ଗାଡ଼ି ବିକ୍ରି ୧୯ ବର୍ଷରେ ସବୁଠୁ କମ୍

ଗାଡ଼ି ବଜାର ଲାଗି ୨୦୧୯ଟି ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ଗାଡ଼ି ବିକ୍ରିରେ କ୍ରମାଗତ ୧୩ ମାସ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିଲା। କାର୍‌ ଠାରୁ ଆରମ୍ଭ କରି ବାଇକ୍ ଓ ସ୍କୁଟର ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି କମିଥିଲା। ସାରା ଦେଶରେ ୩୦୦ରୁ ଅଧିକ ସୋ’ରୁମ୍‌ରେ ତାଲା ପଡ଼ିଯାଇଛି। ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥାର ୧୦ ଲକ୍ଷ କର୍ମଚାରୀଙ୍କ ଚାକିରି ଚାଲିଯାଇଥିଲା। ସୋ’ରୁମ୍‌ରେ କାମ କରୁଥିବା କର୍ମଚାରୀମାନେ ଜୀବିକା ହରାଇଥିଲେ। ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍‌) ଅନୁସାରେ ଗାଡ଼ି ବିକ୍ରି ୧୯ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମୋଟ୍‌ ଉପରେ ଗାଡ଼ି ବିକ୍ରି ୧୨% କମିଯାଇଥିଲା। ଅଧିକ ଜିଏସ୍‌ଟି, ଇଲେକ୍ଟ୍ରିକ୍ ଯାନ ଉପରେ ଅଧିକ ଗୁରୁତ୍ବ ଓ ୨୦୨୦ ଏପ୍ରିଲ୍‌ ୧ରୁ ଲାଗୁ ହେବାକୁ ଥିବା ବିଏସ୍‌-୬ ଭଳି ନିୟମକୁ ଗାଡ଼ି ବଜାରରେ ମାନ୍ଦାବସ୍ଥା ଲାଗି ଦାୟୀ କରାଯାଇଥିଲା। ନୂଆ ବିଏସ୍‌-୬ ଇଞ୍ଜିନର ଗାଡ଼ି କିଣିବା ଲାଗି ଲୋକମାନେ ଅଧିକ ଦିନ ଅପେକ୍ଷା କରିବାକୁ ପସନ୍ଦ କରିଥିଲେ। ଟ୍ରକ୍‌ର ବିକ୍ରି ମଧ୍ୟ କମିଥିଲା। ୧୯୮୫ ଠାରୁ ରାସ୍ତାରେ ଚାଲୁଥିବା ମାରୁତି ଜିପ୍‌ସି ବନ୍ଦ ହୋଇଯାଇଥିଲା। ହୁଣ୍ଡାଇ ମଧ୍ୟ ଏହାର ଇଅନ୍ ମଡେଲ୍‌ର ବିକ୍ରି ବଢ଼ାଇବାକୁ ସଂଘର୍ଷ କରିଥିଲା। ମହିନ୍ଦ୍ରା ଜାଇଲୋ, ଫିଏଟ୍‌ ପୁଣ୍ଟୋ ଓ ଲିନିଆର ମଧ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ମାନ୍ଦାବସ୍ଥା ସତ୍ତ୍ବେ ଏମ୍‌ଜି ହେକ୍ଟର, ହୁଣ୍ଡାଇ ଭେନ୍ୟୁ, ମାରୁତି ୱାଗନ୍ ଆର୍‌, ଏସ୍‌ ‌‌‌ପ୍ରେସୋ, ରେନଲ୍ଟ ଟ୍ରିବର୍‌ ଓ ଟାଟା ହାରିୟର୍‌ ବିପୁଳ ମାତ୍ରାରେ ବିକ୍ରି ହୋଇଥିଲା।

ସମ୍ବନ୍ଧିତ ଖବର