ଇମାମୀ ଜଗନ୍ନାଥ ମନ୍ଦିରରେ ଚନ୍ଦନଯାତ୍ରା: ଚାପଖେଳ ମୁଖ୍ୟ ଆକର୍ଷଣ

ବାଲେଶ୍ବର: ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଇମାମୀନଗର ବାଲଗୋପାଲପୁରରେ ଚନ୍ଦନଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି। ଅକ୍ଷୟତୃତୀୟାରେ ରଥ ଅନୁକୁଳ ପରେ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ସୋମବାର ଦିନ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚନ୍ଦନଯାତ୍ରାରେ ପ୍ରତିଦିନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପୁଷ୍ପ ସୁସଜ୍ଜିତ ପୁଷ୍କରଣୀରେ ମହାପ୍ରଭୁଙ୍କର ଚାପଖେଳ ନୌକାବିହାର ଅନୁଷ୍ଠିତ ହେଉଥିବା ବେଳେ ସୁସଜ୍ଜିତ ଆଲୋକ ଓ ପୁଷ୍ପସଜ୍ଜା ସହିତ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି।

ଉତ୍ସବରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପରିଚାଳକ ଇମାମୀ ଗ୍ରୁପର ଅନ୍ୟତମ ନିର୍ଦ୍ଦେଶକ ସୁଶିଲ କୁମାର ଗୋୟେଙ୍କା ଯୋଗ ଦେଇ ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ନିବେଦନ କରିଛନ୍ତି। ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଲରଞ୍ଜନ ଦାସ ସାମନ୍ତରାୟ, ସ୍ଥାନୀୟ ଇମାମୀ କାଗଜକଳର ସଭାପତି ଆଶିଷ ଅବିନାଶ ଗୁପ୍ତା, ମୁଖ୍ୟ ପରିଚାଳକ ଡ. ୟୁସୁବ୍ ଅଲ୍ଲୀ ସୋଲାଙ୍କି, ମୁଖ୍ୟ ପୂଜକ ପ୍ରଦୀପ୍ତ ମିଶ୍ର, ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ପ୍ରତ୍ୟହ କାର୍ଯ୍ୟକ୍ରମକୁ ସହଯୋଗ କରିଆସୁଛନ୍ତି।

ଅକ୍ଷୟତୃତୀୟା ଉତ୍ସବରେ ରଥ ଅନୁକୁଳ, ଶ୍ରୀ ମଦନମୋହନ, ମାତା ଶ୍ରୀଦେବୀ ଓ ଭୂଦେବୀ ରଥଖଳା ପରିଦର୍ଶନ କରିଥିଲେ। ଏହି ସମୟରେ ଶଙ୍ଖ, ଘଣ୍ଟା, ମୃଦଙ୍ଗ ଓ ‘ଜୟ ଜଗନ୍ନାଥ’ ଧ୍ବନିରେ ବେଶ୍ ପ୍ରକମ୍ପିତ ହୋଇଥିଲା। ସେହିପରି ପ୍ରତ୍ୟେହ ସନ୍ଧ୍ୟାରେ ଆଳତି, ଶ୍ରୀ ମଦନମୋହନ, ମାତା ଶ୍ରୀଦେବୀ ଓ ଭୂଦେବୀଙ୍କର ବେଡ଼ା ପରିକ୍ରମା, ସ୍ନାନପୂଜା, ନରେନ୍ଦ୍ର ପୋଖରୀରେ ଶୀତଳ ଏବଂ ମାଣ୍ତୁଅ ଭୋଗ ତଥା ନୌକା ବିହାର ଅନୁଷ୍ଠିତ ହୋଇଆସୁଛି। ପ୍ରତ୍ୟେହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର