ବନ୍ଦ ପଡ଼ିଛି ରାଜ୍ୟର ପ୍ରଥମ ଗୋଖାଦ୍ୟ ପ୍ଲାଣ୍ଟ୍‌

କଞ୍ଚାମାଲ ଅଭାବ, ଟେଣ୍ଡରରେ ଭାଗ ନେଉ ନାହାନ୍ତି ବିଡର, କାରଖାନା ଉପରେ କର୍ମଚାରୀଙ୍କ ୨କୋଟି ବାକି, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଠିକା ଶ୍ରମିକ

କଟକ : କଟକ ଜିଲ୍ଲାରେ ବନ୍ଦ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଶିଳ୍ପ। ଏବେ ଏଥିରେ ପୁଣି ଯୋଡ଼ି ହେବାକୁ ଯାଉଛି ଅଶୀ ଦଶକରେ ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଗୋଖାଦ୍ୟ କାରଖାନା। ଦେଢ଼ଶହ ଶ୍ରମିକଙ୍କୁ ରୋଜଗାର ଦେଉଥିବା ଏହି କାରଖାନରେ ଦେଢ଼ ମାସ ହେଲା ତାଲା ଝୁଲୁଛି। କଞ୍ଚାମାଲର ଅଭାବ ସାଙ୍ଗକୁ ବାରମ୍ବାର ଇ-ଟେଣ୍ଡର ସତ୍ତ୍ବେ ଭାଗ ନ‌ ନେବା, ପରିଚାଳନାଗତ ଅବ୍ୟବସ୍ଥା ପାଇଁ ରୁଗ୍‌ଣ ଅବସ୍ଥାକୁ ଚାଲି ଆସିଛି ଆଠଗଡ଼ ବ୍ଲକ୍‌ ରାଧାଦାମୋଦରପୁରଠାରେ ଥିବା ଏହି ‌ଓମ୍‌ଫେଡ୍‌ ଗୋଖାଦ୍ୟ ପ୍ଲାଣ୍ଟ। କିନ୍ତୁ ତୁରନ୍ତ ପ୍ଲାଣ୍ଟ ଖୋଲା ନ ଗଲେ ଠିକାରେ କାମ କରୁଥିବା କର୍ମଚାରୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏହି ପ୍ଲାଣ୍ଟକୁ ଉଦଘାଟନ କରିଥିଲେ। ଏହାଥିଲା ଓଡ଼ିଶା‌େର ପ୍ରଥମ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଏକମାତ୍ର ଗୋ-ଖାଦ୍ୟ କାରଖାନା। ଏହି କାରଖାନା ପାଇଁ ଆଖପାଖ ଦଶ ଖଣ୍ଡ ମୌଜାର ପ୍ରାୟ ଦେଢ଼ଶହ ପରିବାର ପେଟକୁ ଦାନା ପାଉଥିଲେ। ୧୯୮୪ ଡିସେମ୍ବରରେ ଏହି ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାସିକ ସାଢ଼େ ୪ରୁ ୫ହଜାର ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ଗତ ୫ବର୍ଷ ହେଲା ୨ହଜାରରୁ ଅଢ଼େଇ ହଜାର ଟନ୍‌କୁ ଖସି ଆସିଛି ଉତ୍ପାଦନ ହାର। ତେବେ କଞ୍ଚାମାଲର ଅଭାବ ଯୋଗୁଁ ଦିନକୁ ଦିନ ଉତ୍ପାଦନ ହାର କମୁଥିବାବେଳେ ବଡ଼ ସମସ୍ୟା ହେଉଛି ବାରମ୍ବାର ମକା, କୁଣ୍ଡା ତଥା ଗୋଖାଦ୍ୟ ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ ଯୋଗାଣ ପାଇଁ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ ଟେଣ୍ଡର କରାଯିବା। କିନ୍ତୁ କଞ୍ଚାମାଲର ଦରବୃଦ୍ଧି ଓ ଯେଉଁ ହିସାବରେ ଟେଣ୍ଡର ‌ଦର ରହୁଛି ତାକୁ ନେଇ କେହି ଟେଣ୍ଡରରେ ଭାଗ ନେଉ ନାହାନ୍ତି। ଯାହା ଫଳରେ କଞ୍ଚାମାଲ କାରଖାନାକୁ ଆସିପାରୁନି ବୋଲି କର୍ତ୍ତୃପକ୍ଷ କହୁଛନ୍ତି। ଗୋଟିଏ ପଟେ କାରଖାନା ବର୍ଷର ଅଧାରୁ ଅଧିକ ଦିନ ବନ୍ଦ ରହୁଥିବାବେଳେ ଅନ୍ୟପଟେ କର୍ମଚାରୀଙ୍କ ଗ୍ରାଚୁଇଟି ବାବଦକୁ ୨କୋଟି ଟଙ୍କା ବାକି ପଡ଼ିଛି। ଏଭଳି ସ୍ଥିତିରେ ଦେବାଳିଆ ଅବସ୍ଥାକୁ ଆସିଯାଇଛି ରାଜ୍ୟର ଏହି ପ୍ରଥମ ଗୋଖାଦ୍ୟ କାରଖାନା। ମେ ୨୬ରୁ କାରଖାନା ବନ୍ଦ ଥିବାରୁ ୭୫ଜଣ ଶ୍ରମିକଙ୍କ ଘରେ ଚୁଲି ଜଳୁନି। ତେଣୁୁ କର୍ତ୍ତୃପକ୍ଷ ଚଳିତ ମାସ ୨୩ତାରିଖ ସୁଦ୍ଧା ଠିକା ଶ୍ରମିକମାନଙ୍କ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କଲେ ୨୪ତାରିଖରୁ ରାଧାଦାମୋଦରପୁର ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥକୁ ଠିକା ଶ୍ରମିକମାନେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

କାରଖାନାର ଏଭଳି ଅଚଳାବସ୍ଥା ସଂପର୍କରେ ଜେନେରାଲ ‌ମ୍ୟାନେଜର କିଶୋର କୁମାର ‌େଜନା କହିଛନ୍ତି ଯେ ମକା, କୁଣ୍ଡା, ତଥା ବିଭିନ୍ନ କଞ୍ଚାମାଲର ଦର ବୃଦ୍ଧି ଘଟିଥିବାରୁ ଇ-ଟେଣ୍ଡରରେ କେହି ଭାଗ ନେଉନାହାନ୍ତି। ଜୁନ ଓ ଜୁଲାଇରେ ଦୁଇଥର ଟେଣ୍ଡର ପ୍ରକ୍ରିୟା ସରିଲାଣି। ଖୁବଶୀଘ୍ର ଓପନ ଟେଣ୍ଡର କରାଯିବାର ଯୋଜନା ରହିଛି। କଞ୍ଚାମାଲ ଅଭାବ ‌ଯୋଗୁଁ ଜୁନ ୪ରୁ କାରଖାନା ବନ୍ଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଫୁଲନଖରାରେ ୨ବର୍ଷ ହେଲା ଗୋଖାଦ୍ୟ ପ୍ଲାଣ୍ଟ ଖୋଲାଯାଇଛି। କିନ୍ତୁ ସେଥିରେ ମଧ୍ୟ ସମାନ ଅବସ୍ଥା ଉପୁଜିବାରୁ ପ୍ଲାଣ୍ଟ ବନ୍ଦ ପଡ଼ିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର