ସେସୁ ଘରୋଇକରଣକୁ ନେଇ ଚିନ୍ତା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ର ଆନ୍ଦୋଳନ ଡାକରା ୩୦ରେ ଧାରଣା

ଭୁବନେଶ୍ୱର: ଘରୋଇକରଣ ହୋଇଛି ସେସୁ। ଓଇଆର୍‌ସି ତରଫରୁ ଟାଟା ପାୱାରକୁ ‘ଲେଟର ଅଫ୍‌ ଇଣ୍ଡେଣ୍ଟ’ ପ୍ରଦାନ କରାଯାଇଛି। ଆସନ୍ତା ୩ ତାରିଖରେ ଏହି ଘରୋଇ ସଂସ୍ଥା ସରକାରଙ୍କ ସହ ଚୁକ୍ତି କରିବ ବୋଲି ଜଣାପଡ଼ିବା ପରେ ସେସୁ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଟାଟା ପାୱାର ‘ସିଙ୍ଗିଲ ବିଡର’ ହୋଇଥିଲେ ମଧ୍ୟ ତା’ ହାତରେ ସେସୁକୁ ଟେକି ଦେବା ବେଆଇନ ବୋଲି ସେସୁ ଅଧୀନରେ କାମ କରୁଥିବା ବିଭିନ୍ନ କର୍ମଚାରୀମାନଙ୍କୁ ନେଇ ଗଠିତ ସଂଘଗୁଡ଼ିକ ଅଭିଯୋଗ କରିଛନ୍ତି।

ସଂଘର ଏଭଳି ଅଭିଯୋଗକୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ମିଳିତ ମଞ୍ଚ ଗୁରୁତ୍ବର ସହ ନେଇ ଆନ୍ଦୋଳନ ଡାକରା ଦେଇଛି। ଆସନ୍ତା ୩୦ ତାରିଖରେ ଲୋୟର ପିଏମ୍‌ଜିରେ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବ ବୋଲି ଆଜି ଶ୍ରମିକ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସିଟୁ, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌ ସହ ଓଏସ୍‌ଇବି ମିନିଷ୍ଟରିଆଲ ଏମ୍ପ୍ଲଇଜ୍‌ ଆସୋସିଏସନ, ଇଇଏଫ୍‌ଆଇ, ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ପ୍ରଭୃତିର କର୍ମକର୍ତ୍ତାମାନେ ମିଳିତ ମଞ୍ଚ ବୈଠକରେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଉପଭୋକ୍ତା ମହାସଂଘ ମଧ୍ୟ ସେସୁ ଘରୋଇକରଣକୁ ତୀବ୍ର ବିରୋଧ କରିଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ସେସୁ ଲାଭରେ ଚାଲିଛି। ଇମ୍ଫା, ନାଲ୍‌କୋ ଓ ସେଲ୍‌ ଭଳି କମ୍ପାନିଗୁଡ଼ିକ ଉପରେ ଶହ ଶହ କୋଟି ଟଙ୍କା ବାକି ପଡ଼ିଛି। ଏହାକୁ ବିବାଦୀୟ ଦର୍ଶାଯାଉଛି। ସେହିଭଳି ସରକାରଙ୍କ ଉପରେ ୧୧୦୦ କୋଟି ବାକି ପଡ଼ିଛି। ଏ ସବୁ ଆଦାୟ ନ କରି ବିକ୍ରି କରିଦେବା ଯୁକ୍ତିଯୁକ୍ତ ନୁହେଁ। ସେସୁର ଆକାଉଣ୍ଟ ଓ ଏନର୍ଜି ଅଡିଟ୍‌ ହେଉନାହିଁ। ଏହା ହେଲେ ଅନେକ ଗୁମର ପଦାକୁ ଆସିବ ବୋଲି ସେ କହିଛନ୍ତି।

ସେସୁ ଅଧୀନରେ ୯ଟି ଜିଲ୍ଲାରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ପାଇଁ ଟାଟା ପାୱାର ଲାଇସେନ୍ସ ହାସଲ କରିଛି। ସେସୁ ଘରୋଇକରଣ ହେଲେ ଆମେରିକାର ଏଇଏସ୍‌ କମ୍ପାନି ଭଳି ଟାଟା ମଧ୍ୟ ଶୁଳ୍କ ବୃଦ୍ଧି କରିବ। ଶ୍ରମିକ, କର୍ମଚାରୀ ଓ ଇଞ୍ଜିନିୟର୍ସମାନଙ୍କର ସ୍ବାର୍ଥହାନି ହେବା ସହ ଆଗକୁ ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ ଘରୋଇକରଣ ପାଇଁ ପଥ ପରିଷ୍କାର ହେବ। ଏକ ଅତ୍ୟାବଶ୍ୟକ ସେବାକୁ ସରକାର ଘରୋଇ ସଂସ୍ଥା ହାତରେ ଟେକି ଦେଇ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ସିଟୁ ନେତା ବିଷ୍ଣୁ ମହାନ୍ତି ଅଭିଯୋଗ କରିଛନ୍ତି। ସିଟୁ ସଭାପତି ଜନାର୍ଦ୍ଦନ ପତିଙ୍କ ସଭାପତିତ୍ବରେ ଆୟୋଜିତ ମିଳିତ ବୈଠକରେ ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଓଏସ୍‌ଇବି ମିନିଷ୍ଟରିଆଲ ଏମ୍ପ୍ଲଇଜ୍‌ ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଭାତ କୁମାର ମହାପାତ୍ର, ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଏଚ୍‌ଏମ୍‌ଏସ୍‌ର ଯୋଗେନ୍ଦ୍ର ତ୍ରିପାଠୀ, ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ସଭାପତି ବଳରାମ ପ୍ରସାଦ ବସୁମଲ୍ଲିକ, ଏମ୍‌ବିୟୁର ସଭାପତି ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର