ରାଜ୍ୟ ପର୍ଯ୍ୟଟନକୁ କେନ୍ଦ୍ର ମାଗିଲା ଏଟିଆର୍‌

ରାଜ୍ୟ, କେନ୍ଦ୍ର ସରକାର କୌଣସି ସହାୟତା ଦେଇନାହାନ୍ତି
ଦୀର୍ଘକାଳୀନ ସହାୟତା ପାଇଁ ଦାବି: ହାରୋ

ଭୁବନେଶ୍ବର : ଆତିଥେୟତା ପ୍ରଦାନ କରୁଥିବା ପର୍ଯ୍ୟଟନ ଶିଳ୍ପ ଏବେ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି। କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ କରୋନା ଭୟାବହତା ପାଇଁ ହୋଟେଲ ଶିଳ୍ପଠୁ ନେଇ ଟୁର୍‌ ଅପରେଟର ସଂସ୍ଥାରେ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ସ୍ଥଳେ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ସହାୟତା ନେଇ ଦାବି ଉଠିଛି। ତେଣୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ କ’ଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ରାଜ୍ୟକୁ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ମାଗିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ସେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏନେଇ ପତ୍ର ଲେଖିଛନ୍ତି।

ଯଦିଓ ହୋଟେଲ ଶିଳ୍ପ ୩୦ ପ୍ରତିଶତ କ୍ଷମତା ସହିତ ହୋଟେଲ ଖୋଲିବାକୁ ନିର୍ଦେଶ ଦେଇଛନ୍ତି, କିନ୍ତୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ଥିବାରୁ ହୋଟେଲକୁ ପର୍ଯ୍ୟଟକ ଆସୁନାହାନ୍ତି। ସମୟକ୍ରମେ ଏଫଏଚଆରଏଆଇ, ଫିକି, ସିଆଇଆଇ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା ଲାଗି ଦାବି ଉଠାଯାଇଛି। କରୋନା ଯୋଗୁଁ ଆତିଥେୟତା ପ୍ରଦାନ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିବାରୁ ବିନା ଫି’ରେ ଲାଇସେନ୍‌ସ ଅବଧି ବୃଦ୍ଧି, ହୋଟେଲ ଓ ରେସ୍ତୋରାଁ ଆଦିରୁ ଅବକାରୀ ଟିକସ ରିହାତି, ବିଦ୍ୟୁତ ଦେୟ (ମିନିମମ ଡିମାଣ୍ଡ ଚାର୍ଜ)ରେ କୋହଳ କରିବା ଲାଗି ବାରମ୍ବାର ଦାବି ହୋଇ ଆସିଛି। ଏଇ ଆଧାରରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ରିପୋର୍ଟ ମାଗିଛନ୍ତି।

ଏନେଇ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶା (ହାରୋ)ର ଅଧ୍ୟକ୍ଷ ଜେ.କେ ମହାନ୍ତି ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ହୋଟେଲ ଶିଳ୍ପକୁ କୌଣସି ସହାୟତା ଏପର୍ଯ୍ୟନ୍ତ ଯୋଗାଇ ଦେଇନାହାନ୍ତି। ବାରମ୍ବାର ଏନେଇ ଦାବି ଉପସ୍ଥାପନ ପରେ ମଧ୍ୟ କାହାର ଦୃଷ୍ଟି ପଡ଼ିନାହିଁ। ପର୍ଯ୍ୟଟନ ଶିଳ୍ପ ଅନ୍ୟ ଶିଳ୍ପ ସଂସ୍ଥା ଅପେକ୍ଷା ସୁଧୁରିବାକୁ ଦୀର୍ଘ ସମୟ ଲାଗିବ। ଯଦିଓ ହୋଟେଲ ଖୋଲିବାକୁ ଅନୁମତି ମିଳିଛି ସଂପ୍ରତି ଲୋକେ ଟ୍ରେନ ଓ ଫ୍ଲାଇଟ୍‌ରେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ବହୁ ନିଯୁକ୍ତି ସୃଷ୍ଟି କରିଥିବା ଓ ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥିବା ଏହି ଶିଳ୍ପ ପାଇଁ ଦୀର୍ଘକାଳୀନ ସହାୟତା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହା ବ୍ୟତୀତ କେତେକ ପର୍ଯ୍ୟଟନ ସ୍ଥଳ ଖୋଲିବା ପାଇଁ ମଧ୍ୟ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର