙ୍ଗୀରର ଅର୍ଦ୍ଧେନ୍ଦୁ ନାରାୟଣ ବେହେରାଙ୍କ ପକ୍ଷରୁ ଦାଖଲ ମାମଲାକୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାରେ ଦର୍ଶାଯାଇଛି ଯେ ଅଗଷ୍ଟ ୧୧ ତାରିଖ ଦିନ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳରେ କେତେକ ଅନୁସୂଚିତ ଜନଜାତି ବର୍ଗର ପରିବାରଙ୍କ ଘରକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ସାଲେ‌ଭଟା ସରପଞ୍ଚଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଲୋଇସିଂହା ପୁଲିସ ମହିଳା ସରପଞ୍ଚଙ୍କୁ ଗିରଫ କରିଥିଲା। ସରପଞ୍ଚ କିନ୍ତୁ ନିଜ କାର୍ଯ୍ୟକୁ ସମର୍ଥନ କରି ଜିଲ୍ଲପାଳଙ୍କ କ୍ଷମତା ତାଙ୍କୁ ଦିଆଯାଇଛି ବୋଲି କହିଥିଲେ। ସରପଞ୍ଚଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ କ୍ଷମତାର ଏହା ଅପବ୍ୟବହାର ବୋଲି ସ୍ପଷ୍ଟ ହୋଇଥିଲା। ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଓ ପ୍ରବାସୀମାନେ ପୂର୍ବଭଳି ବହୁ ସଂଖ୍ୟାରେ ଆଉ ଆସୁ ନାହାନ୍ତି। ଏପରି ପରିସ୍ଥିତିରେ ସରପଞ୍ଚଙ୍କୁ ଏପରି କ୍ଷମତା ବ୍ୟବସ୍ଥାର ଆଉ ଆବଶ୍ୟକ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏ ସଂପର୍କିତ ପୂର୍ବର ନିର୍ଦ୍ଦେଶନାମା ରଦ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର