ଚାନ୍ଦିପୁର ଆଇଟିଆର୍‌ର ଗୁପ୍ତତଥ୍ୟ ପ୍ରଘଟ ମାମଲା: ନିର୍ଦ୍ଦିଷ୍ଟ କାଗଜପତ୍ର ଦାଖଲ ନହେବାରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହେଲାନି

ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତତଥ୍ୟ ଲିକ୍‌ ଘଟଣାରେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଜଣେ ପ୍ରତିରକ୍ଷା କର୍ମଚାରୀଙ୍କ ସମେତ ୫ଜଣ ଠିକା କର୍ମଚାରୀଙ୍କୁ ଚାନ୍ଦିପୁର ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅଫିସ ଗୁପ୍ତତଥ୍ୟ ପ୍ରଘଟ ସମ୍ପର୍କିତ ଧାରା ଲାଗିଥିଲା। ହେ‌ଲେ ଆବଶ୍ୟକ କାଗଜପତ୍ର ଦାଖଲ କରା ନଯିବାରୁ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଅଫିସିଆଲ ସିକ୍ରେଟସ ଆକ୍ଟର ଦଫା (୩, ୪ ଓ ୫) ବାଦ୍ ଦିଆଯାଇଥିବା ଜଣାଯାଇଛି।

ବାଲେଶ୍ବର ଚାନ୍ଦିପୁର ଥାନା ପୁଲିସ ଦ୍ବାରା ଆଇଟିଆର ପରିସରରୁ କ୍ଷେପଣାସ୍ତ୍ର ସମ୍ପର୍କିତ ଗୁପ୍ତତଥ୍ୟ ପ୍ରଘଟ ଘଟଣାରେ ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ଆଇଟିଆର୍‌ ପରିସରରେ ଠିକା କର୍ମଚାରୀ ଭାବେ କାମ କରୁଥିବା ବସନ୍ତ ବେହେରା, ହେମନ୍ତ ମିସ୍ତ୍ରି, ତାପସ ରଂଜନ ନାୟକ, ସେକ୍ ମୁସାଫିର ଏବଂ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଇଟିଆରରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ କୁମାରଙ୍କ ନାମରେ ମାମଲା ହୋଇ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଚାନ୍ଦିପୁର ପୁଲିସ୍। ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପୁରାହାଟ, ବୁଆଁଳ, ନୂଆନଈ ଅଞ୍ଚଳର ହୋଇଥିବା ବେଳେ ବସନ୍ତ ମିସ୍ତ୍ରିର ଘର ଚୌଦ୍ବାର ଆଗ୍ରାହାଟ ଏବଂ ଡ୍ରାଇଭର ସଚିନ କୁମାରର ଘର ଉତ୍ତରପ୍ରଦେଶ ହୋଇଥିବା ଜଣାଯାଇଥିଲା। ଡିଏସ୍‌ପି ବ୍ରଜେଶ୍ବରୀ ବଳ ଏହି ମାମଲାର ଅଭିଯୋଗକାରିଣୀ ଥିଲେ। ଅଭିଯୋଗ ପରେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଦେଶଦ୍ରୋହ କାର୍ଯ୍ୟରେ ସଂପୃକ୍ତ ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତତ୍କାଳୀନ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ଟି ଟିମ୍ ଗଠନ ହୋଇଥିଲା। ଯେଉଁଥିରେ ୬ ଜଣ ଡିଏସ୍‌ପିଙ୍କ ସମେତ ୬ ଜଣ ଇନ୍ସପେକ୍ଟର ସାମିଲ ଥିଲେ। ଏହାପରେ ‌ଏହି ମାମଲା କ୍ରାଇମବ୍ରାଞ୍ଚ୍‌ ନେଇଥିଲା। ରିମାଣ୍ଡ ବେ‌ଳେ ଅଭିଯୁକ୍ତମାନେ ହନିଟ୍ରାପ୍‌ ଓ ଆର୍ଥିକ ପ୍ରଲୋଭନର ଶିକାର ହୋଇ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟକୁ ଚାନ୍ଦିପୁର ପ୍ରତିରକ୍ଷା ଘାଟିର କ୍ଷେପଣାସ୍ତ୍ର ସମ୍ପର୍କିତ ଗୁପ୍ତତଥ୍ୟ ପ୍ରଦାନ କରିଥିବା ଜଣାଯାଇଥିଲା। ତେବେ ୫ ଅଭିଯୁକ୍ତ ବିଚାରଧୀନ ବନ୍ଦୀଭାବେ ଜେଲ୍‌ରେ ଥିବାବେଳେ ଆଜି ଏହି ମାମଲାରେ ଚାର୍ଜଫ୍ରେମ୍ ହୋଇଛି। ହେଲେ ଦୁର୍ଭାଗ୍ୟର କଥା ସରକାରଙ୍କ ପକ୍ଷରୁ ଅଥରାଇଜେସନ ଅର୍ଡର ଦାଖଲ ନହେବାରୁ ମାମଲାର ମୁଖ୍ୟ ଦଫା କୁହାଯାଉଥିବା ଅଫିସିଆଲ ସିକ୍ରେଟସ ଆକ୍ଟର ଦଫା ୩, ୪ ଓ ୫ରେ ଚାର୍ଜଫ୍ରେମ୍ ହୋଇ ନଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସରକାରୀ ଓକିଲ ପ୍ରହ୍ଲାଦ ପତିଙ୍କୁ ପଚାରିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ କାଗଜପତ୍ର ଦାଖଲ ନିମନ୍ତେ ପିଟିସନ ଦିଆଯିବ ବୋଲି କହିଥିଲେ।
ସୂଚନାଥାଉକି, ପୂର୍ବରୁ ଚାନ୍ଦିପୁର ପ୍ରତିରକ୍ଷା ଘାଟିର ଗୁପ୍ତତଥ୍ୟ ପ୍ରଘଟ ମାମଲାରେ ଡିଆରଡିଓର ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରାଯାଇଥିଲା। ସେ ଏବେ ଜେଲ୍‌ରେ ଆଜୀବନ ଜେଲଦଣ୍ଡ ଭୋଗୁଛି।

ସମ୍ବନ୍ଧିତ ଖବର