ଶିଶୁ ଶ୍ରମିକ ଉଦ୍ଧାର ପାଇଁ ହାଇକୋର୍ଟରେ ମାମଲା

ଯାଜପୁର : ଶିଶୁଙ୍କ ସୁରକ୍ଷା ଓ ଭବିଷ୍ୟତ ଗଠନ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଯାଜପୁର ଜିଲ୍ଲାର ଖଣିଖାଦାନ ଓ ଶିଳ୍ପାଞ୍ଚଳରେ ଏହା ପ୍ରହସନ ପାଲିଟିଛି। ସମାଜର ତଳସ୍ତରରେ ଥିବା ଗରିବ ପରିବାରର ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆସନ୍ତାକାଲି ବିଶ୍ବ ଶିଶୁ ଅଧିକାର ଦିବସ ପାଳନ ପାଇଁ ବିଭିନ୍ନ ଅନୁଷ୍ଠାନ ବ୍ୟାପକ ଆୟୋଜନ କରିଥିବା ବେଳେ ଇସ୍ପାତ ରାଜଧାନୀ କଳିଙ୍ଗନଗର ଧୂଳିଗଡ଼ ଅଞ୍ଚଳରୁ କେନ୍ଦ୍ରାପଡ଼ାକୁ ଶିଶୁଶ୍ରମିକ ଭାବେ ଚାଲାଣ ହୋଇଥିବା ୫ଜଣ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଏକମାସ ହେଲା ଉଦ୍ଧାର କରିପାରୁନାହିଁ। ଶିଶୁ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଶିଶୁ ସୁରକ୍ଷା କର୍ମୀ ମଣ୍ଟୁ ଦାସ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ପ୍ରକାଶ ଯେ, ଜାତିସଂଘ ପକ୍ଷରୁ ନଭେମ୍ବର ୨୦ତାରିଖକୁ ବିଶ୍ବ ଶିଶୁ ଅଧିକାର ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସରେ ଶିଶୁ ଅଧିକାର ଓ ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ସହ ଶିଶୁ ଅଧିକାର ଆଇନ ପ୍ରଚାର ପ୍ରସାର ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାର ବ୍ୟବସ୍ଥା ରହିଛି। ତେବେ ଏହା କେବଳ ସଭାସମିତିରେ ସୀମିତ ରହିଛି। ସରକାରୀ ସଂସ୍ଥା ଓ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ନିଜର ସଫଳତା ମାପଦଣ୍ଡ ସ୍ବରୂପ ବିଭିନ୍ନ ବିକାଶମୂଳକ ପରିସଂଖ୍ୟାନ ରିପୋର୍ଟ ପ୍ରଦାନ କରି ବାହାବାହା ଗୋଟାଇବାରେ ବ୍ୟସ୍ତ। ମାତ୍ର ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରାଯାଉନାହିଁ। ଯାଜପୁର ଭଳି ଏକ ପ୍ରଗତିଶୀଳ ଜିଲ୍ଲାରେ ଶହଶହ ଶିଶୁଶ୍ରମିକ ନିଯୋଜିତ ହେଉଥିବା ବେଳେ ବାଲ୍ୟବିବାହ ଓ ଶିଶୁ ଚାଲାଣ ସ୍ଥିତି ଉଦ୍‌ବେଗ ଜନକ ହୋଇପଡ଼ିଛି।

ସ୍ମରଣ ଥାଉ କି, ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ସୁଆଁଲ ଗ୍ରାମରେ ୫ଜଣ ଶିଶୁଶ୍ରମିକଙ୍କ ଚାଲାଣ ଘଟଣାକୁ ଏକମାସ ବିତିଲାଣି। ହେଲେ ଜିଲ୍ଲା ପୁଲିସ, ଶ୍ରମ ବିଭାଗ, ଶିଶୁ ସୁରକ୍ଷା ୟୁନିଟ୍ ସମେତ ଜିଲ୍ଲା ପ୍ରଶାସନ ଶିଶୁମାନଙ୍କୁ ଉଦ୍ଧାର କରିପାରିଲାନାହିଁ। ଅନ୍ୟପକ୍ଷରେ ୩୦ ଦିନ ଧରି ଶିଶୁଙ୍କୁ ଚାଲାଣ କରିଥିବା ବ୍ୟକ୍ତି ଓ ଶିଶୁଶ୍ରମିକ ନିଯୋଜିତ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାରେ ଜିଲ୍ଲା ପୁଲିସ ନିରବ ରହିଛି। ସେହିପରି ଶିଶୁ ସୁରକ୍ଷା ୟୁନିଟ, ଶ୍ରମ ବିଭାଗ ଓ ଦାନଗଦୀ ପୁଲିସ ତିନିତିନି ଥର ତଦନ୍ତ କରିଥିଲେ ମଧ୍ୟ ଫଳ ଶୂନ। ଶିଶୁଶ୍ରମିକଙ୍କୁ ଉଦ୍ଧାର, ଥଇଥାନ ଓ ସର୍ବୋତ୍ତମ ମଙ୍ଗଳ ପାଇଁ ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଭଳି ସ୍ଥିତିରେ ବିଶ୍ବ ଶିଶୁ ଅଧିକାର ଦିବସର ପାଳନରେ କେତେ ଆନ୍ତରିକା ରହିଛି! ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର