ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରାଯିବ: ବିଜେପି

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର୍ ବିରୋଧ ହେବ

୮ରେ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ହେବ

ଭୁବ‌େନଶ୍ବର / ସମ୍ବଲପୁର : ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିଲାଣି। ଆଇନକୁ ତା’ବାଟରେ ଯିବାକୁ ନଦେଇ ଧ୍ରୁତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାଙ୍କୁ ସୁରକ୍ଷା ଦେଉଛନ୍ତି। କଟା ଘା’ରେ ଚୂନ ଲଗାଇବା ପାଇଁ ଆସନ୍ତ‌ା ୮ତାରିଖରେ ମୁଖ୍ୟମନ୍ତ୍ରୀ ରାଜନୀତି କରିବା ପାଇଁ କଳାହାଣ୍ଡି ଯାଉଛନ୍ତି। ଏହାକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ। ମମିତାଙ୍କୁ ନ୍ୟାୟ ଦେବା ପ‌ାଇଁ ଲଢେଇ ଜାରି ରହିବ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବରାଜ ହରିଚନ୍ଦନ କହିଛନ୍ତି। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ବେଳେ ଏହି ବାସନ୍ଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ସେହିଦିନ ରାଜ୍ୟର ସମସ୍ତ ବ୍ଲକ, ଏନ୍‌ଏସି, ମ୍ୟୁନିସପାଲଟି, ଜିଲ୍ଲା ସଦର ମହକୁମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯିବ।

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ବରେ ୮ତାରି‌ଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ସଂପୂର୍ଣ୍ଣ ବିରୋଧ କରିବ। ଶାସକ ବିଜେଡି କ୍ଷମତାକୁ ଆସିବା ପରେ ୨୧ବର୍ଷରେ ରାଜ୍ୟରେ ୧ଲକ୍ଷରୁ ଅଧିକ ମହିଳା ଓ ଶିଶୁ ହତ୍ୟା, ନିର୍ଯାତନା ଓ ଅପହରଣ ମାମଲା ହୋଇଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା କ୍ରମା‌ଗତ ଭାବେ ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ହ୍ରାସ ପାଇଚାଲିଛି। ମାହଙ୍ଗା ଡବଲ୍‌ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ, ଏସିଏଫ୍ ସୌମ୍ୟରଞ୍ଜନ ହତ୍ୟାକାଣ୍ଡରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ମିତାରାଣୀ ହତ୍ୟାକାଣ୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ, ଶିକ୍ଷୟିତ୍ରୀ ମାଧବୀଲତା ହତ୍ୟାକାଣ୍ଡରେ ତତ୍କାଳୀନ ମନ୍ତ୍ରୀ ସଂଜୟ ଦାସବର୍ମା, ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସଂପୃକ୍ତିରେ ମୁଖ୍ୟମନ୍ତ୍ରୀ ନିରବ ରହି ଆସିଛନ୍ତି ଏବଂ କୌଣସି ପୀଡ଼ିତାକୁ ନ୍ୟାୟ ଦେଇପାରିନାହାନ୍ତି। ଘଟଣା ଘଟିବାର ଘଟିବାର ମାସକ ପରେ ଆଜି ହଠାତ୍ ବିଜେଡି ମୁଖପାତ୍ରମାନେ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଅପଚେଷ୍ଟା ଏବଂ ଅପରାଧୀମାନଙ୍କ ସପକ୍ଷରେ ଓକିଲାତି ଆରମ୍ଭ କରିଦେଇଛନ୍ତି। ଯାହା ବିଜେଡିର ଅସଲ ମୁଖା ଖୋଲି ଦେଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେହିଭଳି, ସମ୍ବଲପୁରଠାରେ ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର, ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ ମିଳିତ ପ୍ରେସ ବିବୃତିରେ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହ ତାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର